ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର:ଲୋକଙ୍କ ପାଖକୁ ପହଞ୍ଚନ୍ତୁ, ଆଶୀର୍ବାଦ ଆଣନ୍ତୁ

ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର:ଲୋକଙ୍କ ପାଖକୁ ପହଞ୍ଚନ୍ତୁ, ଆଶୀର୍ବାଦ ଆଣନ୍ତୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସେ ଦଳୀୟକର୍ମୀଙ୍କୁ ଭର୍ଚୁଆଲ ଉଦବୋଧନ ଦେଇ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସେମାନଙ୍କ ଆଶୀର୍ବାଦ ଆଣିବାକୁ ପରାମର୍ଶ ଦେଇଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କ ସହିତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମୁଁ ଜାଣିଛି ଆପଣମାନେ ପଞ୍ଚାୟତ ର୍ନିବାଚନରେ ପୂରାପୂରି ସାମିଲ ହୋଇ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରୁଛନ୍ତି। ବର୍ତ୍ତମାନ ରାଜ୍ୟରେ କୋଭିଡ ମହାମାରୀର ତୃତୀୟ ଲହର ଚାଲିଛି । ମୋର ଅନୁରୋଧ ଆପଣମାନେ କୋଭିଡ ନିୟମ ପାଳନ କରିବେ । ଆପଣଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ ଅଟେ। ଆପଣମାନେ ଜାଣି ଖୁସି ହେବେ ଯେ ଓଡ଼ିଶା ଆଜି ସାରା ଭାରତ ବର୍ଷରେ କୋଭିଡ ମୁକାବିଲାରେ ଏକ ନମ୍ବର ହୋଇଛି । ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛି ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି ଏବଂ ଏଭଳି ଯୁଗାନ୍ତକାରୀ ସରକାର ଭାରତରେ ପ୍ରଥମ । ଏହି କଠିନ କୋଭିଡ ମହାମାରୀ ସମୟରେ ମହିଳାମାନଙ୍କୁ ମିଶନ ଶକ୍ତି, ମା’ମାନଙ୍କୁ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ ଆପଣଙ୍କ ବିଜେଡି ସରକାର ଦେଇଛି । ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦,୦୦୦ ଟଙ୍କା କାଳିଆ ଯୋଜନାରେ ସହାୟତା ଦେଇଛି ଆମ ସରକାର । ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପଦକ୍ଷେପମାନ ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କୁ ବାଟ ଦେଖାଇଛି ।ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି । ମୋ ସରକାର କାର୍ଯ୍ୟକ୍ରମ ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି । ଆମେ ସମସ୍ତେ ଜାଣିଛୁ ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନରେ ଆର୍ଶୀବାଦ କରିଆସିଛନ୍ତି । ବିରୋଧିଦଳଙ୍କ ପାଖରେ କିଛି ବି ପ୍ରସଙ୍ଗ ନାହିଁ । ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ । ତେଣୁ ଆପଣମାନେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ ଦିଅନ୍ତୁ । ମୋର ଅନୁରୋଧ ଆପଣମାନେ ଆମ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ବହୁଳ ପରିମାଣରେ ଲୋକଙ୍କ ଆଶୀର୍ବାଦ ଆଣିବେ । ଏଥିରେ ମୋର ପୂରା ବିଶ୍ୱାସ ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: