ସରକାର ହାତରେ କୋରୋନା ରିମୋର୍ଟ: ମୃତ୍ୟୁ କମୁନି, ଟେଷ୍ଟ କମାଇ କିଆଁ ବାହାବା ?

ସରକାର ହାତରେ କୋରୋନା ରିମୋର୍ଟ: ମୃତ୍ୟୁ କମୁନି, ଟେଷ୍ଟ କମାଇ କିଆଁ ବାହାବା ?

ପ୍ରିଜମ୍ ନ୍ୟୁଜ (ସମ୍ପାଦକୀୟ): ଗତ ୫୮ ଦିନରେ ଦେଶରେ ଦୈନିକ ସଂକ୍ରମଣ ସର୍ବନିମ୍ନସ୍ତରକୁ ଖସି ୧.୨ ଲକ୍ଷରେ ପହଞ୍ଚିବା ବେଳେ ପୂର୍ବଦିନ ଅପେକ୍ଷା ୭୭୦ରୁ ଅଧିକ ମୃତ୍ୟୁ ଘଟି ଦୈନିକ ମୃତକଙ୍କ ସଂଖ୍ୟା ପୁଣି ତିନି ହଜାର ଟପିଯିବା ଚିନ୍ତାର କାରଣ ସାଜିଛି। ଗତ ୨୪ ଘଣ୍ଟାରେ ଦେଶରେ ପଜିଟିଭିଟି ହାର ୫.୭୮ ପ୍ରତିଶତ ଖସିବା ଆଶ୍ୱସ୍ତିର କାରଣ ପାଲଟିଛି। ସେହିପରି ଆରୋଗ୍ୟ ହାର ମଧ୍ୟ ୯୩.୩୮ ପ୍ରତିଶତରେ ପହଞ୍ଚିଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏ ସଂକ୍ରମଣ ବଢ଼ିବା ଓ କମିବା ପଛର ଖେଳ କ’ଣ ପାଇଁ ? ନିକଟରେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭାରତ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ନେଇ ଖବର ପ୍ରକାଶ ପାଇଥିଲା। ଗୁଜରାଟର ଏକ ଖବରକାଗଜ କରିଥିବା ଅନୁସନ୍ଧାନମୂଳକ ଖବରରୁ ମଧ୍ୟ ଏହି ସତର ପର୍ଦ୍ଦାଫାସ ହୋଇଥିଲା। ପାଖାପାଖି ସରକାର ୯ରୁ ୧୨ ଗୁଣା ମୃତ୍ୟୁ ସଂଖ୍ୟା ଲୁଚାଇ ଦେଉଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା।
ଆମେରିକାରେ ଲୋକେ ମାସ୍କ ଆଉ ପିନ୍ଧୁ ନାହାନ୍ତି। ମାସ୍କ ଫ୍ରି କଣ୍ଟ୍ରି ଭାବେ ସେଠାକାର ସରକାର ପାଖାପାଖି ଏକ ମାସରୁ ଅଧିକ ହେବ ଘୋଷଣା କରି ସାରିଲେଣି। କିନ୍ତୁ, ଆମ ଏଠି ଡବଲ ମାସ୍କ ପିନ୍ଧିବାକୁ ପଡ଼ୁଛି। ଆଗକୁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ କହୁଛନ୍ତି। ଏଥିପାଇଁ ସରକାର କେତେ ପ୍ରସ୍ତୁତ ହୋଇଛନ୍ତି ? ଜାତୀୟସ୍ତରରେ କେନ୍ଦ୍ର ସରକାର କମିଟି ଗଠନ କରିଛନ୍ତି କି ? ଆଉ ଯଦି କରିଛନ୍ତି, ତେବେ ଏହି କମିଟିରେ କେଉଁମାନେ ଅଛନ୍ତି ? ତୃତୀୟ ଲହର ଆସିଲେ ବିଶେଷ କରି ୧୮ ବର୍ଷରୁ କମ୍ ପିଲା ସଂକ୍ରମିତ ହେବାର ଆଶଙ୍କା ରହିଛି। ତେବେ ଶିଶୁଙ୍କୁ ସଂକ୍ରମଣରୁ ବଞ୍ଚାଇବାକୁ ସରକାର କି ପଦକ୍ଷେପ ନେଇଛନ୍ତି ବା ନେଉଛନ୍ତି ? ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ଲୋକମାନଙ୍କ ମୃତ୍ୟୁ ଘଟିଛି। ଯେଉଁ ଦେଶର ସରକାର ଅକ୍ସିଜେନ ସଙ୍କଟ ପୂରଣ କରି ପାରୁନାହାନ୍ତି, ସେହି ଦେଶର ମୁଖିଆ ଲୋକଙ୍କ ଜୀବନ ବଞ୍ଚାଇବେ କେମିତି ? ଆତ୍ମନିର୍ଭରଶୀଳ ଭାରତର ଆଖ୍ୟା ପାଇଥିବା ଆମ ଦେଶ ଓ ଦେଶର ମୁଖିଆ ଆଜି ବିଶ୍ୱସ୍ତରରେ ବଦନାମ୍ ହୋଇଛନ୍ତି। କୋରୋନା ପରିଚାଳନାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ମୋଦି ସରକାର ତୃତୀୟ ଲହରକୁ ସାମ୍ନା କରିବେ କେମିତି ? ନା ଶିଶୁଙ୍କ ସଂଖ୍ୟାଧିକ ମୃତ୍ୟୁ ପରେ ପୁଣି ଥରେ ଟେଷ୍ଟିଂ କମାଇ ପଜିଟିଭିଟି ହାର ହ୍ରାସ କରିବେ ଏବଂ କୋରୋନା ବିରୋଧରେ ବିଜୟୀର ନାରା ବଜାଇବେ ?


ଗତବର୍ଷ ଯେତେବେଳେ ଭାରତରେ କୋରୋନା ହୋଇଥିଲା, ସରକାର ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କେତେକାଂଶରେ ସଫଳ ମଧ୍ୟ ହୋଇଥିଲେ। କିନ୍ତୁ ଦୂରଦୃଷ୍ଟି ଅଭାବ ହେଉ ଅବା ଜାଣିଶୁଣି ହେଉ, ଦ୍ୱିତୀୟ ଲହର ଆସିଲା। ଆଉ ଲୋକଙ୍କ ଜୀବନ ବି ଗଲା, ଯାଉଛି। ନିର୍ବାଚନ ରାଲି, କୁମ୍ଭମେଳା ଭଳି ବହୁ ଜନ ବିଶିଷ୍ଟ କାର୍ଯ୍ୟକ୍ରମମାନ କରି ସରକାର ଦେଶରେ ସଂକ୍ରମଣ ବଢ଼ାଇଲେ। ଗ୍ରାମ ବହୁଳ ରାଷ୍ଟ୍ରରେ ଗାଁଗୁଡ଼ିକରେ ସଂକ୍ରମଣ ହେବା ସ୍ୱାଭାବିକ ବୋଲି ସରକାର କ’ଣ ଆଗରୁ ଜାଣି ନ ଥିଲେ ? ସେହିପରି ଯେତେବେଳେ ଦେଶରେ ଟିକାର ଆବଶ୍ୟକ ରହିଛି, ସେତେବେଳେ ଟିକା ନାହିଁ। କୂଟନୈତିକସ୍ତରରେ ପ୍ରଶଂସା ସାଉଁଟିବା ପାଇଁ ନିଜ ଦେଶରୁ ଅନ୍ୟ ଦେଶକୁ ଟିକା ପଠାଇବା କେତେଦୂର ଯୁକ୍ତିଯୁକ୍ତ ? ଯଦି ବି ପଠାଇଲ, ତେବେ ନିଜ ଦେଶର ଲୋକମାନଙ୍କୁ କାହିଁକି ଟିକା ମିଳୁନି ?
ବାସ୍ତବରେ ସରକାର ତୁମେ ଖୁବ ମହାନ୍। ରାଜନୀତିର ପଶାପାଲିରେ ଶବର ଗୋଟି ବିଛାଇ ପାୱାର ଓ ପଲିଟିକ୍ସର ବ୍ଲେମ୍ ଗେମ୍ ଖେଳୁଥିବା ସରକାର ଥରୁଟେ ଆତ୍ମସମୀକ୍ଷା କରନ୍ତୁ। ଟେଷ୍ଟ କମାଇ ପଜିଟିଭିଟି ହାର ହ୍ରାସ କରାଇବାର ଖୁସି ମନାଉଥିବା ସରକାର ଥରେ ମୃତ୍ୟୁ ହାର ମଧ୍ୟ କମାନ୍ତୁ ଏବଂ ଦୟା କରି ତୃତୀୟ ଲହରରୁ ଦେଶବାସୀଙ୍କୁ ମୁକ୍ତି ଦିଅନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: