ମାସକରେ ଛୁଟି ପାଇଁ ୩ ଥର ଛାଡ଼ପତ୍ର ଓ ୪ ଥର ବିବାହ କଲେ ଯୁବକ

ମାସକରେ ଛୁଟି ପାଇଁ ୩ ଥର ଛାଡ଼ପତ୍ର ଓ ୪ ଥର ବିବାହ କଲେ ଯୁବକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବାହାଘର ସାତ ଜନ୍ମର ସମ୍ପର୍କ ବୋଲି ବିଶ୍ୱାସ କରାଯାଏ। ଆଧୁନିକତା କାରଣରୁ ଏହି ପବିତ୍ର ସମ୍ପର୍କର ଗୁରୁତ୍ଵ କମୁଛି l ଅନେକ ଲୋକ ଦ୍ଵିତୀୟ ବିବାହ ସହ ଛାଡ଼ପତ୍ରକୁ ଆପଣାଉଛନ୍ତି। ହେଲେ ଜଣେ ବ୍ୟକ୍ତି ଗୋଟିଏ ମାସରେ ଚାରି ଚାରିଥର ବିବାହ କରି ଚର୍ଚ୍ଚାରେ ଅଛନ୍ତି। କେବଳ ସେତିକି ନୁହେଁ, ଏହି ବ୍ୟକ୍ତି ଗୋଟିଏ ମାସରେ ତିନିଥର ଛାଡପତ୍ର ମଧ୍ୟ ନେଇଛନ୍ତି। ତେବେ ଏହି ସବୁ କାରନାମା କରିବା ପଛର କାରଣ ଜାଣିଲେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ l
ଏହି ବ୍ୟକ୍ତି ଜଣକ ତାଇୱାନରେ ରହୁଥିବା ବେଳେ ସେଠାକାର ଏକ ବ୍ୟାଙ୍କରେ ଚାକିରି କରନ୍ତି। ତେବେ ଏହି କର୍ମଚାରୀ ଜଣକ କେବଳ ତାଙ୍କ ଅଫିସରୁ ଛୁଟି ନେବା ପାଇଁ ସେ ଏହି ସମସ୍ତ ବିବାହ କରିଥିଲେ। ତେବେ ସେ କୌଣସି ଅଲଗା ଅଲଗା ଝିଅକୁ ନୁହେଁ ବରଂ ସମାନ ଝିଅକୁ ମାସରେ ଚାରିଥର ପେଡ୍ ଲିଭ୍ ପାଇଁ ବିବାହ କରିଥିଲେ। ସେ ପ୍ରଥମଥର ନିଜ ଅଫିସରେ ବିବାହ ପାଇଁ ଛୁଟି ନେଇଥିଲେ। ଏଥି ପାଇଁ ତାଙ୍କୁ ଆଠ ଦିନର ପେଡ ଲିଭ୍ ମିଳିଥିଲା। ଏହା ପରେ ସେ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ପରବର୍ତ୍ତୀ ଦିନରେ ସେ ପୁଣି ବିବାହ ପାଇଁ ଛୁଟି ମାଗିଥିଲେ। ତାଇୱାନରେ ଚାରୋଟି ବିବାହ ପାଇଁ ଅନୁମତି ରହିଛି। ତେଣୁ ସେ ଛୁଟି ପାଇଁ ନିଜ ପତ୍ନୀଙ୍କୁ ତିନିଥର ଛାଡପତ୍ର କରି ଚାରିଥର ବାହା ହୋଇଥିଲେ।

ଏହିପରି ଭାବରେ ଯୁବକ ଜଣକ ବିବାହ ଏବଂ ଛାଡପତ୍ର ବାହାନା କରି ପ୍ରାୟ ଚାଳିଶ ଦିନ ଛୁଟି ନେଇଥିଲେ। ତେବେ ଯେତେବେଳେ ବ୍ୟାଙ୍କ ଜାଣିବାକୁ ପାଇଲା ଯେ ବ୍ୟକ୍ତି ଜଣକ ପ୍ରତାରଣା କରି ସମାନ ମହିଳାଙ୍କୁ ଚାରିଥର ବିବାହ କରୁଛି, ସେ ପେଡ ଲିଭ୍ ଦେବାକୁ ମନା କରି ଦେଇଥିଲେ। ଏନେଇ ଯୁବକ ଜଣକ କୋର୍ଟରେ ପହଞ୍ଚିଥିଲେ। ତାଇୱାନରେ ପେଡ ଲିଭ୍ ନଦେବାରୁ କମ୍ପାନୀକୁ ଶ୍ରମ ଆଇନ ଅନୁଯାୟୀ ଜରିମାନା ଦେବାକୁ ପଡିଥାଏ। ବ୍ୟାଙ୍କ ତାହାର ଯୁକ୍ତି ଦର୍ଶାଇଥିଲା କିନ୍ତୁ ଯେହେତୁ ବ୍ୟକ୍ତି ବିବାହ ଏବଂ ଛାଡପତ୍ର କାଗଜପତ୍ର ଦେଖାଇଥିଲେ ଏବଂ ପେଡ ଲିଭ୍ ତାଙ୍କର ଅଧିକାର ଥିଲା, ତେଣୁ ବ୍ୟାଙ୍କକୁ ଛୁଟି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ବିଷୟଟି ପ୍ରଥମେ ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶ ପାଇଥିଲେ ହେଁ, ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ତେବେ ଲୋକମାନେ ସେହି ଯୁବକଙ୍କର ଚତୁରତାକୁ ବେଶ ପ୍ରଶଂସା କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: