ହିଂସାର ଆଶ୍ରୟ କ’ଣ ନେଇପାରେ ଅନ୍ନଦାତା ?

ପ୍ରିଜମ୍ ନ୍ୟୁଜ:(କମଳାକାନ୍ତ ପତି): ଗତ ମଙ୍ଗଳବାର ରାଜଧାନୀ ଦିଲ୍ଲୀର ଛାତି ଉପରେ ଘଟିଯାଇଥିବା ହିଂସାକାଣ୍ଡକୁ ଦେଖି ଆଶ୍ଚର୍ଯ୍ୟ ଦେଶବାସୀ। ଅନେକଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ଲୋକଙ୍କୁ ଆହାର ଯୋଗାଉଥିବା କୃଷକ, ଯେଉଁମାନେ ଅନ୍ନଦାତା, ଜୟ କିଷାନ, ସେମାନେ କ’ଣ ହିଂସାର ଆଶ୍ରୟ ନେଇପାରନ୍ତି ? ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଶୀତ କାକରରେ ଦିଲ୍ଲୀ ସୀମାନ୍ତରେ ଦୁଇମାସରୁ ଉର୍ଦ୍ଧ୍ୱ ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଆସୁଥିବା କୃଷକମାନେ ହଠାତ ହିଂସ୍ର ହୋଇଉଠିବା କଥାଟିକୁ ଅନେକେ ବିଶ୍ୱାସକୁ ନେଇ ପାରୁନାହାନ୍ତି। ତେବେ ଏଭଳି ଅଭୂତପୂର୍ବ ଘଟଣା ରାଜଧାନୀରେ ଘଟିଲା କାହିଁକି ? ଘଟାଇଲା କିଏ ? ଏହା ପଛରେ ହାତ କାହାର ? ଦୀର୍ଘ କୃଷକ ଆନ୍ଦୋଳନକୁ ବଦନାମ କରି ଭଣ୍ଡୁର କରିଦେବାକୁ ଏହା ଏକ ଷଡ଼ଯନ୍ତ୍ର ନଥିଲା ତ ? ଦୀପ ସିଦ୍ଧୁ ନାମକ ଜଣେ ପଞ୍ଜାବୀ ଅଭିନେତା, ତଥା ୨୦୧୯ରୁ ବିଜେପି ରାଜନୀତିରେ ପ୍ରବେଶ କରି ସାଂସଦ ସନ୍ନି ଦେଓଲଙ୍କ ନିର୍ବାଚନ ପ୍ରଚାର ସାଥି ହୋଇଥିବା ଯୁବକ ଏଭଳି ହିଂସା ପ୍ରଚ୍ଛଦପଟ୍ଟ ନାୟକ ବୋଲି ଅଭିଯୋଗ ଉଠୁଛି। ହିଂସାକାଣ୍ଡସ୍ଥଳରୁ ଚମ୍ପଟ ମାରିଥିବା ସିଦ୍ଧୁଙ୍କୁ ଏଵେ ପୋଲିସ ଖୋଜୁଛି। ଅଭିଯୋଗ ଉଠୁଛି ଯେ, ସିଦ୍ଧୁ ବେଶ୍ କିଛି ଦିନ ଧରି ଦିଲ୍ଲୀ ସୀମାନ୍ତ ସିଂଘୁ ଠାରେ ଆନ୍ଦୋଳନରତ କୃଷକମାନଙ୍କ ସହ ରହି ସେମାନଙ୍କୁ ହିଂସା ପାଇଁ ଉସୁକାଉଥିଲେ, ଯାହାର ବାସ୍ତବ ରୂପ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲା ଠାରେ ଦେଖିବାକୁ ମିଳିଲା।

ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ଅବସରରେ ବସ୍ତୁତଃ ରଣକ୍ଷେତ୍ରରେ ପରିଣତ ହେଲା ରାଜଧାନୀ ଦିଲ୍ଲୀ। ବିକ୍ଷୋଭକାରୀମାନଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ, ଲାଠିମାଡ଼, ପୋଲିସକୁ ଆନ୍ଦୋଳନକରୀଙ୍କ ପାଲଟା ଆକ୍ରମଣ, ଟ୍ରାକ୍ଟର ଓଲଟି ଜଣେ କୃଷକଙ୍କ ମୃତ୍ୟୁ, ୮୬ ଜଣ ପୋଲିସ ଆହତ, ବିପୁଳ ସରକାରୀ ସମ୍ପତି ଭଙ୍ଗାରୁଜା ଓ ପୋଡ଼ାଜଳା, ଲାଲକିଲ୍ଲା ଉପରେ ଧର୍ମୀୟ ପତାକା ବନ୍ଧାଯିବା ଭଳି ଅଭାବନୀୟ ଘଟଣା ଘଟିଲା। ଏବେ ଏହାକୁ ପ୍ରାୟୋଜିତ ହିଂସା ବୋଲି ଆଖ୍ୟା ଦିଆଗଲାଣି। ପୋଲିସ ଏକାଧିକ ମାମଲା ରୁଜୁ କରି କେତେକ ବ୍ୟକ୍ତିଙ୍କୁ ଗିରଫ କରିଛି, କେତେକ ମଧ୍ଯ ଅଟକ ରହିଛନ୍ତି। ଦିଲ୍ଲୀ ହିଂସା ପଛରେ ଦୀପ ସିଦ୍ଧୁଙ୍କ ହାତ ଥିବା କଥା ଜଣାପଡ଼ିବା ପରେ ତାଙ୍କ ଫୋଟୋ ବ୍ୟବହାର କରି ଅନେକ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଜଣେ ବିଜେପି ସମର୍ଥକ ବୋଲି ସାବ୍ୟସ୍ତ କରିବା ସକାଶେ ନେଟ୍ ବ୍ୟବହାରକାରୀ ସିଦ୍ଧୁଙ୍କ ଫୋଟୋ ସହ ସନ୍ନି ଦେଓଲ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କର ଫୋଟୋ ବ୍ୟବହାର କରିଛନ୍ତି। କୁହାଯାଉଛି ଯେ, ଲାଲକିଲ୍ଲା ଉପରେ ଶିଖ୍ ପତାକା ବାନ୍ଧିଥିବା କଥା ନିଜେ ସିଦ୍ଧୁ କହିଛନ୍ତି। ଯଦି ତାଙ୍କର ଏତେ ସତସାହସ ରହିଛି ତେବେ ସେ ପୋଲିସ ଠାରୁ ନିଜକୁ ଦୁରେଇ ରଖିବାର ଚେଷ୍ଟା କରୁଛନ୍ତି କାହିଁକି ? କୁହାଯାଉଛି ଯେ, ସେ ନିଷିଦ୍ଧ ଶିଖ୍ ସଂଗଠନ ‘ଶିଖ ଫର ଜଷ୍ଟିସ’ର ଜଣେ ସଦସ୍ୟ। ସେଭଳି ଜଣେ ବ୍ୟକ୍ତି ସହ ବିଜେପିର ସମ୍ପର୍କ ରହିଛି କିପରି ? ସତରେ ଯଦି ଦୀପ ସିଦ୍ଧୁ କୃଷକମାନଙ୍କୁ ହିଂସାର ପଥ ବାଛି ନେବାକୁ ପ୍ରବର୍ତ୍ତାଇ ଥାନ୍ତି ଏବଂ ନିଜେ ଲାଲକିଲ୍ଲା ଉପରେ ପତାକା ବାନ୍ଧି ଥାନ୍ତି ତେବେ ଏହା ଏକ ସାଙ୍ଘାତିକ କାର୍ଯ୍ୟ ବୋଲି ଚିନ୍ତା କରିବାକୁ ପଡ଼ିବ। ହିଂସାକାଣ୍ଡ ପଛରେ ବିଜେପି ସମର୍ଥକଙ୍କ ହାତ ରହିଛି ବୋଲି ସ୍ୱୀକାର କରିବାକୁ ହେବ। କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ହିଂସାର ଆଶ୍ରୟ ନେଇପାରନ୍ତି ବୋଲି ସରକାରଙ୍କ ଗୁଇନ୍ଦା ସଂସ୍ଥା ଜାଣି ପାରିଲାନାହିଁ କିପରି ? ଟ୍ରାକ୍ଟର ଶୋଭାଯାତ୍ରାକୁ ଅନୁମତି ଦେବାବେଳେ ଦିଲ୍ଲୀ ପୋଲିସ ଯଦି ସବୁଦିଗକୁ ବିଚାର କରି ଦେଖିଥାନ୍ତା ତେବେ ସାଧାରଣତନ୍ତ୍ର ଦିବସରେ ଏଭଳି ଏକ କଳଙ୍କିତ ଘଟଣା ଦେଖିବାକୁ ମିଳି ନ ଥାନ୍ତା। ଅନ୍ୟ କେତେକଙ୍କ ମତରେ ଶାହୀନବାଗ ଘଟଣା ଭଳି କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ସକାଶେ ଏହା ଏକ ପ୍ରାୟୋଜିତ ନିଷ୍ପତି ଥିଲା। ସାଧାରଣରେ ସମାଲୋଚିତ ହେଲେ ମଧ୍ଯ ସରକାର କୃଷକ ଆନ୍ଦୋଳନ ମଞ୍ଚରେ ଫାଟ ଧରାଇବା କ୍ଷେତ୍ରରେ ସଫଳତା ପାଇଛନ୍ତି। ଆନ୍ଦୋଳନରୁ ଦୁଇଟି କୃଷକ ସଂଗଠନ ଓହରି ଯିବା ଏହାର ଉଦାହରଣ। କୃଷକ ମଞ୍ଚରେ ଫାଟ ସୃଷ୍ଟି କରିପାରିଲେ ଆନ୍ଦୋଳନ ଦୁର୍ବଳ ହୋଇଯିବ ବୋଲି ସରକାର ଚିନ୍ତା କରିଛନ୍ତି। ମଙ୍ଗଳବାର ଘଟଣା ପରେ କୃଷକ ମଞ୍ଚ ପାର୍ଲାମେଣ୍ଟ ଘେରାଓ ଆନ୍ଦୋଳନରୁ ଓହରି ଯିବା ସରକାରଙ୍କ କୌଶଳର ସଫଳତା ବୋଲି କୁହାଗଲାଣି। ଲାଲକିଲ୍ଲା ହିଂସାରେ ଅନ୍ୟ ଯେଉଁ ପଞ୍ଜାବୀ ଯୁବକଙ୍କ ନାମ ଶୁଣିବାକୁ ମିଳୁଛି ସେ ହେଉଛନ୍ତି ଲିଖା ସିଧାନା।

ପଞ୍ଜାବର ଅପରାଧ ଦୁନିଆରେ କୁଖ୍ୟାତି ଅର୍ଜନ କରିଥିବା ଲିଖା ରାଜନୀତି ଏବଂ ସମାଜସେବାରେ ମଧ୍ଯ ସମ୍ପୃକ୍ତ। ଭାଟିଣ୍ଡାର ଏହି ଯୁବକ ବେଶ୍ କିଛିଦିନ ପୂର୍ବରୁ କୃଷକ ଆନ୍ଦୋଳନ ସହ ନିଜକୁ ଜଡ଼ିତ କରିଥିଲେ। ଦିଲ୍ଲୀ ହିଂସା ପଛରେ ତାଙ୍କର ପ୍ରୋତ୍ସାହନ ଓ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା କୁହାଯାଉଛି। ଯଦି ଏଭଳି ଅସାମାଜିକ ତତ୍ତ୍ୱଙ୍କର ହିଂସାକାଣ୍ଡରେ ସମ୍ପୃକ୍ତି ତେବେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଦୋଷ ଦିଆଯିବ କାହିଁକି ? ଜାଣିବାକୁ ମିଳିଛି ଯେ ୨୬ ଜାନୁଆରୀ ହିଂସା ଆନ୍ଦୋଳନକାରୀ ସାଧାରଣ କୃଷକ ଏବଂ ସେମାନଙ୍କ ନେତାମାନଙ୍କ ମନୋବଳ ଭାଙ୍ଗି ଦେଇଛି। ସେମାନଙ୍କ ଭିତରେ ଏବେ ହତାଶଭାବ ଦେଖବାକୁ ମିଳିଲାଣି, ଯାହାକୁ ସେମାନେ ଗୋପନ ରଖି ପାରୁନାହାନ୍ତି। ଆନ୍ଦୋଳନ ସ୍ଥଳରେ ଏବେ ନୈରାଶ୍ୟ ଦେଖିବାକୁ ମିଳୁଛି। ଉଦ୍ଦୀପନା କିମ୍ବା ଉତ୍ସାହ ନାହିଁ। ଗତ ଦୁଇ ମାସ ଧରି ଯେଉଁଠାରେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଲୋଗାନ, ନେତାଙ୍କ ଭାଷଣବାଜି ଚାଲୁଥିଲା ସେଠାରେ ଗତକାଲି ଠାରୁ ପରିସ୍ଥିତି ବଦଳି ଯାଇଛି। ଲାଗୁଛି ଆନ୍ଦୋଳନକାରୀ ବଳ ହରାଇ ବସିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଯାହା ଘଟିଲା ତାହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଦୀପ ସିଦ୍ଧୁ ଓ ଲିଖା ସିଧାନା ଉପରେ ସେମାନେ ଦୋଷ ଲଦୁଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି, ଅନ୍ନଦାତା କଣ ହିଂସାର ଆଶ୍ରୟ ନେଇପାରେ।

%d bloggers like this: