ଦୁର୍ବଳ ହେଉଛି ହାତ, ଶଙ୍ଖ ମୁହାଁ ପ୍ରଦୀପ ?

ଦୁର୍ବଳ ହେଉଛି ହାତ, ଶଙ୍ଖ ମୁହାଁ ପ୍ରଦୀପ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ପୁଣି ସରଗରମ ଓଡ଼ିଶା ରାଜନୀତି। ମାଷ୍ଟରକ୍ୟଣ୍ଟିନ କଂଗ୍ରେସ ଭବନରେ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ହଲଚଲ। ସବୁ କଳ୍ପନା ଜଳ୍ପନା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ପ୍ରଦୀପ ମାଝୀ ହେଉଛନ୍ତି ଓପିସିସିର ଦ୍ୱିତୀୟ କାର୍ଯ୍ୟକାରୀ ସଭାପତି, ଯିଏ କି ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳକୁ ଛାଡ଼ିଛନ୍ତି । ପୂର୍ବରୁ ଦଳର ଅନ୍ୟତମ କାର୍ଯ୍ୟକାରୀ ସଭାପତି ନବ ଦାସ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ।ଏବେ ସେ ବିଜେଡି ସରକାରରେ କ୍ୟାବିନେଟ୍‍ ମନ୍ତ୍ରୀ ଅଛନ୍ତି।

ଶ୍ରୀ ମାଝି ତାଙ୍କର ଇସ୍ତଫାପତ୍ର ଏଆଇସିସିର ମଧ୍ୟବର୍ତ୍ତୀକାଳୀନ ସଭାପତିି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଗଭୀର ସମ୍ମାନ, ଦୁଃଖ ଓ ଯନ୍ତ୍ରଣାର ସହ କହିବାକୁ ଚାହୁଁଛି ମୁଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ଜଣେ ଆଦିବାସୀ ଯୁବ ନେତା ତଥା ନବରଙ୍ଗପୁର ଲୋକସଭା ର୍ନିବାଚନମଣ୍ଡଳୀର ସାଂସଦ ରହି ସାରିଥିବା ଶ୍ରୀ ମାଝୀ କହିଛନ୍ତି ଯେ ସେ କଂଗ୍ରେସରେ ଥିବାବେଳେ ଲୋକଙ୍କ ସେବା କରିବାକୁ ଚାହୁଁଥିଲେ, କିନ୍ତୁ ଏହି ମହାନ ପୁରୁଣା ଦଳରେ ଉତ୍ସାହର ଅଭାବ ରହିଛି ।ଦଳର ସଂଗଠନ ଆପଣଙ୍କ ନେତୃତ୍ୱରେ ଅତ୍ୟନ୍ତ ଭଲ ଭାବରେ ପରିଚାଳିତ ହୋଇଥିଲା ଯାହା ବିଭିନ୍ନ ସ୍ତରରେ ପଦ ପଦବୀ ଦଖଲ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଧିରେ ଧିରେ ହ୍ରାସ ପାଇଲା ଏବଂ ବର୍ତ୍ତମାନ ଦଳ ପ୍ରାୟତଃ ନିଜର ବିଶ୍ୱସନୀୟତା ହରାଇଛି ଯାହାକୁ ପୁଣି ଥରେ ଫେରାଇ ଆଣିବାକୁ ବହୁତ ସମୟ ଲାଗି ପାରେ ବୋଲି ଶ୍ରୀ ମାଝୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଯନ୍ତ୍ରଣାର ସହ ଦଳ ଛାଡୁଛି ଯେଉଁଥି ପାଇଁ ମୋତେ ଦୟାକରି କ୍ଷମା କରିଦେବେ । ମୁଁ ତଥାପି ତୁମର ଆଦର୍ଶ ଅନୁଯାୟୀ ମୋର କର୍ତ୍ତବ୍ୟ ପାଳନ କରିବି ଏବଂ ଅତ୍ୟଧିକ ସନ୍ତୋଷଜନକ ଭାବରେ ଲୋକମାନଙ୍କ ସେବା କରିବି । ଶ୍ରୀ ମାଝୀ ୨୦୦୯ ରେ ନବରଙ୍ଗପୁରରୁ ଲୋକସଭାକୁ ର୍ନିବାଚିତ ହୋଇଥିଲେ ହେଁ ସେ ୨୦୧୪ ଏବଂ ୨୦୧୯ ରେ ବାଳଭଦ୍ର ମାଝୀ ଏବଂ ରମେଶ ମାଝୀଙ୍କ ଠାରୁ ର୍ନିବାଚନରେ ହାରିଥିଲେ । ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଉପରେ ତାଙ୍କର ଯଥେଷ୍ଟ ପ୍ରଭାବ ରହିଛି । ଚଳିତ ମାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନ଼ାୟକଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ସମୟରେ ଶ୍ରୀ ମାଝୀ ବିଜୁ ଜନତା ଦଳରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: