ମମତାଙ୍କ ଚାରି ରାଜଧାନୀ ପ୍ରସ୍ତାବ: କେତେ ଯୁକ୍ତିଯୁକ୍ତ ?

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଭାରତରେ ମୁସଲମାନ ଶାସନ ଚାଲିଥିବା ବେଳେ ସମ୍ରାଟ ମହମ୍ମଦ ବିନ୍ ତୋଗଲକ ତାଙ୍କ ସାମ୍ରାଜ୍ୟର ରାଜଧାନୀ ଉତ୍ତର ଭାରତର ଦିଲ୍ଲୀରୁ ଦକ୍ଷିଣାତ୍ୟର ଦୌଲତବଗକୁ ସ୍ଥାନାନ୍ତରିତ କରି ବେଶ ହଟହଟା ହୋଇଥିଲେ। ସେଥିପାଇଁ ତାଙ୍କୁ ପାଗଳ ସମ୍ରାଟର ଆଖ୍ୟା ମିଳିଛି। ପରେ ବ୍ରିଟିଶ ଶାସନ ଅମଳରେ, ପ୍ରାକ୍ ସ୍ୱାଧୀନତା କାଳରେ ଭାରତରେ ଗ୍ରୀଷ୍ମ ଓ ଶୀତକାଳୀନ ରାଜଧାନୀ ପ୍ରଚଳିତ ଥିଲା। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜମ୍ମୁ କାଶ୍ମୀର ରାଜ୍ୟରେ ଦୁଇଟି ରାଜଧାନୀ ରହିଛି। ଦେଶର ଅନ୍ୟ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥାର ପ୍ରୟୋଜନିତା ଅନୁଭବ କରାଯାଇ ନାହିଁ। ସୁତରାଂ ଏବେ ସବୁ ଭାରତୀୟ ରାଜ୍ୟରେ ଗୋଟିଏ କରି ସ୍ଥାନରେ ସମ୍ପୃକ୍ତ ରାଜ୍ୟର ରାଜଧାନୀ ରହିଛି। ରାଜ୍ୟ ବିଭାଜନ ପୂର୍ବରୁ ଉତ୍ତର ପ୍ରଦେଶ, ମଧ୍ଯ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ ଭଳି ବିଶାଳ ରାଜ୍ୟରେ ମଧ୍ଯ ଗୋଟିଏ ରାଜଧାନୀ ଥିଲା। ପ୍ରତି ରାଜ୍ୟର ରାଜଧାନୀରେ ଗୋଟିଏ କରି ଆଇନ ପ୍ରଣୟନ ସଭା ବା ବିଧାନସଭା ରହିଛି। ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରସ୍ତାବ ଦେଇଛନ୍ତି ଯେ, ଦେଶର ଚାରି ପ୍ରାନ୍ତରେ ଚାରିଗୋଟି ରାଜଧାନୀ କରାଯିବା ଆବଶ୍ୟକ। ଅର୍ଥାତ୍ ଦେଶରେ ଚାରିଗୋଟି ସଂସଦ (ପାର୍ଲିଆମେଣ୍ଟ) ହେଉ। ସଂସଦର କ୍ଷମତା ଵିକେନ୍ଦ୍ରୀକରଣ ଘଟାଇ ପର୍ଯ୍ୟାୟକ୍ରମେ ଚାରି ସ୍ଥାନରେ ଅଧିବେଶନ ବସୁ। ରାଜ୍ୟରେ ଆସନ୍ନ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତାଙ୍କ ଏଭଳି ଅଭିନବ ପ୍ରସ୍ତାବ (ଦାବି) ବିତର୍କ ସୃଷ୍ଟି କରିଛି। ମମତା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏକାଧିକ ଥର କେନ୍ଦ୍ରରେ ବିଭିନ୍ନ ସରକାରରେ ମନ୍ତ୍ରୀ ରହି ଆସିଛନ୍ତି। ସେତବେଳେ ତାଙ୍କ ଠାରୁ ଏପ୍ରକାର କେବେ ଶୁଣିବାକୁ ମିଳି ନଥିଲା। ହଠାତ୍ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ମମତା ଏଭଳି ଦାବି କାହିଁକି କରି ବସିଲେ ତାହାକୁ ନେଇ ତଥ୍ୟଭିଜ୍ଞ ଓ ରାଜନୈତିକ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମମତା ଗତ ୧୦ ବର୍ଷ ଧରି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କ ଉପରେ ରାଜ୍ୟବାସୀଙ୍କର ଆସ୍ଥା ଏବେ ମଧ୍ଯ ଅତୁଟ ରହିଛି। ଯଦିଓ ଏଥର ନିର୍ବାଚନରେ ତୃଣମୂଳ ସରକାରକୁ ହଟାଇ ପଶ୍ଚିମବଙ୍ଗରେ ସରକାର ଗଢ଼ିବାର ସ୍ବପ୍ନ ଦେଖିଛି ବିଜେପି, ମାତ୍ର ତାହା ବାସ୍ତବ ରୂପ ନେବା ଏତେ ସହଜ ମନେ ହେଉନାହିଁ। ପ୍ରାକ୍ ନିର୍ବାଚନୀ ଜନମତ ସର୍ଭେ ପୂର୍ବାନୁମାନ ତୃଣମୂଳ ସପକ୍ଷରେ ଯାଇଛି। ତଥାପି ଦିଦି ଏଥର ସମ୍ଭବତଃ ବିଜେପିର ବାହ୍ୟ ଆଡମ୍ବରରେ କିଛିଟା ଭୀତତ୍ରସ୍ତ। ତେଣୁ ସେ ରାଜ୍ୟ ଭୋଟରମାନଙ୍କର ନଜର ହଟାଇବା ସକାଶେ ଚାରି ରାଜଧାନୀ ବୋମା ଫୁଟାଇଛନ୍ତି। କିନ୍ତୁ ମମତାଙ୍କ ଭଳି ଜଣେ ଅଭିଜ୍ଞ ରାଜନେତ୍ରୀ କିପରି ବୁଝି ପାରୁନାହାନ୍ତି ଯେ ତାଙ୍କ ଦାବି ବା ପ୍ରସ୍ତାବର ଯଥାର୍ଥତା କେତେ ! କୌଣସି ଏକ ସ୍ୱାଧୀନ ଦେଶରେ ଏକାଧିକ କେନ୍ଦ୍ରୀୟ ଆଇନ ପ୍ରଣୟନ ସଭା ରହିବା ସମ୍ଭବ କି ? ମମତାଙ୍କର ଏଭଳି ଦାବି ଏକ ରାଜନୈତିକ ଷ୍ଟଣ୍ଟ ବୋଲି ବିବେଚନା କରାଗଲାଣି।


ଗତ ଶନିବାର ନେତାଜୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମମତା ପୂର୍ବାହ୍ନରେ ଏକ ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଲୋକଙ୍କୁ ସମ୍ବୋଧିତ କରି ମମତା ଦାବି କରିଥିଲେ, ଦେଶରେ ସଂସଦର ଵିକେନ୍ଦ୍ରୀକରଣ ହେବା ଉଚିତ୍। ଭାରତର ଦକ୍ଷିଣ, ଉତ୍ତର, ପୂର୍ବ ଏବଂ ଉତ୍ତର-ପୂର୍ବ ଭଳି ଚାରିଗୋଟି ସ୍ଥାନରେ ଚାରିଟି ରାଜଧାନୀ ହେବା ଉଚିତ୍। ତାଙ୍କର ପ୍ରଶ୍ନ ଥିଲା ଦିଲ୍ଲୀରେ ଅଛି କ’ଣ ? ଦେଶର କୌଣସି ଗୋଟିଏ ସ୍ଥାନରେ ସଂସଦ ସୀମାବଦ୍ଧ ରହିବ କାହିଁକି ? ପ୍ରତିବର୍ଷ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସ୍ଥାନରେ ସଂସଦ ଅଧିବେଶନ ହେବା ଉଚିତ୍। ମୋଦି ତଥା ବିଜେପିର ଏକ ଦେଶ, ଏକ ସରକାର ଚିନ୍ତାଧାରାକୁ ସମାଲୋଚନା କରି ମମତା କହିଥିଲେ, ମୁଁ ସମସ୍ତଙ୍କ ପାଇଁ କହୁଛି। ଆମକୁ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ୱାନ୍ ଲିଡର, ୱାନ ନେସନର ମୂଲ୍ୟ କ’ଣ ଅଛି ? ମମତାଙ୍କର ଏଭଳି ବକ୍ତବ୍ୟ ନିଶ୍ଚିତ ଭାବେ ବିଜେପି ଉଦ୍ଦେଶ୍ୟରେ ହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି। କାରଣ ବିଜେପି ଏବେ ଯେଉଁଭଳି ଭାବେ ତୃଣମୂଳ ନେତା, ବିଧାୟକ, ମନ୍ତ୍ରୀ, ସାଂସଦଙ୍କୁ ଟାଣି ନେଉଛି ସେଥିରେ ମମତା ଅତ୍ୟନ୍ତ କ୍ଷୁବ୍ଧ। ସେହି କ୍ଷୋଭର ପରିପ୍ରକାଶ ଚାରି ରାଜଧାନୀ ବୋଲି ବିଭିନ୍ନ ମହଲ ବିବେଚନା କରୁଛି। ସମ୍ବିଧାନ ବିଶେଷଜ୍ଞ ସୁଭାଷ କଶ୍ୟପ ଏବଂ ଲୋକସଭାର ପୂର୍ବତନ ସେକ୍ରେଟେରୀ ଜେନେରାଲ ପି ଭି ଟି ଆଚରିଙ୍କ ମତରେ ସ୍ୱାଧୀନ ଭାରତ ସମ୍ବିଧାନରେ ଦେଶରେ ଏକାଧିକ ରାଜଧାନୀ ପ୍ରତିଷ୍ଠାର କୌଣସି ନିର୍ଦ୍ଦିଷ୍ଟ ଉଲ୍ଲେଖ ନାହିଁ। କେନ୍ଦ୍ର ସରକାର ଯଦି ଚାହାଁନ୍ତି ତେବେ ଏ ବିଷୟରେ ନିଷ୍ପତ୍ତି ନେଇ ପାରିବେ। ଶିକ୍ଷାବିତଙ୍କ ମତରେ, ଏକାଧିକ ରାଜଧାନୀ ଗଢ଼ା ଯାଇପାରେ, ତେବେ ଆମର ସଂଘୀୟ ବ୍ୟବସ୍ଥାରେ ଏକାଧିକ ସ୍ଥାନରେ ଆଇନ ପ୍ରଣୟନ ସଭା ରଖିବାକୁ ହେଲେ ରାଜ୍ୟ ସହ କେନ୍ଦ୍ରର ବିବାଦ ଦେଖାଦେଇପାରେ। ରାଜ୍ୟ ନା କେନ୍ଦ୍ର, କାହାର ଗୁରୁତ୍ୱ ସେଠାରେ ବେଶୀ ରହିବ, ତାହାକୁ ନେଇ ବିରୋଧାଭାସ ଦେଖାଦେଇପାରେ। ଦିଲ୍ଲୀ କ୍ଷେତ୍ରରେ ଏହା ସବୁବେଳେ ଦେଖିବାକୁ ମିଳୁଛି। କେନ୍ଦ୍ରଶାସିତ ଅଞ୍ଚଳ ବା ଯେଉଁ ଠାରେ କେନ୍ଦ୍ରର ପ୍ରଭୁତ୍ୱ ଅଧିକ ସେଠାରେ କେନ୍ଦ୍ରୀୟ ଆଇନ ସଭା ଗଢ଼ା ଯାଇପାରେ। କେବଳ ତଥ୍ୟାଭିଜ୍ଞ ମହଲ କିମ୍ବା ସମ୍ବିଧାନବିତ୍ତ ନୁହନ୍ତି, ବିରୋଧୀ ରାଜନୈତିକ ମହଲ ମଧ୍ଯ ମମତାଙ୍କର ଏହି ଅଭିନବ ଦାବି ଉପରେ ପ୍ରଶ୍ନ ଉଠାଇଛି। ମୁଖ୍ୟମନ୍ତ୍ରୀ ମମତା ଆଦୌ ଭାବିଚିନ୍ତି ଏଭଳି ଦାବି କରିନାହାନ୍ତି ବୋଲି ବିଜେପି କହିଛି। ଏକାଧିକ ରାଜଧାନୀ ହେଲେ କେବଳ ସମସ୍ୟା ବଢ଼ିବ ନାହିଁ, ଖର୍ଚ୍ଚ ମଧ୍ଯ ଯଥେଷ୍ଟ ବୃଦ୍ଧି ପାଇବ। ସମାନ ପ୍ରକାର ମନ୍ତବ୍ୟ ରଖିଛନ୍ତି କଂଗ୍ରେସ ଓ ବାମ ଦଳର ନେତା। ସେମାନେ ଏହି ଦାବି ବା ପ୍ରସ୍ତାବର ଯଥାର୍ଥତା ଓ ବାସ୍ତବତା ନେଇ ପ୍ରଶ୍ନ ଉଠାଇଛନ୍ତି।

%d bloggers like this: