ବିଜେପି-ଜେଡିୟୁ ବ୍ରେକ୍ ଅପ୍, ବିହାରରେ ପୁଣି ମେଣ୍ଟ ସରକାର

ବିଜେପି-ଜେଡିୟୁ ବ୍ରେକ୍ ଅପ୍, ବିହାରରେ ପୁଣି ମେଣ୍ଟ ସରକାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିହାର ରାଜନୀତି ସରଗରମ। ସତ ହେଲା ସମସ୍ତ ଚର୍ଚ୍ଚା। ବିଜେପି ହାତ ଛାଡ଼ିଲେ ନୀତୀଶ କୁମାର। ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ମଙ୍ଗଳବାର ବସିଥିବା ଜେଡିୟୁ ଦଳର ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ବଡ଼ ଘୋଷଣା କରିଛନ୍ତି।

ବିହାରରେ ପୁଣି ଗଠନ ହେବ ମେଣ୍ଟ ସରକାର। ପୂର୍ବରୁ ଏନେଇ ଚର୍ଚ୍ଚା ହେଉଥିଲା ହେଁ ଆଜି ନୀତୀଶ ଆନୁଷ୍ଠାନିକ ଭାବେ ବିଜେପିଠୁ ଅଲଗା ହୋଇଛନ୍ତି। ନୀତୀଶ କଂଗ୍ରେସ-ଆରଜେଡି ଓ ବାମଦଳ ସହ ମିଶି ସରକାର ଗଠନ କରିବେ । ତେବେ ଅପରାହ୍ନ ୪ଟାରେ ନୀତୀଶ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟିବେ ବୋଲି କୁହାଯାଇଛି । ବିଜେପିଠୁ ଅଲଗା ହୋଇ ରାଜ୍ୟ ରାଜନୀତିର ସମୀକରଣ ବଦଳାଇଛନ୍ତି ନୀତୀଶ । ଏହା ବିଜେପିକୁ ମଧ୍ୟ ବଡ଼ ଝଟକା କହିଲେ ଭୁଲ ହେବନି।

ବିହାରରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆରଜେଡିର ବିଧାୟକ ତଥା ବହୁ ବରିଷ୍ଠ ନେତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପାଟନା ସ୍ଥିତ ବାସ ଭବନରେ ହୋଇଥିବା ବୈଠକରେ ନୀତୀଶ କୁମାରଙ୍କୁ ସମର୍ଥନ କରିଛନ୍ତି। ତେବେ ଏହା ପୂର୍ବରୁ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବଡ ବୟାନ ଦେଇଥିଲେ । ସେ କହିଥିଲେ ଯେ, ନୀତୀଶ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ବିଧାୟକମାନେ ମଧ୍ୟ ନୀତୀଶଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସମର୍ଥନ କରିଛନ୍ତି ।

ବିହାରରେ ନୂଆ ସରକାର ଗଠନକୁ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଥିବା ବେଳେ ରାଜଭବନ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବା ପରେ ସମସ୍ତଙ୍କ ସମ୍ମୁଖରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଅନ୍ୟପଟେ ନୂଆ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ପଦ ସହ ଗୃହ ବିଭାଗ ତେଜସ୍ବୀଙ୍କ ନିକଟରେ ରହିବା ନେଇ ଚର୍ଚ୍ଚା ହେଉଛି । ସେପଟେ ଆରଜେଡି ବିଧାୟକ ଦଳର ବୈଠକରେ ଏହା ମଧ୍ୟ ଦାବି କରିଛନ୍ତି ଯେ, ବାଚସ୍ପତି ପଦ ମଧ୍ୟ ଦଳ ନିକଟରେ ରହୁ । ୨୦୨୦ ମସିହା ବିଧାନ ସଭା ନିର୍ବାଚନରେ ବିଜେପି-ଜେଡିୟୁ ଏକାଠି ନିର୍ବାଚନ ଲଢ଼ିଥିବା ବେଳେ ଜେଡିୟୁକୁ ଅଧିକ ଆସନ ମିଳିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: