ଓଡ଼ିଶାର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ WFP ର ପ୍ରଶଂସା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜାତିସଙ୍ଘର ବିଶ୍ୱ ଖାଦ୍ୟ ସୁରକ୍ଷା ନିମନ୍ତେ(WFP) ୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ ରଣନିତୀ ପ୍ରସ୍ତୁତି ପାଇଁ ବିଭିନ୍ନ ଅଂଶୀଦାରମାନଙ୍କର ପରାମର୍ଶମୂଳକ ଆଲୋଚନାଚକ୍ର ଡିଜିଟାଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କର୍ପୋରେଟ୍‌ ସଂସ୍ଥା ଓ ବିଶ୍ୱବିଦ୍ୟାଳୟ ଆଦିରୁ ପ୍ରାୟ ୮୦ ଜଣ ପ୍ରତିନିଧି ଯୋଗଦେଇ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଆଲୋଚନା ଆରମ୍ଭକରି ବିଶ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଜାତୀୟ ନିର୍ଦ୍ଦେଶକ ବିଶୋ ପାରାଜୁଲି କହିଥିଲେ ଯେ ‘‘ ଆମେ ଓଡ଼ିଶା ସହ କାର୍ଯ୍ୟକରିବାରେ ଆନନ୍ଦ ଅନୁଭବ କରୁଛୁ, କାରଣ ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଓଡ଼ିଶାରେ ଅନେକ ଅଭିନବ କୌଶଳର ପ୍ରୟୋଗ କରାଯାଇଛି । ସାଧାରଣ ଯୋଗାଣ ବ୍ୟବସ୍ଥାରେ ବାଇଓମେଟ୍ରିକ୍‌ କୌଶଳ ପ୍ରୟୋଗ, ମଧ୍ୟାହ୍ନ ଭୋଜନ ଏବଂ ଅଙ୍ଗନାବାଡ଼ିରେ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ପାଇଁ ପୁଷ୍ଟିଯୁକ୍ତ ଛତୁଆ ପ୍ରସ୍ତୁତି ଆଦି ଏହି ଅଭିନବ କୌଶଳର କେତେକ ଉଦାହରଣ’’ ।ଆଲୋଚନା ଚକ୍ରକୁ ସଂବୋଧନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଦାରିଦ୍ର୍ୟ କମାଇବା, ଖାଦ୍ୟ ସୁରକ୍ଷା ବଢ଼ାଇବା ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ଦୃଢ଼ିଭୁତ କରିବା ନିମନ୍ତେ ରାଜ୍ୟ ସରକାର ଦୃଢ଼ ପରିକର । ବିଗତ ବର୍ଷମାନଙ୍କରେ ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥାସହ ସହଭାଗିତା ଅନେକ ଫଳଦାୟୀ ହୋଇଛି । ଆଗାମୀ ବର୍ଷମାନଙ୍କରେ ଖାଦ୍ୟସୁରକ୍ଷାର ପହୁଞ୍ଚାଣକୁ ସାର୍ବଜନୀନ କରିବା ନିମନ୍ତେ ଅଧିକରୁ ଅଧିକ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ୨୦୨୩-୨୭ ରଣନୀତିକୁ ନିରନ୍ତର ବିକାଶ ଲକ୍ଷ୍ୟ ଅଭିମୁଖୀ ଏବଂ ଅଧିକ ଫଳାଫଳ ଭିତ୍ତିକ କରିବା ପାଇଁ ସେ କହିଥିଲେ। ଏହି ରଣନୀତିକୁ ଓଡ଼ିଶା ସରକାର ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥାସହ ମିଳିତ ଭାବେ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟ ଶାସନ ସଚିବ ନିର୍ଭର ପ୍ରତିଶୃତି ଦେଇଛନ୍ତି ।ସଂଯୁକ୍ତ ରାଷ୍ଟ୍ର ଉନ୍ନୟନ ଯୋଜନା ସଂସ୍ଥା ସହ ନିଜ କାର୍ଯ୍ୟ ଅଭିଜ୍ଞତାକୁ ମନେପକାଇ ଉନ୍ନୟନ କମିଶନ ପ୍ରଦୀପ କୁମାର ଜେନା ରଣନୀତିରେ ଅଂଚଳ ଏବଂ ସମୁଦାୟ ଭିତ୍ତିକ ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଖାଦ୍ୟ ସୁରକ୍ଷାର ମାନ ଅଂଚଳ ଓ ସମୁଦାୟ ଭିତ୍ତିରେ ଅଲଗା ହୋଇଥାଏ । ଉଦାହରଣ ସ୍ୱରୂପ, ପାହାଡ଼ିଆ ଅଂଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କର କୃଷି ଉତ୍ପାଦନ ଓ ଖାଦ୍ୟ ଆବଶ୍ୟକତା ମାଳଭୂମି ଅଂଚଳ ଅଧିବାସୀଙ୍କଠାରୁ ଭିନ୍ନ । ସରକାରୀ ଏବଂ ବେସରକାରୀ ସହଭାଗିତା ଭିତ୍ତିରେ ନିରନ୍ତର ବିକାଶ ଲକ୍ଷ କ୍ଷୁଧା ଶୂନ୍ୟତାକୁ ତ୍ୱରାନ୍ୱିତ ଗତିରେ ହାସଲ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *