ପୌର ନିର୍ବାଚନ: ବିଜେଡିକୁ ସାମ୍ନା କରିବା ପାଇଁ କାହିଁକି ଡରୁଛନ୍ତି ବିରୋଧୀ? ପଛଘୁଞ୍ଚା ଦେଲେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ

ପୌର ନିର୍ବାଚନ: ବିଜେଡିକୁ ସାମ୍ନା କରିବା ପାଇଁ କାହିଁକି ଡରୁଛନ୍ତି ବିରୋଧୀ? ପଛଘୁଞ୍ଚା ଦେଲେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ପଦବୀଗୁଡିକ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ଦୃଷ୍ଟିରୁ ଗ୍ରାମାଞ୍ଚଳରେ ରାଜନୈତିକ ପାଣିପାଗ ବେଶ୍‍ ସରଗରମ ରହିଛି ।

୩୦ଟି ଯାକ ଜିଲ୍ଲା ପରିଷଦ ସଭାପତି ପଦବୀ ଦଖଲ କରିବା ବିଜେଡି ପାଇଁ ନିଶ୍ଚିତ ଥିବା ପରିପ୍ରେକ୍ଷୀରେ ବିଜେପି, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏଥିପ୍ରତି ଆଉ ଧ୍ୟାନ ଦେଉନାହାନ୍ତି । ଯଦି ବିଜେଡିର କେହି ବିଦ୍ରୋହୀ ପ୍ରାର୍ଥୀ ଉଭା ହୁଅନ୍ତି, ତେବେ ବିରୋଧୀ ଦଳମାନେ ସେମାନଙ୍କୁ ସମର୍ଥନ ଦେବା ଲାଗି ପ୍ରସ୍ତୁତ ଥିବାବେଳେ ଜିଲ୍ଲା ପରିଷଦ କ୍ଷେତ୍ରରେ ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଦଳୀୟ ନିଷ୍ପତ୍ତି ବିରୋଧରେ ବିଜେଡିର କୌଣସି ଜିଲ୍ଲା ପରିଷଦ ସଦସ୍ୟ ସଭାପତି ପଦ ଲାଗି ଗଣ୍ଡଗୋଳ ସୃଷ୍ଟି କରିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ ।

ଗତ ୫ ତାରିଖରୁ ଜିଲ୍ଲା ପରିଷଦ ସଭାପତି ପଦବୀ ଲାଗି ମନୋନୟନ ପତ୍ର ଆହ୍ୱାନ କରି ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଯେଉଁ ପ୍ରାର୍ଥୀମାନେ ଏଥିଲାଗି ମନୋନୟନ ପତ୍ର ଦାଖଲ କରିଥିବେ ତାହାକୁ ବିଚାରକୁ ନେଇ ଆସନ୍ତା ୧୩ ତାରିଖରେ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର ପ୍ରଥମ ବୈଠକ ସଂପୃକ୍ତ ଜିଲ୍ଲାଗୁଡିକରେ ଅନୁଷ୍ଠିତ ହୋଇ ଆବଶ୍ୟକ ସ୍ଥଳେ ଭୋଟ ଗ୍ରହଣ କରାଯିବ ଏବଂ ୧୫ ତାରିଖ ଦିନ କେଉଁ ଜିଲ୍ଲା ପରିଷଦର କିଏ ସଭାପତି ନିର୍ବାଚିତ ହେଲେ ସେ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ୧୭ ତାରିଖରେ ଜିଲ୍ଲା ପରିଷଦ ଉପସଭାପତି ପଦବୀ ଲାଗି ମନୋନୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଆବଶ୍ୟକ ସ୍ଥଳେ ଏଥିଲାଗି ୨୫ ତାରିଖରେ ନିର୍ବାଚନ କରାଯାଇ ଚଳିତମାସ ୨୮ ତାରିଖରେ ନିର୍ବାଚିତ ଉପସଭାପତିମାନଙ୍କ ନାମ ଘୋଷଣା କରାଯିବ ।

ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ମନୋନୟନ ପତ୍ର ଆହ୍ୱାନ କରି ଗତ ୪ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଛୁଟି ଦିନ ଥିଲେ ମଧ୍ୟ ଚଳିତମାସ ୧୨ ତାରିଖରେ ୩୧୪ଟି ଯାକ ବ୍ଲକ୍‍ରେ ପଞ୍ଚାୟତ ସମିତିର ପ୍ରଥମ ବୈଠକ କରାଯାଇ ଆବଶ୍ୟକ ସ୍ଥଳେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ଏବଂ ଏହାର ଫଳାଫଳ ଆସନ୍ତା ରବିବାର ଅର୍ଥାତ୍‍ ୧୩ ତାରିଖରେ ପ୍ରକାଶ ପାଇବ । ଏହାପରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୩ ତାରିଖରେ ନିର୍ବାଚନ କରାଯିବ ।

ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନରେ ସମିତି ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ । ସମିତି ସଦସ୍ୟ ପାଇଁ ନିର୍ବାଚନ ନିର୍ଦ୍ଦଳୀୟ ଭିତ୍ତିରେ କରାଯାଇଥିଲେ ମଧ୍ୟ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରୁ କିଏ କେଉଁ ଦଳର ସମର୍ଥିତ ଓ ଆଉ କିଏ ବିଦ୍ରୋହୀ ତାହା ଜଣାଶୁଣା । ଏ ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ନିର୍ବାଚନରେ ବିରୋଧୀ ଦଳମାନେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ କିଛି ପଞ୍ଚାୟତ ସମିତି କୌଣସି ପ୍ରକାର ଦଖଲ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଥିପାଇଁ ନିର୍ବାଚନ ପରଠାରୁ ଅନେକ ସମିତି ସଦସ୍ୟ ଘରଦ୍ୱାର ଛାଡି ଗୁପ୍ତ ସ୍ଥାନରେ ଡେରା ମାରିଛନ୍ତି ।

୩୧୪ଟି ବ୍ଲକ୍‍ ମଧ୍ୟରୁ ବିଜେଡି ପାଖାପାଖି ୩୦୦ଟିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇବ ବୋଲି ଦଳର ନେତାମାନେ ଆଶା ପ୍ରକାଶ କରୁଥିବା ବେଳେ କଂଗ୍ରେସ ଓ ବିଜେପି ସମର୍ଥିତ ସମିତି ସଦସ୍ୟମାନେ ବିଜେଡି ବିଦ୍ରୋହୀଙ୍କ ଉପରେ ଭରସା କରି କିଛି ସଂଖ୍ୟକ ସମିତି ଅଧ୍ୟକ୍ଷ ପଦବୀ ହାତେଇବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ । ତେବେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସବୁ ଦଳ ଏବେ ବିଶେଷ ତତ୍ପର ଥିବା ପରିପ୍ରେକ୍ଷୀରେ ହିସାବ ଗଣ୍ଡଗୋଳ ଥିବା କେତେ ସଂଖ୍ୟକ ପଞ୍ଚାୟତ ସମିତି କିଏ ଦଖଲ କରିବ ସେଥିଘେନି କେହି କିଛି ସ୍ପଷ୍ଟ ଚିତ୍ର ଦେଉନାହାନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: