ଚାପରେ ପଡ଼ି ମାଗଣା ଟିକା ଘୋଷଣା କଲେ କେନ୍ଦ୍ର ସରକାର ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶବାସୀଙ୍କୁ ମିଳିବ ମାଗଣା କୋରୋନା ଟିକା। ଆସନ୍ତା ୨୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ଟିକା ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ୱୋଧନ କରିବା ସମୟରେ ଏହି ଘୋଷଣା କରିଛନ୍ତି। ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପ୍ରଶ୍ନ ଉଠୁଛି ଯେ, ସରକାର ଏତେଦିନ ପର୍ଯ୍ୟନ୍ତ କାହିଁକି ଏଭଳି ଘୋଷଣା କରି ନ ଥିଲେ ? ନିଜସ୍ୱ ଚିନ୍ତାଧାରାରେ ସରକାର ଏଭଳି ଘୋଷଣା କରିଛନ୍ତି ନା ଚାପରେ ପଡ଼ି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ?

କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ତେବେ ଚିଠିରେ ମୁଖ୍ୟ ପ୍ରସଙ୍ଗ ଥିଲା, ଟିକା ସଙ୍କଟ ଦୂର କରିବା। କୋରୋନା ବିରୋଧରେ ଏକଜୁଟ ହୋଇ ଲଢ଼େଇ କରିବା। ବିଭିନ୍ନ ରାଜ୍ୟ ଯେତେବେଳେ ଗ୍ଲୋବାଲ ଟେଣ୍ଡର ପାଇଁ ଘୋଷଣା କଲେ, ସେତେବେଳେ ମଝିରେ କଣ୍ଟା ହୋଇ ବାଟ ଅଟକାଇଲା କେନ୍ଦ୍ର। କଣ୍ଟା ହୋଇ ବାଟ ଅଟକାଇବା କଥା ଏଥିପାଇଁ କୁହାଯାଉଛି ଯେ, ଅନେକ କମ୍ପାନି କେନ୍ଦ୍ର ସରକାରଙ୍କ ବିନା ରାଜ୍ୟ ଗୁଡ଼ିକୁ ଟିକା ଦେବା ପାଇଁ ମନା କରିଦେଲେ। ଫଳରେ ରାଜ୍ୟ ସରକାରମାନେ କେନ୍ଦ୍ର ଉପରେ ଖପ୍ପା ହେବା ସ୍ୱାଭାବିକ। ତେବେ ନବୀନ ଲେଖିଥିବା ଚିଠି, ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପାଇଥିବେ। ତେଣୁ, ଏକ ପ୍ରକାର ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କ ଉପରେ ବୋଧହୁଏ ଚାପ ପକାଇଥିବେ। ଅନ୍ୟପଟେ କେନ୍ଦ୍ର ସରକାର ଯଦି ଏଭଳି ପଦକ୍ଷେପ ନେଇ ନ ଥାନ୍ତେ, ତେବେ ସବୁ ମୁଖ୍ୟମନ୍ତ୍ରୀ ଏକାଠି ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସେହିପରି କୋରୋନା ସହ ସଂଗ୍ରାମ କରି ଦେଶବାସୀ ଏକ ପ୍ରକାର ନିରାଶ ହୋଇ ପଡ଼ିଛନ୍ତି। ତେଣୁ, ଏହି ସମୟରେ କେନ୍ଦ୍ର ସରକାର ଲୋକଙ୍କ ହିତ ପାଇଁ ଯଦି ପଦକ୍ଷେପ ନ ନିଅନ୍ତି, ତେବେ ଦେଶବାସୀଙ୍କ ଆକ୍ରୋଶର ଶିକାର ହେବା ସ୍ୱାଭାବିକ।

ସୁପ୍ରିମକୋର୍ଟ ମଧ୍ୟ ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ଉପରେ ଏକାଧିକ ଥର ଉଦବେଗ ପ୍ରକାଶ କରିଛନ୍ତି। କୋରୋନା ପରିଚାଳନାରେ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିବା ଭାରତ ସରକାରଙ୍କୁ ଅନେକ ଥର ରିପୋର୍ଟତଲବ ମଧ୍ୟ କରିଛନ୍ତି। କୋରୋନା ବାବଦକୁ (ଟିକାକରଣ ଖର୍ଚ୍ଚ ମଧ୍ୟ ସାମିଲ) ସରକାର କେତେ ଖର୍ଚ୍ଚ କରିଛନ୍ତି, ତାହାର ହିସାବ ମଧ୍ୟ ମାଗିଛନ୍ତି। ତେଣୁ, ଦେଶର ନ୍ୟାୟମୂର୍ତ୍ତି ଯେତେବେଳେ ଉଦବେଗ ପ୍ରକାଶ କରିବେ, ସେହି ସମୟରେ କେନ୍ଦ୍ର ସରକାର ଚାପଗ୍ରସ୍ତ ହେବାକୁ ବାଧ୍ୟ ହେବେ।

Leave a Reply

Your email address will not be published. Required fields are marked *