ପଶ୍ଚିମ ପଦ୍ମରେ ଫାଟ ! ଯଦି ସତ, ପଡ଼ିବ ମହଙ୍ଗା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ଯେଉଁ ସଦମା ଦେଲେ, ସେଇ ସଦମାରୁ ଏଯାଏ ମୁକ୍ତି ପାଇ ନାହାନ୍ତି ବିରୋଧୀ। ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନର ଏକ ହଟଚମଟ ଖବର ଏବେ ରାଜ୍ୟ ରାଜନୀତିକୁ ଆହୁରି ଉଷ୍ମ କରି ଦେଇଛି। ଶୁଣିବାକୁ ମିଳୁଛି ଯେ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କହି ପ୍ରଦୀପ୍ତ ଯୋଗଦେବାକୁ ମନା କରି ଦେଇଥିଲେ। କେବଳ ଏତିକି ନୁହେଁ, ଭୁବନେଶ୍ୱରରେ ପ୍ରେସମିଟ୍ କରି ରାଜ୍ୟ ସରକାର ଏବଂ ଶାସକ ଦଳ ଉପରେ ନିର୍ଧୂମ୍ ବର୍ଷିଥିଲେ। ତାଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯିବା ସତ୍ତ୍ୱେ ସେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଅନ୍ୟପଟେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଚର୍ଚ୍ଚାକୁ ଆସିଥିଲେ। ବସନ୍ତଙ୍କ ପ୍ରଶଂସା ଓ ପ୍ରଦୀପ୍ତଙ୍କ ସମାଲୋଚନା ଭିତରେ ଏବେ ରାଜ୍ୟ ବିଜେପିରେ ଆଉ ଏକ ଝଡ଼ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଥିବା ବିଜେପିର ଦବଦବା ଆଗାମୀ ଦିନରେ ଭାରି ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିବା ରାଜନୀତି ସମୀକ୍ଷକ କହୁଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ପରିଶ୍ରମ କରିଥିଲା, ତାହାର ଫଳ ଦଳକୁ ୨୦୧୯ ସାଧାରଣ ନିର୍ବାଚନରେ ମିଳିଥିଲା। କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ରେ ବିଜେପି ସାଂସଦ ଅଛନ୍ତି। ସେହିପରି ଏହି ସଂସଦୀୟ କ୍ଷେତ୍ର ଗୁଡ଼ିକ ଅଧୀନରେ ଥିବା ଭବାନୀପାଟଣା, ଲୋଇସିଂହା, ରେଙ୍ଗାଲି, ଦେଓଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ତଲସରା ଏବଂ ବୀରମିତ୍ରପୁର ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଅଛି। ତେଣୁ, କହିବାକୁ ଗଲେ ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ଢେର ଅଧିକ।

୨୦୧୪ ନିର୍ବାଚନରେ ପ୍ରଦୀପ୍ତ ବିଜେଡି ଲୋକସଭା ପ୍ରାର୍ଥୀ ଅର୍କକେଶରୀ ଦେଓଙ୍କ ଠାରୁ ୫୬ ହଜାର ୩୪୭ ଭୋଟରେ ହାରିଥିଲେ। ଏହାପରେ ତାଙ୍କୁ ଗେରୁଆ ଦଳ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଥିଲା। ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବା ସହ ପ୍ରଦୀପ୍ତ ଜିଲ୍ଲାରେ ଜଣେ ଟାଣୁଆ ବିଜେପି ନେତା ଭାବେ ତାଙ୍କ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଥିଲେ। ଏହାକୁ ହଜମ କରି ପାରି ନ ଥିଲେ ଦଳ ଭିତରେ ଥିବା ପ୍ରଦୀପ୍ତଙ୍କ ବିରୋଧୀ। ବସନ୍ତ ପଣ୍ଡା ସେତେବେଳେ ଥିଲେ ରାଜ୍ୟ ବିଜେପି ସଭାପତି। ପ୍ରଦୀପ୍ତଙ୍କ ପର କାଟିବାକୁ ବିରୋଧୀ ବସନ୍ତଙ୍କ ସହାୟତା ଲୋଡ଼ିଥିଲେ। ଫଳ ସ୍ୱରୁପ ୨୦୧୯ ନିର୍ବାଚନ ସମୟରେ ବସନ୍ତ ପଣ୍ଡା ପ୍ରଦୀପ୍ତଙ୍କ ଘୋର ବିରୋଧୀ ଭାବେ ଛିଡ଼ା ହୋଇଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ଏହି ଶୀତଳ ଯୁଦ୍ଧ ଏବେ ଉଗ୍ର ରୂପ ଧାରଣ କରିଥିବା ଚର୍ଚ୍ଚା ହେଉଛି। ତେବେ ଏହା ଯଦି ସତ ହୋଇଥାଏ, ତେବେ ଦଳକୁ ଏହାର ମୂଲ ଚୁକାଇବାକୁ ପଡ଼ିବ। କାରଣ, ଯେଉଁ ସବୁ ଆସନରେ ବିଜେପି ପ୍ରାର୍ଥୀ ଜିତିଛନ୍ତି, ସେହି ଆସନରେ ବିଜେଡି ପ୍ରାର୍ଥୀ ଠାରୁ ଅଳ୍ପ ଭୋଟ୍ ହାରରେ ବିଜୟୀ ହୋଇଛନ୍ତି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଅଛି। ଏହି ସମୟରେ ଯଦି ଦଳ ଭିତରେ ଫାଟ ସୃଷ୍ଟି ହୁଏ, ତେବେ ଉଭୟ ନିର୍ବାଚନରେ ଦଳ ଉପରେ ପ୍ରଭାବ ପଡ଼ିବ। ଖୋଦ୍ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଯାଇ ଯେଉଁ ଦୁନ୍ଦୁଭି ବଜାଇଛନ୍ତି, ତାକୁ ଚେକ୍ ଦେବାକୁ ଗେରୁଆ ଦଳ ପାଇଁ କଠିନ ହେବ। ଅନ୍ୟପଟେ ପଶ୍ଚିମ ଓଡ଼ିଶା ଦଖଲ କରିବାକୁ ବିଜେଡି ଏବେ ଦିନରାତି ଏକ କରି ଦେଇଛି। ସେଥିପାଇଁ ପଶ୍ଚିମ ଓଡ଼ିଶାର ପ୍ରତିଟି ବିଧାନସଭା କ୍ଷେତ୍ରରେ ଦଳ ଯୁବ ବିଜେଡି ସମ୍ମିଳନୀ ଅନୁଷ୍ଠିତ କରୁଛି। ଆଗକୁ ମହିଳା ଭୋଟରଙ୍କୁ ମଧ୍ୟ ଆକୃଷ୍ଟ କରିବାକୁ ଦଳ ଏକ ନୂଆ ଘୋଷଣା କରିବ। ଶଙ୍ଖ ଦଳର ଏହି ଆଗ୍ରେସିଭ୍ ରଣନୀତି ସାମ୍ନାରେ ବିଜେପିର ରଣନୀତି ନିଶ୍ଚୟ ଫିକା ପଡ଼ିଛି ଏବଂ ଏହା ରାଜନୈତିକ ସମୀକ୍ଷକମାନେ ମଧ୍ୟ ସ୍ୱୀକାର କରିବେ। ତେଣୁ ପଦ୍ମଦଳର ପ୍ରାଥମିକତା ହେବା ଆବଶ୍ୟକ, ଆଗେ ଘରକଳି ନିଜ ଘରେ ହିଁ ତୁଟାଇବା । କିନ୍ତୁ ତାହା ନ କରି ଯଦି ଏହି ପରିସ୍ଥିତିରେ ଗେରୁଆ ଦଳ ବିବାଦ ଓ ତିକ୍ତତା ଭିତରେ ସମୟ ଗଡ଼ାଏ, ତା’ହେଲେ ପଶ୍ଚିମ ଓଡ଼ିଶା ହାତରୁ ଯିବା ଥୟ।

%d bloggers like this: