ମୟୂରଭଞ୍ଜରେ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୟୂରଭଞ୍ଜରେ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଜମ୍ ନ୍ୟୁଜ ବ୍ୟୁରୋ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗ୍ରସ୍ତକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ। ପୂର୍ବରୁ ରାଜ୍ୟର ୬ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେପ୍ଟେମ୍ବର ୨୦୨୧ ଓଡ଼ିଶାର ସ୍ବାସ୍ଥ୍ୟ ସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଛି। ସେପ୍ଟେମ୍ବର ପହିଲାରୁ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ଜରିଆରେ ସ୍ବାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଛି। ଏହି କାର୍ଡଟି ବିପଦ ସମୟର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଜନସାଧାରଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ଏହାସହ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ମତେ ବହୁତ ଦୁଃଖ ଦେଇଥାଏ ବୋଲି ମୂଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଉତ୍ତମ ଚିକିତ୍ସା ସୁବିଧା ପାଇପାରିବେ। ଏଥିପାଇଁ ଗରିବମାନଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚୁଛନ୍ତି । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ମୟୂରଭଞ୍ଜ ଜିଲ୍ଲାରେ ବିକାଶ କାମକୁ ତ୍ବରାନ୍ବିତ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଜୁଲାଇରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ କେନାଲରୁ ପାଣି ଛଡା ଯାଇଥିବା ବେଳେ, ୯୪ଟି ଗାଁର ୧୫ ହଜାର ହେକ୍ଟର ଜମି ପାଣିକୁ ଜଳସେଚନ ହେଉଛି। ସେହିପରି ମୟୂରଭଞ୍ଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦେବା ପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଧାରାକୁ ଆଗେଇ ନେଇ ଆଜି ଆହୁରି ୨୩୦୦ କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଆଜିର ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: