ବାୟୁସେନା ହାତରେ ବ୍ରହ୍ମାସ୍ତ୍ର ; ସାମରିକ କ୍ଷେତ୍ରରେ ସଶକ୍ତ ହେବ ଭାରତ

ବାୟୁସେନା ହାତରେ ବ୍ରହ୍ମାସ୍ତ୍ର ; ସାମରିକ କ୍ଷେତ୍ରରେ ସଶକ୍ତ ହେବ ଭାରତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୁଇ ପଡ଼ୋଶୀ ଚୀନ୍ ଓ ପାକିସ୍ତାନ ସହ ସୀମା ବିବାଦ, ଆତଙ୍କବାଦକୁ ନେଇ ଉତ୍ତେଜନା ମଧ୍ୟରେ ଭାରତକୁ ମିଳିବାକୁ ଯାଉଛି ଅମୋଘ ଅସ୍ତ୍ର। ବାୟୁ ସେନାରେ ସାମିଲ ହେବ ଅତ୍ୟାଧୁନିକ ଲଢୁଆ ଯୁଦ୍ଧ ବିମାନ ରାଫେଲ। ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ବିମାନ ସହ ଉଡ଼ାଣ ଭରିଛନ୍ତି ଭାରତୀୟ ବାୟୁ ସେନାର ବାୟୁବୀର। ଫ୍ରାନ୍ସ ସହ ପ୍ରତିରକ୍ଷା ଡିଲ୍ ର ୪ବର୍ଷ ପରେ ପ୍ରଥମ ପର୍ଯ୍ୟାୟରେ ମିଳିବାକୁ ଯାଉଛି ୫ଟି ଲଢୁଆ ବିମାନ। ଏହା ସୋମବାର ଭାରତ ଅଭିମୁଖେ ଯାତ୍ରାରମ୍ଭ କରି ୟୁଏଇରେ ପହଞ୍ଚି ସାରିଛି। ଏଠାରେ ଇନ୍ଧନ ଭର୍ତ୍ତି କରି ୨୯ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ।

ଫ୍ରାନ୍ସ ସହ ଭାରତ ୫୯ହଜାର କୋଟିର ପ୍ରତିରକ୍ଷା ଡିଲ୍ କରିଛି, ଯେଉଁଥିରେ ଭାରତକୁ ୩୬ଟି ଲଢୁଆ ବିମାନ ମିଳିବ। ଏହି ୩୬ଟି ମଲ୍ଟି ରୋଲ୍ ଅର୍ଥାତ ଏହାର ବୈଶିଷ୍ଟତା ସେନା ପାଇଁ ବରଦାନ ସଦୃଶ୍ୟ ହେବ ବୋଲି କୁହାଯାଉଛି। ସୋମବାର ୫ଟି ରାଫେଲ ବିମାନ ଫ୍ରାନ୍ସର ପୋର୍ଟ ସିଟି ବୋରେଡକ୍ସର ମେରିନାସ ଏୟାରବେସ୍ ରୁ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ପାଖାପାଖି ୭ ହଜାର କିଲୋମିଟର ଆକାଶ ମାର୍ଗ ଅତିକ୍ରମ ସାରି ଭାରତରେ ପହଞ୍ଚିବ ଭାରତୀୟ ବାୟୁସେନାର ଏହି ଲଢୁଆ ବିମାନ। ଏୟାର ଟୁ ଏୟାର ରିଫୁଏଲିଙ୍ଗ ଏବଂ କେବଳ ୱାନ୍ ଷ୍ଟପ (ୟୁଏଇ)ରେ ସ୍ୱଳ୍ପ ସମୟର ରହଣୀ ସହ ଏହା ବୁଧବାର ଅମ୍ୱାଲା ଏୟାରବେସ୍ ରେ ଅବତରଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

ଭାରତ ଅଭିମୁଖେ ରାଫେଲ ଉଡ଼ାଣ ଭରିବା ପୂର୍ବରୁ ସେଠାରେ ଭାରତୀୟ ବାୟୁସେନା ଯବାନ (ପାଇଲଟ)ଙ୍କ ସହ ଆଲୋଚନା କରିଥିଲେ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଜାୱେଦ ଅସରଫ ।‘ ୟୁ କେନ୍ କଲ୍ ଦେମ୍ (ରାଫେଲ) ବୋଥ୍ ବିୟୁଟି ଏଣ୍ଡ ଦି ବେଷ୍ଟ’ ବୋଲି କହିଥିଲେ ଜାୱେଦ। ଫ୍ରାନ୍ସ ଛାଡ଼ିବାର ୭ଘଣ୍ଟା ପରେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ଅଲ୍ ଧାଫରାରେ ପହଞ୍ଚିଛି ସମସ୍ତ ୫ଟି ରାଫେଲ।

ପ୍ରଥମ ପର୍ଯ୍ୟାୟରେ ଆସୁଥିବା ୫ଟି ରାଫେଲ ମଧ୍ୟରୁ ତିନିଟି ସିଙ୍ଗଲ ସିଟର ଏବଂ ଦୁଇଟି ବିମାନରେ ଦୁଇଟି ଲେଖାଏ ସିଟ୍ ରହିଛି। ବୁଧବାର ଦିନ ଏହା ଅମ୍ୱାଲା ଏୟାରବେସ୍ ରେ ପହଞ୍ଚିଲା ପରେ ଏହାକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ୧୭ ସ୍କାର୍ଡନ ବା ଗୋଲ୍ଡେନ୍ ଆରୋସ୍ ଭାବେ ସମସ୍ତ ୫ଟି ରାଫେଲକୁ ନାମକରଣ କରାଯାଇଛି।

ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୧୦ଟି ରାଫେଲକୁ ଯେଉଁ ଚୁକ୍ତି ହୋଇଥିଲା ତାହା ପୂରଣ ହୋଇଛି। ୧୦ଟି ବିମାନକୁ ୫ଟି ବିମାନ ଭାରତ ଅଭିମୁଖେ ବାହାରି ସାରିଥିବା ବେଳେ ଅନ୍ୟ ୫ଟି ସେଠାରେ ଟ୍ରେନିଂ ପାଇଁ ରହିଛି ଏବଂ ଭାରତୀୟ ବାୟୁସେନାର ବୀର ପାଇଲଟମାନେ ସେଠାରେ ରାଫେଲର ଉଡ଼ାଣ, ରଣକୌଶଳ ଟ୍ରେନିଂ ନେଉଛନ୍ତି। ଟ୍ରେନିଂ ସରିଗଲା ପରେ ସେ ସମସ୍ତ ୫ଟି ରାଫେଲ ମଧ୍ୟ ଖୁବଶୀଘ୍ର ଭାରତ ଅଭିମୁଖେ ବାହାରିବ। ଭାରତ ସରକାର ସମସ୍ତ ୩୬ଟି ରାଫେଲ ବିମାନର ଡେଲିଭରି ୨୦୨୧ ସୁଦ୍ଧା କରିବାକୁ ଫ୍ରାନ୍ସ ସରକାରକୁ କହିଛନ୍ତି। ପ୍ୟାରିସରେ ଅବସ୍ଥାପିତ ଭାରତୀୟ ଆମ୍ବାସୀ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରେସ୍ ବିବୃତି ଜାରି କରି ସୂଚନା ଦିଆଯାଇଛି।

ଆଶା କରାଯାଉଛି ଇଷ୍ଟର୍ଣ୍ଣ ଲଦାଖରେ ଚୀନ୍ ସହ ଭାରତର ଉତ୍ତେଜନା ମଧ୍ୟରେ ଆସୁଥିବା ରାଫେଲ ଭାରତର ଜୋଶକୁ ଆହୁରି ଦ୍ୱିଗୁଣିତ କରିବ। ସାମରିକ କ୍ଷେତ୍ରରେ ଚୀନ୍ ସହ ଏହା କଡ଼ା ଟକ୍କର ଦେବାରେ ସହଯୋଗ କରିବ ଏବଂ ସେନାର ଶକ୍ତି ବୃଦ୍ଧି କରିବ। ଏହାସହ ବାୟୁବୀରଙ୍କୁ ବ୍ରହ୍ମାସ୍ତ୍ର ମିଳିବା ସହ ସମାନ ବୋଲି କୁହାଯାଇପାରେ। ସୂଚନା ଥାଉ କି ଗତବର୍ଷ ଅକ୍ଟୋବର ମାସରେ ଭାରତକୁ ପ୍ରଥମ ରାଫେଲ ପ୍ରଦାନ କରିଥିଲା ଫ୍ରାନ୍ସ। ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଏହା ଭାରତୀୟ ବାୟୁ ସେନାକୁ ହସ୍ତାନ୍ତର କରାଯାଇଥିଲା।

ସେପଟେ ଭାରତୀୟ ବାୟୁ ସେନା ପାଇଲଟଙ୍କ ସହ ଆଲୋଚନା ବେଳେ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅସରଫ ଜାଣିବାକୁ ପାଇଛନ୍ତି ଯେ, ରାଫେଲ ହେଉଛି ଏକ ଘାତର ଏୟାର କ୍ରାଫ୍ଟ, ଏହାର ବହୁବିଧ ବୈଶିଷ୍ଟତା ବାୟୁ ସେନାର ଶକ୍ତିକୁ ଅଧିକ ସଶକ୍ତ କରିବ। ରାଫେଲ ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଆଭିଏସନ ମଧ୍ୟ ଏହି ଅବସରରେ ଭାରତୀୟ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଠିକ୍ ସମୟରେ ବିମାନ ହସ୍ତାନ୍ତର କରିବାରୁ ଫ୍ରାନ୍ସର ଏହି କମ୍ପାନୀ ଓ ପାଇଲଟଙ୍କୁ ଟ୍ରେନିଂ ଦେଇଥିବା ଫ୍ରାନ୍ସ ସେନାକୁ ଭାରତ ପକ୍ଷରୁ କୃତଜ୍ଞତା ମଧ୍ୟ ପ୍ରଦାନ କରାଯାଇଛି। ଭାରତୀୟ ବାୟୁ ସେନାକୁ ଫ୍ରାନ୍ସ ସରକାର ଏବଂ ତାଙ୍କ ସେନା ସବୁବେଳେ ଆବଶ୍ୟକୀୟ ସାମରିକ ସହଯୋଗ ପ୍ରଦାନ କରିବ ବୋଲି ଭାରତକୁ ପ୍ରତିଶ୍ରୁତି ମିଳିଛି।

ଏସବୁ ମଧ୍ୟରେ ଏକ ବଡ଼ ଖବର ଆସି ପହଞ୍ଚିଛି ଯେ, ଭାରତ ଆସିବା ପରେ ରାଫେଲକୁ ଲଦାଖ ପଠାଯିବ। ଏଲଏସିର ଉତ୍ତେଜନା ପରିସ୍ଥିତି ଉପରେ ନଜର ରଖିଥିବା ଉଭୟ ସ୍ଥଳସେନା ଓ ବାୟୁସେନାର ଅପରେସନରେ ଏହା ସହାୟକ ହେବ। ରାଫେଲର ଅନେକ ବୈଷିଷ୍ଟତା ମଧ୍ୟରେ ସବୁଠାରୁ ବଡ଼ ଉପଲବ୍ଧି ହେଉଛି ଯେ, ଏହା ବିପୁଳ ପରିମାଣର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ଏୟାର-ଟୁ-ଏୟାର ମିସାଇଲ ଏବଂ ସ୍କାଲ୍ପ କ୍ରୁସ୍ ମିସାଇଲ ବହନ କରିବାର ମଧ୍ୟ କ୍ଷମତା ରଖୁଛି ରାଫେଲ। ମିସାଇଲ ସିଷ୍ଟମ ସହ ରାଫେଲ ଜେଟ୍ସ ଭାରତୀୟ ବାୟୁ ସେନାର ଆବଶ୍ୟକତା ଅନୁସାରେ ମଡିଫିକେସନ ବା ମଡେଲକୁ ବଦଳା ଯାଇଛି। ଏଥିରେ ଇସ୍ରାଏଲ ହେଲମେଟ୍ ମାଉଣ୍ଟେଡ୍ ଡିସପ୍ଲେ, ରାଡାର ୱାର୍ଣ୍ଣିଂ ରିସିଭର୍ସ, ଲୋ ବ୍ୟାଣ୍ଡ ଜାମର, ୧୦ ଘଣ୍ଟାର ବିମାନ ଉଡ଼ାଣର ରେକର୍ଡ, ଇନଫ୍ରା-ରେଡ୍ ସର୍ଚ୍ଚ ସହ ଟ୍ରାକିଂର ସମସ୍ତ ଅତ୍ୟାଧୁନିକ ଫେସଲିଟିର ବ୍ୟବସ୍ଥା ରହିଛି।

ସୂଚନା ଥାଉକି, ଭାରତକୁ ଆସିବାକୁ ଥିବା ୩୬ଟି ରାଫେଲ ଲଢୁଆ ବିମାନ ମଧ୍ୟରୁ ୩୦ଟି ଅପରେସନ ଏବଂ ୬ଟି ଟ୍ରେନିଂ ପାଇଁ ରହିବ। ରାଫେଲ ବିମାନ ଗୁଡ଼ିକର ମେଣ୍ଟେନାନ୍ସ, ସେଲ୍ଟର, ହ୍ୟାଙ୍ଗର ଆଦି ବାବଦକୁ ଖର୍ଚ୍ଚ ୪ଶହ କୋଟି ଖର୍ଚ୍ଚ କରିବ ଭାରତୀୟ ବାୟୁ ସେନା। ଟ୍ରେନିଂ ପାଇଁ ବ୍ୟବହାର ହେବାକୁ ଥିବା ୬ଟି ରାଫେଲ ୨ଟିକିଆ ସିଟ୍ ବିଶିଷ୍ଟ ରହିବ। ଏହା ଫାଇଟର ଜେଟ୍ ସହ ସମାନ ବୈଶିଷ୍ଟ୍ୟ ରଖୁଥିବାରୁ ଆବଶ୍ୟକ ସ୍ଥଳେ ଏହାକୁ ମଧ୍ୟ ଅପରେସନରେ ବ୍ୟବହାର କରିହେବ।

୨୦୦୭ ମସିହାରେ କଂଗ୍ରେସ ସରକାର ଅମଳରେ ୧୨୬ଟି ମିଡିୟମ ମଲ୍ଟି ରୋଲ କମ୍ବାକ୍ଟ ଏୟାରକ୍ରାଫ୍ଟ କିଣିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନୀ ଏହି ଡିଲ୍ ପାଇଁ ଭାରତୀୟ ସେନାର ପ୍ରସ୍ତାବକୁ ମଞ୍ଜୁର କରିଥିଲେ।

୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍ ଗସ୍ତ କରିଥିଲେ। ସେହି ସମୟରେ ଭାରତ-ଫ୍ରାନ୍ସ ମଧ୍ୟରେ ୩୬ଟି ଲଢୁଆ ବିମାନ ରାଫେଲ ଡିଲ୍ ନେଇ ଆଲୋଚନା ହୋଇଥିଲା। ୨୦୧୬ ମସିହାରେ ଭାରତ ସରକାର ଏବଂ ଫ୍ରାନ୍ସ ସରକାରୀ ମଧ୍ୟ ୩୬ଟି ବିମାନ ପାଇଁ ୫୯ହଜାର କୋଟିର ଡିଲକୁ ନେଇ ଚୁକ୍ତି ସ୍ୱାକ୍ଷର ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: