‘ଶଲା ବୁଢ଼ା’ର ‘ଅଟଳ’ ମଣିଷ ଓ କୋଶଲୀ ଭାଷାର ଆଦି ନାଟ୍ୟକାର

‘ଶଲା ବୁଢ଼ା’ର ‘ଅଟଳ’ ମଣିଷ ଓ କୋଶଲୀ ଭାଷାର ଆଦି ନାଟ୍ୟକାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଶଳୀ ଭାଷାରେ ନିର୍ମିତ ସବ୍ୟସାଚୀ ମହାପାତ୍ରଙ୍କ ତିନିଟି ସିନେମା ‘ଶଲାବୁଢା’, ‘ଆଦିମ ବିଚାର’ ଓ ‘ଶଲାବୁଢାର ବଦଲା’। ଏହି ତିନିଟି ସିନେମାକୁ ଜାତୀୟସ୍ତରରେ ପୁରସ୍କୃତ କରିଥିବା କ୍ରାନ୍ତିପୁରୁଷ ହେଉଛନ୍ତି ଅଟଳ ବିହାରୀ ପଣ୍ଡା। ଅଶୀ ବର୍ଷ ବୟସରେ କ୍ୟାମେରା ସାମ୍ନାରେ ନିଚ୍ଛକ ଓ ଜୀବନ୍ତ ଅଭିନୟ କରିଥିବା ଅଟଳ ବିହାରୀ ପଣ୍ଡା ଥିଲେ ଖାଣ୍ଟି ନାଟୁଆ। ସେ କୋଶଲୀ ଭାଷାର ଆଦି ନାଟ୍ୟକାର। କୋଶଲୀ ଭାଷାର ପ୍ରଥମ ଔପନ୍ୟାସିକ। ତାଙ୍କର କୋଶଲୀ ଭାଷାରେ ଲିଖିତ ଉପନ୍ୟାସ ‘ଦେବୀ’। ନିଜ ଆତ୍ମଜୀବନୀକୁ ସେ ଏହି ଉପନ୍ୟାସରେ ଏକ ଅଲଗା ଠାଣିରେ ଲେଖିଛନ୍ତି। ତେବେ କେବଳ କୋଶଲୀ ଭାଷା ନୁହେଁ, ଉଭୟ କୋଶଲୀ ଓ ଓଡ଼ିଆ ଭାଷାରେ ସେ ପଚାଶରୁ ଅଧିକ ନାଟକ ଲେଖିଛନ୍ତି। ତାଙ୍କ ବିଷୟରେ ଆହୁରି ଚର୍ଚ୍ଚା କରିବା।


ସବ୍ୟସାଚୀ ମହାପାତ୍ର ନିଜ ସିନେମାରେ ସବୁବେଳେ ଭିନ୍ନ ଢଙ୍ଗ ଓ ଶୈଳୀରେ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। ଶଲା ବୁଢ଼ା ଓ ଅନ୍ୟ ଦୁଇଟି ସିନେମା ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଚରିତ୍ର କୈନ୍ଦ୍ରୀକ ସିନେମା। ଆଉ ତିନିଟି ଯାକ ସିନେମାରେ ଅଟଳ ବିହାରୀ ପଣ୍ଡା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଜଣେ ସରଳ ଓ ନିଚ୍ଛକ ମଣିଷ ଭାବେ ସେ ନିଜ ରିୟଲ ଲାଇଫରେ ଯେତିକି ପ୍ରସିଦ୍ଧ, ଜଣେ ସଫଳ ନାଟ୍ୟକାର ଓ ଅଭିନେତା ଭାବେ ରିଲ୍ ଲାଇଫରେ ସେତିକି ଜଣାଶୁଣା। ସାମୁଏଲ ସାହୁଙ୍କ ନିର୍ଦ୍ଦେଶିତ ଓ ସ୍ୱୟଂ ଲିଖିତ ନାଟକ ‘ମଣି ସଂହାର’ ପାଇଁ ତାଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବ ଖୁବ ପ୍ରଶଂସା କରିଥିଲେ। ଏହାସହ ତାଙ୍କୁ ଛଅଟି ନାଟକ ଲେଖିବାକୁ ମଧ୍ୟ କହିଥିଲେ। ପରବର୍ତ୍ତୀ ସମୟରେ ଏହି ନାଟକ ଗୁଡ଼ିକ ବିଶ୍ୱଜନନୀ ଗଣନାଟ୍ୟରେ ମଞ୍ଚସ୍ଥ ହୋଇଥିଲା। ତାଙ୍କ ରଚିତ ନାଟକ ‘ବାଘ ମାତିଛି’ ସେ ସମୟରେ ବେଶ୍ ଚର୍ଚ୍ଚିତ ଥିଲା।

ବୃତ୍ତିରେ ସେ ଥିଲେ ଉଚ୍ଚପଦସ୍ଥ କର୍ମଚାରୀ, ଆଚରଣରେ ସେ ନ୍ୟଷ୍ଟିକ ବ୍ରାହ୍ମଣ ଏବଂ ଅଭିନୟରେ କଞ୍ଚା ଦେଶୀ ଆଦିବାସୀ। ନିଜର ଅଭିନୟର ପରକାଷ୍ଠା ସେ ସିନେମାରେ ଯେତିକି ଦେଖାଇଥିଲେ, ଜଣେ ସଫଳ ନାଟୁଆ ଭାବେ ମଧ୍ୟ ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଜଣାଶୁଣା ଥିଲେ। ୧୯୯୩ରେ ସୋନପୁର ନୂଆ ଜିଲ୍ଲା ହେଲାପରେ ଅଟଳ ପଣ୍ଡା ବିନିକା ଓ ସୋନପୁରରେ ଆରମ୍ଭ କରିଥିଲେ ତାଙ୍କ ନାଟୁଆ ଜୀବନର ସବୁଠୁ ପ୍ରଭାବଶାଳୀ ଅଧ୍ୟାୟ। ନାଟକ ଓ ସିନେମା, ଏ ଦୁଇଟି ଯାକ କ୍ଷେତ୍ରରେ ସେ ସୋନପୁରରେ ରହି ହିଁ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ଓଡ଼ିଆ ସିନେମା ଇତିହାସରେ ସେ ଏକ ବିସ୍ମୟ ପ୍ରତିଭା। ଲେଖକ ଓ ଗୀତିକାର ଭାବେ ସେ ଗୋଟେ ଭିନ୍ନ ଧାରାର କଥକ। ଆଉ ମଣିଷ ଭାବରେ ସେ ଦେଶୀ ଘିଅରେ ତିଆରି ମଣିଷଟିଏ। ସୋନପୁର ମାଟି ତ ତାଙ୍କୁ ଚିରକାଳ ପାଇଁ କୋଳରେ ଧରି ରଖିଛି। ଓଡ଼ିଶା ଇତିହାସରେ ମଧ୍ୟ ସେ ସର୍ବଦା ଶଲା ବୁଢ଼ା ଭାବେ ପରିଚିତ ହୋଇ ରହିଥିବେ । ଆଉ ଅଭିନୟ ଆକାଶରେ ଜଣେ ସଫଳ ଓ ଦେଶୀ ନାଟୁଆ ଭାବେ ଅହରହ ଦବଦବ କରୁଥିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: