ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ଦିଦି

ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ଦିଦି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଫେବୃଆରୀ ୧୦ରୁ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବ। ଏହା ମାର୍ଚ୍ଚ ୭ ତାରିଖ ଯାଏ ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ତେବେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ମିଳିଛି ତୃଣମୂଳ କଂଗ୍ରେସର ସମର୍ଥନ। ଟିଏମସି ପ୍ରମୁଖ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ୟୁପି ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି। ସୂଚନା ମୁତାବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫେବୃଆରୀ ୮ ତାରିଖରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବେ ଓ ଲୋକଙ୍କୁ ଭୋଟ ମାଗିବେ ବୋଲି ଜଣାପଡିଛି । ଫେବୃଆରୀ ୮ରେ ମମତା ବାନାର୍ଜୀ ରାଜଧାନୀ ଲକ୍ଷ୍ନୌରେ ସପାର ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ମଧ୍ୟ ଅନଲାଇନ୍ ପ୍ରଚାର କରିବେ। ଏହା ପୂର୍ବରୁ ଅଖିଳେଶ ଏବଂ ଦିଦିଙ୍କ ଏକ ସଙ୍ଗେ ସାର୍ବଜନୀନ ରାଲି ନେଇ ଆଶା କରାଯାଉଥିଲା। ମାତ୍ର କରୋନା ମହାମାରୀ କାରଣରୁ ନିର୍ବାଚନ ଆୟୋଗ ରାଲି ଏବଂ ଶୋଭାଯାତ୍ରା ଉପରେ ରୋକ୍ ଲଗାଇଛନ୍ତି। ନିର୍ବାଚନ ଆୟୋଗ ରୋଡ୍ ଶୋ ଏବଂ ରାଲି ପରି ରାଜନୈତିକ କାର୍ଯ୍ୟକଳାପ ଉପରେ ଜାନୁଆରୀ ୨୨ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଆୟୋଗ ଜାନୁଆରୀ ୨୨ରେ ପୁଣି ସ୍ଥିତିର ସମୀକ୍ଷା କରିବେ ଏବଂ ନୂଆ ଗାଇଡ୍‌ଲାଇନ୍ ଜାରି କରିବେ।ଏଥର ବିଧାନସଭା ନିର୍ବାଚନରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି। ଅଖିଳେଶ ରାଜ୍ୟରେ ଛୋଟ ଛୋଟ ଦଳକୁ ନେଇ ମେଣ୍ଟ କରି ବିଜେପିକୁ କ୍ଷମତାଚ୍ୟୁତ୍ କରିବାକୁ ଅଣ୍ଟା ଭିଡିଛନ୍ତି। ଅନ୍ୟପଟେ ବିଜେପି ନିଜର କ୍ଷମତା ବଜାୟ ରଖିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି। ଅନ୍ୟ ପକ୍ଷରେ ଉଭୟ ଦଳର ନେତା ଟିକେଟ ନପାଇ ଏପଟ ସେପଟ ହୋଇଛନ୍ତି। ମାର୍ଚ୍ଚ ୧୦ ତାରିଖ ଭୋଟ୍ ଗଣତି ସହ ୟୁପି କାହାର ହେବ ସ୍ପଷ୍ଟ ହେଇଯିବ। ଅନ୍ୟ ପକ୍ଷରେ କଂଗ୍ରେସ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ଵରେ ୟୁପିରେ ସରକାର ଗଢ଼ିବାକୁ ଆଶା ରଖିଛି। କଂଗ୍ରେସ ଏଥର ଉତ୍ତର ପ୍ରଦେଶର ୪୦% ଟିକେଟ ମହିଳାଙ୍କୁ ଦେଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: