କିମାଶ୍ଚର୍ଯ୍ୟମ୍-(4)- ମୃତ୍ୟୁ ଭୋଜି!

ମଣିଷ ପରମ୍ପରାକୁ ତିଆରି କରିଛି, ପରମ୍ପରା ମଣିଷକୁ ନୁହେଁ। ଯେଉଁ ପରମ୍ପରା ମଣିଷପଣିଆକୁ ହିଁ କାଠଗଡ଼ାରେ ଠିଆ କରେ, ସେଭଳି ପରମ୍ପରାକୁ ଜାବୁଡି ଧରିବାରେ ଏ ଅନାବଶ୍ୟକ ଆକୁଳତା ରଖିବା କାହିଁକି?

(ପରଂବ୍ରହ୍ମ ତ୍ରିପାଠୀ):ଅନୁଗୁଳ ଆଠମଲ୍ଲିକର ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଭିତରେ ଭୋ ଭୋ ହୋଇ କାନ୍ଦୁଥାନ୍ତି ମହିଳା ଜଣକ। ତାଙ୍କ ବେଶଭୂଷାରୁ ଜଣା ପଡୁଥାଏ ସେ ଦିନମଜୁରିଆ କି ନାମମାତ୍ର ଚାଷୀ ପରିବାରର। କାଖରେ ବର୍ଷେ ଦେଢ଼ ବର୍ଷର କଅଁଳା ଛୁଆଟିଏ, ପାଖରେ ଟିକେ ବଡ଼, ହେଲେ ଅପପୃଷ୍ଟିର ପୋଷ୍ଟର ଚାଇଲଡ଼ ଭଳି ଦିଶୁଥିବା ଆଉ ଗୋଟିଏ ଛୁଆ। ମହିଳାଙ୍କ କାନ୍ଦ ବନ୍ଦ କରିବାକୁ ବ୍ୟାଙ୍କ ମ୍ୟାନେଜର ଜଣକ ଯଥାସମ୍ଭବ ଚେଷ୍ଟା କରୁଥାନ୍ତି। କହୁଥାନ୍ତି, ତୁମ ସ୍ୱାମୀଙ୍କ ଖାତାରେ ଯେତିକି ପଇସା ଅଛି ଆମେ ସେତିକି ହିଁ ତ ଦେଇ ପାରିବୁ। ମହିଳା ଜଣଙ୍କ କାନ୍ଦ ଥମିବାର ନାଁ ନେଉ ନଥାଏ। ବୁଝୁ ବୁଝୁ ଜଣା ପଡିଲା, ମହିଳା ତାଙ୍କ ମୃତ ସ୍ୱାମୀଙ୍କ ନରେଗା ବ୍ୟାଙ୍କ ଖାତାରୁ ନୋମିନି ଭାବେ ପଇସା ଉଠାଇବାକୁ ଆସିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ବ୍ୟାଙ୍କକୁ ଆସିଥିଲେ, ବୁଝି କି ଯାଇଥିଲେ ଯେ ଖାତାରେ ପାଞ୍ଚ ହଜାର ଅଛି। ମ୍ୟାନେଜର କହିଥିଲେ ଯେ ସେ ପଇସା ଉଠେଇବା ପାଇଁ ସମୟ ଲାଗିବ, ମୃତ୍ୟୁ ପ୍ରମାଣପତ୍ର ଓ ଆବଶ୍ୟକୀୟ କାଗଜପତ୍ର ଜମା କରିବାକୁ ପଡିବ। ସୁଧଘର, କୁଟୁମ୍ବ ପଙ୍ଗତ କଣ ଅଟକିବ? ମହିଳା ଜଣକ ଗାଁ ସାହୁକାର ଠାରୁ ସୁଧରେ ଆଣିଲେ ପାଞ୍ଚ ହଜାର। ଦୁଇ ମାସ ପରେ ମୂଳର ସୁଧ ହେଲାଣି ହଜାରେ। ହେଲେ ସ୍ୱାମୀଙ୍କ ଖାତାରେ ଅଛି ମାତ୍ର ପାଞ୍ଚ। ଘରର ଏକମାତ୍ର ରୋଜଗାରିଆ ଲୋକ ମରିଗଲା, ତିନି ତିନିଟା ଛୋଟ ଛୁଆ, କରୋନା ପାଇଁ କାମଧନ୍ଦା ବନ୍ଦ, ତାଉପରେ ସାହୁକାରର ସୁଧ। ଛୁଆ ତିନିଟାଙ୍କ ମୁହଁରେ ତୋରାଣି ଟିକେ ଦେବାକୁ ସଖ୍ୟ ନାଇଁ, ସୁଧ ପଇସା ଦେବ କେମିତି ?ମହିଳାଜଣକ କାନ୍ଦି କାନ୍ଦି କହୁଥାନ୍ତି, ମଲୁନି ଯେ ଆମ ଚାରିଜଣଙ୍କୁ ସାହୁଘର ପୋଇଲି କରି ଦେଇ ଗଲୁ।

ମାର୍ଚ୍ଚ ମାସରେ ଏହି ଘଟଣାଟିକୁ ପ୍ରତ୍ୟକ୍ଷ କଲାବେଳେ ମୋ ମୁଣ୍ଡରେ ଫ୍ଲାସବ୍ୟାକ ଭଳି ଚାଲୁଥିଲା ଆମ ଘର ପାଖ ଗାଁର ଗୋଟେ ତିରିଶ ବର୍ଷ ପୁରୁଣା ଘଟଣା। ସେ ଘଟଣାର ନାୟକ ସେତେବେଳର ଓଡିଶା ପ୍ରଶାସନିକ ସେବାର ଜଣେ ଯୁବ ଅଧିକାରୀ ଯିଏ ପରବର୍ତ୍ତୀ ସମୟରେ ଭାରତୀୟ ପ୍ରଶାସନିକ ସେବାକୁ ଉତ୍ତୀର୍ଣ ହୋଇଥିଲେ ଓ ଅନେକ ଦାୟିତ୍ୱ ସୁଚାରୁରୂପେ ତୁଲାଇ ସରକାର ଓ ସେ କାମ କରୁଥିବା କ୍ଷେତ୍ରର ଲୋକଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ଘଟଣାଟି ତାଙ୍କ ମାତୃବିୟୋଗ ସମୟର। ଶବଦାହ ସାରିବାର ଗୋଟେ ଦୁଇଦିନ ପରେ ତାଙ୍କ ପାଖରେ ପହଞ୍ଚିଥିଲେ ଗାଁର କିଛି ମୁରବି, ଓ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ଶୁଦ୍ଧିଘର ଭୋଜିଟି ଯେପରି ଦଶ ଖଣ୍ଡ ଗାଁ ଲୋକ ଦେଖିଲା ଭଳି ହେବ। ହେଲେ ମୁରବୀଙ୍କୁ ଚମକାଇ ଦେଇ ବ୍ୟକ୍ତି ଜଣଙ୍କ ଉତ୍ତର ଦେଇଥିଲେ ଯେ ପିଲାବେଳୁ ବାପା ଚାଲି ଯାଇଥିଲେ, ଆଜି ମୋ ମା ଚାଲିଗଲା। ମୁଁ ଦୁଃଖରେ, ମତେ ଗାଁ ଵାଲା ଖାଇବାକୁ ଦେବେ ନା ମୁଁ ଗାଁ ବାଲାଙ୍କୁ ଖାଇବାକୁ ଦେବି? ତାପରେ ଏଇଟା ଶୋକ ସମୟ, ଏଥିରେ କଣ ପାଇଁ ଦଶ ଖଣ୍ଡ ଗାଁ ବା କୌଣସି ବଡ଼ ଆୟୋଜନ କରାଯିବ? ଏତିକି କଥା ଯଥେଷ୍ଟ ଥିଲା ମୁରବୀମାନଙ୍କୁ ଅସନ୍ତୁଷ୍ଟ କରିବାରେ। ତାପରେ? ତାପରେ ପରିସ୍ଥିତି ଏପରି ସୃଷ୍ଟି କରାଗଲା ଯେ ଭଦ୍ରବ୍ୟକ୍ତି ଜଣକ ଦଶତୁଠରୁ ଅପମାନିତ ହୋଇ ଫେରିଲେ ଭୁବନେଶ୍ୱର। ପରବର୍ତ୍ତୀ ସମୟରେ ସେହି ଭଦ୍ରବ୍ୟକ୍ତି ନିଜ ଗାଁର ଅନେକ ଗରିବ ମେଧାବୀ ପିଲାଙ୍କୁ ତାଙ୍କ ଲକ୍ଷ୍ୟ ହାସଲ ଦିଗରେ ସାହାଯ୍ୟ କରିଛନ୍ତି, ରାଜ୍ୟର ଜଣେ ଦକ୍ଷ ପ୍ରଶାସକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ହେଲେ ଆଜିବି, ତାଙ୍କ ବିଷୟରେ କଥା ହେଲା ବେଳେ ଲୋକେ ତାଙ୍କ ସାହାଯ୍ୟ କିମ୍ବା ଦକ୍ଷତାକୁ ନୁହେଁ, ବରଂ ମାଆ ସୁଧଘର ଭୋଜି ଦାଣ୍ଡ ସୁନ୍ଦର ଢଙ୍ଗରେ ନ କରିପାରିଥିବାର ଉଦାହରଣ ଦିଅନ୍ତି।

ଉପର ଦୁଇଟି ଯାକ ଘଟଣାର ଚରିତ୍ରଙ୍କ ଭିତରେ ଅନେକ ବୈଷମ୍ୟ ଥାଇପାରେ। ହେଲେ, ଗୋଟିଏ ସମାନତା ଅଛି, ସେଇଟି ହେଲା ପରମ୍ପରା ଓ ପରମ୍ପରାର ବଡ଼ପଣ୍ଡାଙ୍କ ଆଗରେ ଅସହାୟତା। ଏକା ମୁଁ ନୁହଁ, ଆପଣ ବି ଆଖି ବୁଲାନ୍ତୁ, ଆପଣ ବି ଦେଖି ପାରିବେ, ଅନୁଭବ କରିପାରିବେ-ଅଶୀ ବର୍ଷର ବାପଟିଏ ନିଜ ଚାଳିଶି ବର୍ଷ ପୁଅର ଶୁଦ୍ଧିଘର କଲା ବେଳକୁ ଭୋଗୁଥିବା ମାନସିକ ଯନ୍ତ୍ରଣା, ପରିବାର ଆୟର ଏକମାତ୍ର ଉତ୍ସ ସ୍ୱାମୀକୁ ଅକାଳରେ ହରାଇଥିବା ସ୍ତ୍ରୀକୁ ସ୍ୱାମୀ ଦଶତୁଠ ପାଇଁ କୋଡ଼ିଏ ବନ୍ଧୁ ବାନ୍ଧବଙ୍କ ଲୁଗାପଟା, ବାରପତ୍ର ଖିଆ ପିଆ ପାଇଁ ନିଜ ଶେଷ ସମ୍ବଳ ସୁନା ଟିକକ ବନ୍ଧା ପକେଇବା ବେଳର ସେ ଛାତିଫଟା ବେଦନା, ଦୀର୍ଘଦିନ ଧରି ବେମାରରେ ପଡିଥିବା ସ୍ତ୍ରୀର ଚିକତ୍ସାରେ ନିଃସ୍ୱ ହେଇଯାଇଥିବା ସ୍ୱାମୀଟିର ସ୍ତ୍ରୀ ଶୁଦ୍ଧିକ୍ରିୟା ପାଇଁ ଘରଢ଼ିହ ବନ୍ଧା ରଖିଲା ବେଳେ ବାହାରୁଥିବା ତତଲା ନିଃଶ୍ଵାସର ଉଷ୍ମତା, ବହି ଧରିବା ବୟସରେ ବାପ ସୁଧଘର ଟଙ୍କା ବଦଳରେ ଇଟାଭାଟିରେ ଦାଦନ ଖଟିବା ପାଇଁ ଚୁକ୍ତି କରିଦେଉଥିବା ଦଶ ବର୍ଷ ବାଳକର ମନ ତଳ କୋହ।

ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇ ପାରନ୍ତି, ମାତ୍ର ଏହା ସତ୍ୟ ଯେ ମୃତ୍ୟୁଭୋଜି ନିଷେଧ କରିବା ପାଇଁ ରାଜସ୍ଥାନ ରାଜ୍ୟ ସରକାର 1960 ମସିହାରୁ ଆଇନ ଆଣି ସାରିଛନ୍ତି। ଏହି ଆଇନ ଅନୁସାରେ ମୃତ୍ୟୁଭୋଜି ଆୟୋଜନ ଓ ସେଥିରେ ଯୋଗ ଦେବା ଉଭୟ ନିଷିଦ୍ଧ ଓ ଦଣ୍ଡନୀୟ। ଏପରି କାମ ପାଇଁ ସେଠାରେ ଉଭୟ ଜେଲଦଣ୍ଡ ଓ ଜୋରିମାନାର ବ୍ୟବସ୍ଥା ଅଛି। ହେଲେ ଗତ 60 ବର୍ଷରେ ଦଣ୍ଡିତ ହୋଇଛନ୍ତି କେତେଜଣ? ଉତ୍ତର ହେଉଛି ହାତ ଗଣତି। ରାଜସ୍ଥାନରେ ଗତ ଷାଠିଏ ବର୍ଷରେ ମୃତ୍ୟୁଭୋଜି ଓ ସେଥିରେ ହେଉଥିବା ଖର୍ଚ୍ଚ କମିଛି କି ? ଏହାର ଉତ୍ତର ହେଉଛି ନାଁ। କାରଣ, ପରମ୍ପରା ଯେତେ କଦାକାର, କୁତ୍ସିତ ହେଉନା କାହିଁକି, ମାନସିକତା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ କେବଳ ଆଇନ ଦ୍ୱାରା ତାହାର ମୂଳୋତ୍ପାଟନ ସହଜ କିମ୍ବା ସମ୍ଭବ ନୁହେଁ।

ମୃତ୍ୟୁଭୋଜିକୁ ପରମ୍ପରା ନାଁରେ ସମର୍ଥନ କରୁଥିବା ଗୋଷ୍ଠୀ ପରମ୍ପରାକୁ ଏକକ ଭାବେ ନଦେଖି ସାମୁହିକ ଭାବେ ଦେଖିବାର ସମୟ କଣ ଆସିନି? ବ୍ୟକ୍ତିଟିଏ ଯେତେ ଖଳ ପ୍ରକୃତିର ହେଇଥାଉ ନା କାହିଁକି ତା ମୃତ୍ୟୁ ପରେ ତା ବିଷୟରେ ଖରାପ କହିବାକୁ ପରା ପରମ୍ପରା ଆମକୁ ବାରଣ କରେ। ଶବକୁ ନେଇ ତୁମ୍ବିତୋଫାନ ରାଜନୀତି କରୁଥିବା ଲୋକଙ୍କୁ ଶଗୁଣା ସହ ସମାନ ବୋଲି ଦର୍ଶାଏ। ଶବକୁ ନେଇ ରାଜନୀତି କରୁଥିବା କରୁଥିବା ଲୋକଟି ଯଦି ଶଗୁଣା, ତାହାଲେ ଶବକୁ ନେଇ କ୍ଷୀରିପୁରି ଖାଉଥିବା ଲୋକକୁ କଣ କୁହାଯିବ? ଧର୍ମ, ସମୟ, ଭୌଗଳିକ ଅବସ୍ଥିତି ନିର୍ବିଶେଷରେ କୌଣସି ପରମ୍ପରା ନିଜ ଉତ୍ପତ୍ତି ସମୟରେ ଶତ ପ୍ରତିଶତ ଠିକ ବା ଶତ ପ୍ରତିଶତ ଭୁଲ ନଥାନ୍ତି। ତତ୍କାଳିକ ସମସ୍ୟା ପାଇଁ ସମାଧାନଟିଏ ଖୋଜା ଯାଏ, ଧୀରେ ଧୀରେ ସେଇଟି ପରମ୍ପରା ବା ରୀତିରେ ରୂପାନ୍ତରିତ ହେଇଯାଏ। ସମୟ ବଦଳିବା ସହ ମଣିଷର ଜୀବନ ଓ ଶୈଳୀ ଯଦି ବଦଳିଛି, ତାହାଲେ ପୁରୁଣା ପରମ୍ପରାକୁ ଜାବୁଡି ଧରିବା କେତେଦୂର ପ୍ରାସଙ୍ଗିକ?

ପଶୁପକ୍ଷୀଙ୍କ ଗୋଠରୁ ଜଣେ ମରିଗଲେ ପରା ଗୋଠର ଅନ୍ୟମାନେ ଶୋକରେ ଦିନେ ଖାଦ୍ୟ ଛାଡି ଦେଉଛନ୍ତି। ଆଉ ଯେଉଁ ପରମ୍ପରା କୁହେ ଯେ ୮୪ ଲକ୍ଷ ଯୋନି ପରେ ମହାର୍ଘ ମଣିଷ ଜନ୍ମ ମିଳିଛି, ସେହି ପରମ୍ପରା କେମିତି ଆତ୍ମୀୟ/ଚିହ୍ନା ପରିଚିତର ମୃତ୍ୟୁରେ ବାରପତ୍ର କି ଶୁଦ୍ଧି ଭୋଜିରେ ଖିରି ମିଠା ଖାଇବାକୁ, ନଡ଼ିଆ ରାଇରେ ଲୁଣ କମିଗଲା, କି ମାଛ କାଲିଆଟେ କାହିଁକି କଲନି ବୋଲି କହିବାକୁ ପ୍ରୋତ୍ସାହିତ କରୁଛି?

ଶେଷରେ ଏତିକି, ମଣିଷ ପରମ୍ପରାକୁ ତିଆରି କରିଛି, ପରମ୍ପରା ମଣିଷକୁ ନୁହେଁ। ଯେଉଁ ପରମ୍ପରା ମଣିଷପଣିଆକୁ ହିଁ କାଠଗଡ଼ାରେ ଠିଆ କରେ, ସେଭଳି ପରମ୍ପରାକୁ ଜାବୁଡି ଧରିବାରେ ଏ ଅନାବଶ୍ୟକ ଆକୁଳତା ରଖିବା କାହିଁକି ?

Leave a Reply

Your email address will not be published.