ପଶ୍ଚିମ ଓଡ଼ିଶାର ବିଜେପି ସାଂସଦ ପ୍ରଭାବଶୂନ୍ୟ ନା ମନ୍ତ୍ରୀ ହେବାକୁ ଅସମର୍ଥ?

୨୦୧୯ରେ ଓଡ଼ିଶାରେ ସୁରେଶ ପୂଜାରୀଙ୍କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଭାରତୀୟ ଜନତା ପାର୍ଟିର ଜାତୀୟ ସମ୍ପାଦକ ଦାୟିତ୍ୱ ତୁଲାଇ ଜାତୀୟ ରାଜନୀତିରେ ଅନେକ ଗୁରୁ ଦାୟିତ୍ୱ ସୁରେଶଙ୍କୁ ଦିଆଯାଇଥିଲା। ଏହି ଆଳରେ ୨୦୧୯ ନିର୍ବାଚନରେ ଦଳ ତାଙ୍କ ଉପରେ ଭରସା କରି ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ।

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ପୂର୍ବରୁ ଯାହା ଆଶା କରାଯାଉଥିଲା, ସେଇଆ ହିଁ ହେଲା। ବାହାର ଦଳରୁ ବିଜେପିରେ ସାମିଲ ହୋଇଥିବା ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି। ତେବେ ଓଡ଼ିଶାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଜଣ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ବିଜେପି ଓ ବିଜେଡିର ସମର୍ଥିତ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ଏବଂ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ। ଅଶ୍ୱିନୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିବାବେଳେ ବିଶେଶ୍ୱର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେଣେ, ୨୦୧୯ରେ ବିଜେପିର ସାଧୁ ନେତା ତଥା ସାରା ଦେଶରେ ଚର୍ଚ୍ଚିତ ଚେହେରା ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରି ଦିଆଯାଇଛି। ତେବେ ତାଙ୍କୁ କାହିଁକି ବାହାର କରାଗଲା, ତାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋରଦାର ହେଉଥିବାବେଳେ ପଶ୍ଚିମ ଓଡ଼ିଶାରୁ କାହାକୁ ବି ମନ୍ତ୍ରିମଣ୍ଡଳରେ ସ୍ଥାନ ନ ଦେବା ଅଧିକ ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ବିଜେପି ନେତାମାନେ ଅକ୍ଳାନ୍ତ ପରିଶ୍ରମ କରି ଦଳ ପାଇଁ ସଫଳତା ଆଣିଥିବାବେଳେ ଠିକ୍ ସମୟରେ ସେମାନଙ୍କୁ ପରିଶ୍ରମର ମୂଲ୍ୟ ନ ମିଳିବା ଯୋଗୁ କେତେକ ଅସନ୍ତୁଷ୍ଟ ଥିବା ସୂତ୍ରରୁ ଜଣାପଡ଼ିଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇ ବି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ କେତେକ ନେତା ନିରାଶ ଭାବେ ସମର୍ଥନ କରିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ସବୁ ଲୋକସଭା ଆସନ ବିଜେପି ଖାତାକୁ ଯାଇଥିଲା। ସେଥିପାଇଁ ପଶ୍ଚିମ ଓଡ଼ିଶାର ବିଧାନସଭା ଆସନରେ ବି ବିଜେପି ଭଲ ପ୍ରଦର୍ଶନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ପ୍ରଚାର ଏବଂ କେନ୍ଦ୍ରୀୟ ନେତାଙ୍କ ଛାଉଣୀ ଫଳରେ ବିଜେପିର ଏକ ପ୍ରକାର ଦବଦବା ଥିଲା। ସେତେବେଳେ ଓଡ଼ିଶାରେ ସୁରେଶ ପୂଜାରୀଙ୍କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଭାରତୀୟ ଜନତା ପାର୍ଟିର ଜାତୀୟ ସମ୍ପାଦକ ଦାୟିତ୍ୱ ତୁଲାଇ ଜାତୀୟ ରାଜନୀତିରେ ଅନେକ ଗୁରୁ ଦାୟିତ୍ୱ ସୁରେଶଙ୍କୁ ଦିଆଯାଇଥିଲା। ଏହି ଆଳରେ ୨୦୧୯ ନିର୍ବାଚନରେ ଦଳ ତାଙ୍କ ଉପରେ ଭରସା କରି ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ। ସେହିପରି ସମ୍ୱଲପୁରରୁ ନୀତେଶ ଗଙ୍ଗଦେବ ଯୁବ ଚେହେରା ଭାବେ ଦଳର ଭରସାକୁ ପ୍ରମାଣିତ କରିଥିଲେ। କଳାହାଣ୍ଡି ଲୋକସଭା ଆସନରୁ ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବଲାଙ୍ଗିର ଲୋକସଭା ଆସନରୁ ସଙ୍ଗୀତା କୁମାରୀ ସିଂହଦେଓ ବିଜୟୀ ହୋଇଥିଲେ। ଅଭିଜ୍ଞତା ଓ ବରିଷ୍ଠ ଦୃଷ୍ଟିରୁ ସୁରେଶ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇ ପାରିଥାନ୍ତା। ଲୋକସଭାରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ, ପଶ୍ଚିମ ଓଡ଼ିଶାର ଅନେକ ପ୍ରସଙ୍ଗ ସେ ଉଠାଇଛନ୍ତି। ତେଣୁ, ତାଙ୍କୁ ମନ୍ତ୍ରୀ କରାଯାଇଥିଲେ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହୋଇଥାନ୍ତେ। ସେହିପରି ନୀତେଶ ଗଙ୍ଗଦେବ ଜଣେ ଯୁବ ନେତା। ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥାନ୍ତା, ତାକୁ ସେ ତୁଲାଇଥାନ୍ତେ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଯଦି କ୍ୟାବିନେଟ୍ ମନ୍ତ୍ରୀ କରାଯାଇ ପାରୁଛି, ତେବେ ନୀତେଶ ଗଙ୍ଗଦେବଙ୍କୁ କାହିଁକି ନୁହେଁ ? ଅନ୍ୟପଟେ ନୀତେଶଙ୍କୁ ଯଦି ବିଜେପି କେନ୍ଦ୍ର ମନ୍ତ୍ରୀ କରିଥାନ୍ତା, ତେବେ ଓଡ଼ିଶାରେ ବିଜେପିର ସ୍ଥିତି ବୃଦ୍ଧିରେ କିଛିଟା ଉନ୍ନତି ହୋଇଥାନ୍ତା। ସେହିପରି ରାଜ ପରିବାର ବୋହୂ ହିସାବରେ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପାଠୁଆ ଜ୍ଞାନ ଓ ରାଜନୈତିକ ଜ୍ଞାନ ଉଭୟ ଭଲ। ଲୋକସଭାରେ ବି ସେ ଅନେକ ଥର ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ତେଣୁ, ତାଙ୍କୁ ମଧ୍ୟ ଦଳ କେନ୍ଦ୍ର ମନ୍ତ୍ରୀ କରି ପାରିଥାନ୍ତା।

ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅଛି। ତେଣୁ, ପଶ୍ଚିମ ଓଡ଼ିଶାରୁ ଜଣେ ବି ସାଂସଦଙ୍କୁ ବିଜେପି ଯଦି ମନ୍ତ୍ରୀ କରିଥାନ୍ତା, ତେବେ ନିଶ୍ଚିତ ଭାବେ ଏହାର ପ୍ରଭାବ ପଡ଼ିଥାନ୍ତା ଏବଂ ଲୋକଙ୍କ ମନରେ ବି ଏକ ସକରାତ୍ମକ ଭାବନା ସୃଷ୍ଟି ହୋଇଥାନ୍ତା। କିନ୍ତୁ ଏହା ନ କରି ଦଳ ମୟୂରଭଞ୍ଜରୁ ବିଶେଶ୍ୱର ଟୁଡୁ ଏବଂ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ କରି ବିଜେପି ପଶ୍ଚିମ ଓଡ଼ିଶାର ନେତାମାନଙ୍କ ମନରେ ଅସନ୍ତୋଷର ନିଆଁ ଜାଳିନି ତ ! ସେମାନଙ୍କୁ ମନ୍ତ୍ରୀ ନ କରି ଦଳ କ’ଣ ପ୍ରମାଣିତ କରିବାକୁ ଚାହୁଁଛି, ପ୍ରକୃତରେ ପଶ୍ଚିମ ଓଡ଼ିଶାର ବିଜେପି ସାଂସଦମାନେ ପ୍ରଭାବଶୂନ୍ୟ ନା ମନ୍ତ୍ରୀ ହେବାକୁ ଅସମର୍ଥ ?

Leave a Reply

Your email address will not be published.