ଦୁନିଆର ସବୁଠୁ ଦାମୀ ଫ୍ରେଞ୍ଚ ଫ୍ରାଇ, ଗୋଟିଏ ପ୍ଲେଟ୍ ଖାଇବା ପାଇଁ ଦେବାକୁ ପଡ଼ିବ ୧୫ହଜାର ଟଙ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଳୁରେ ପ୍ରସ୍ତୁତ ଚଟପଟା କ୍ରଞ୍ଚି ଫ୍ରେଞ୍ଚ ଫ୍ରାଇ ଦେଖିଲେ କାହାର ବି ପାଟିରୁ ନାଳ ଗଡିବ। ଛୋଟ ଛୋଟ କଫେରୁ ଆରମ୍ଭ କରି ବଡ଼ ବଡ ରେଷ୍ଟୁରାଣ୍ଟରେ ଫ୍ରେଞ୍ଚ ଫ୍ରାଇ ମିଳିଥାଏ। ତେବେ ଫ୍ରେଞ୍ଚ ଫ୍ରାଇ ପ୍ରତି ଲୋକଙ୍କ ବଢୁଥିବା ଆଗ୍ରହ ଦେଖି ଆମେରିକାର ଏକ ରେଷ୍ଟୁରାଣ୍ଟ ଦୁନିଆର ସବୁଠାରୁ ମହଙ୍ଗା ଫ୍ରେଞ୍ଚ୍ ଫ୍ରାଇ ତିଆରି କରିବା ସହ ସେଥି ପାଇଁ ବିଶ୍ୱ ରେକର୍ଡ ହାତେଇଚ୍ଛି। ଏହାର ଗୋଟିଏ ପ୍ଲେଟ ଖାଇବାକୁ ଦୁଇ ଶହ କି ଚାରି ଶହ ନୁହେଁ ବରଂ ୧୫୦୦୦ ଟଙ୍କା ଦେବାକୁ ପଡିଥାଏ। ନ୍ୟୁୟର୍କର ମ୍ୟାନହଟନରେ ଅବସ୍ଥିତ Serendipty3 ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟରେ ଏହି ଦାମୀ ଫ୍ରେଞ୍ଚ ଫ୍ରାଇ ପ୍ରସ୍ତୁତ କରାଯାଇଥିଲା। ଏହାର ନାମ ଅଲ୍ଟିମେଟ୍ ଚିଜ୍ ଫ୍ରେଞ୍ଚ୍ ଫ୍ରାଇ – କ୍ରିମ୍ ଦେ ଲା କ୍ରାଇମ୍ ପୋମ୍ ଫ୍ରାଇଟ୍ସ। ରେଷ୍ଟୁରାଣ୍ଟର କ୍ରିଏଟିଭ୍ ରୋଷେୟା ଜୋ କାଲଡେରନ୍ ଏବଂ କର୍ପୋରେଟ୍ କାର୍ଯ୍ୟନିର୍ବାହୀ ରୋଷେୟା ଫ୍ରେଡେରିକ୍ ସ୍କିନ୍ କିଭର୍ଟଙ୍କ ଦ୍ଵାରା ଏହି ଫ୍ରେଞ୍ଚ୍ ଫ୍ରାଇ ପ୍ରସ୍ତୁତ କରାଯାଇଥିଲା।
ଏହାକୁ ତିଆରି କରିବା ପାଇଁ ଅପଷ୍ଟେଟ୍ ଚିପରବେକ୍ ଆଳୁ, ଡୋମ୍ ପେରିଗନ୍ ଶାମ୍ପେନ୍, ଅରବାନୀ ସମର ଟ୍ରଫଲ୍ ତେଲ ଏବଂ ୨୩ କ୍ୟାରେଟ୍ ଖାଇବା ସୁନା ଡଷ୍ଟ ଏଥିରେ ବ୍ୟବହାର କରାଯାଇଛି। ଏହି ବିଳାସପୂର୍ଣ୍ଣ ଫ୍ରେଞ୍ଚ ଫ୍ରାଇ ଦାମୀ କ୍ରିଷ୍ଟଲ ପ୍ଲେଟରେ ପରିବେଷଣ କରାଯାଏ। ଏହାସହ ମ୍ୟାଚିଂ ବାଉଲରେ ମର୍ନେ ସସ୍ ସହିତ ପରଷା ଯାଏ। ସମସ୍ତଙ୍କ ପ୍ରିୟ ଏହି ଦାମୀ ଡିସ୍ ଚଳିତ ମାସରେ ଅର୍ଥାତ୍ ଜୁଲାଇରେ ପ୍ରସ୍ତୁତ କରାଯାଇଛି। ଫ୍ରେଞ୍ଚ ଫ୍ରାଇ ପୂର୍ବରୁ ମଧ୍ୟ ଏହି ରେଷ୍ଟୁରାଣ୍ଟ ସବୁଠାରୁ ମହଙ୍ଗା ମିଲକ୍ ସେକ୍, ସବୁଠାରୁ ମହଙ୍ଗା ସାଣ୍ଡୱିଚ୍ ଏବଂ ସବୁଠାରୁ ମହଙ୍ଗା ମିଠା ତିଆରି କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ତେବେ ଏହି ଦାମୀ ଫ୍ରେଞ୍ଚ୍ ଫ୍ରାଇ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ଏବେ ସାମିଲ ହୋଇଛି।

Leave a Reply

Your email address will not be published. Required fields are marked *