ଏହି କାଫେରେ ମିଳୁଛି ୧୨ ଦେଶର ୧୫୦ ପ୍ରକାର ଚା’

ଏହି କାଫେରେ ମିଳୁଛି ୧୨ ଦେଶର ୧୫୦ ପ୍ରକାର ଚା’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଧାରୁ ଅଧିକ ଭାରତୀୟଙ୍କ ଦିନ ଚା’ କପେରୁ ଆରମ୍ଭ ହୋଇ ଚା’ କପ୍ ରେ ଶେଷ ହୋଇଥାଏ। ଆମ ଦେଶର ଲୋକ କେତେ ଚା’ ପ୍ରିୟ ତାହାତ ସମସ୍ତଙ୍କୁ ଭଲରେ ଜଣା। ଏପରି କେତେକ ଲୋକ ରହିଛନ୍ତି ଯେଉଁମାନେ ଖାଦ୍ୟ ବିନାତ ରହି ଯିବେ ହେଲେ ଚା’ ବିନା ନୁହେଁ। ସେହିଭଳି ଆଉ କେତେକ ଲୋକ ଅଛନ୍ତି ଯେଉଁମାନେ କି ଚା’ରେ ଅଲଗା ଅଲଗା ଫ୍ଲେବର୍ ଟେଷ୍ଟ କରିବାକୁ ପସନ୍ଦ କରିଥାଆନ୍ତି। ତେବେ ସେମିତି ଚା’ ପ୍ରିୟ ଲୋକଙ୍କ ପାଇଁ ଝାଡ଼ଖଣ୍ଡର ଜମସେଦପୁରରେ ଏକ କାଫେ ଖୋଲାଯାଇଛି। ଯେଉଁଠାରେ ୧୨ଟି ଦେଶର ଚା’ ପରଷା ଯାଉଛି। ଏହି କାଫେରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ପର୍ଯ୍ୟନ୍ତ ଚା’ କପର ଦାମ ରହିଛି। ଏହି କାଫେର ଆଉ ଏକ ବିଶେଷତ୍ଵ ହେଉଛି ଏଠାରେ କାମ କରୁଥିବା କର୍ମଚାରୀ ନା କଥା କହିପାରନ୍ତି ନା ଶୁଣିପାରନ୍ତି। କେବଳ ଯାହା ଇସାରାରେ ଗ୍ରାହକମାନଙ୍କଠୁ ଅର୍ଡର ନିଆ ଦିଆ କରନ୍ତି। ତେବେ କହି ଶୁଣି ନପାରିଲେ ମଧ୍ୟ ନିଜର କାମ ଅତ୍ୟନ୍ତ ନିଖୁଣ ଭାବରେ କରିବା ସହ ଗ୍ରାହକଙ୍କ ମନପସନ୍ଦର ଚା’ ଯୋଗାଇ ଦେଉଛନ୍ତି ସେମାନେ।


la gravity ନାମକ ଏହି କାଫେରେ ଜାପାନ, କୋରିଆ, ଫ୍ରାନ୍ସ, ଚୀନ, ଶ୍ରୀଲଙ୍କା, ଭିଏତନାମ, ନେପାଳ, ବ୍ରାଜିଲ, କେନିଆ ପରି ୧୨ ଟି ଦେଶର ଚା’ ମିଳୁଛି। ଭାରତର ଆସାମ ଆଉ ଦାର୍ଜିଲିଙ୍ଗ ଚା’ ପିଇବା ପାଇଁ ମଧ୍ୟ ବହୁ ଦୂରରୁ ଲୋକ ଏଠାକୁ ଆସିଥାନ୍ତି। ଏଠାରେ କେବଳ କ୍ଷୀରରେ ୨୬ ପ୍ରକାର ଚା ହେଉଥିବା ବେଳେ ବାକି, ଗ୍ରୀନ ଟି, ବ୍ଲାକ୍ ଟି, ମସଲା ଚା, ଆଦି ରହିଛି। ଏହି କାଫେରେ କାମ କରୁଥିବା ୧୨ ଜଣ କର୍ମଚାରୀ କହିବା ଶୁଣିବାରେ ଅସମର୍ଥ ସତ କିନ୍ତୁ ଗ୍ରାହକଙ୍କୁ ସେବା ଯୋଗାଇବା ସହ ହିସାବ ପତ୍ରରେ ବେଶ ପାରଙ୍ଗମ ଅଟନ୍ତି। କାଫେ ମାଲିକ ଅବିନାଶ ଦୁଗଲଙ୍କ କହିବା କଥା ସେ ପ୍ରତିଦିନ ସକାଳୁ ତାଙ୍କ ଟିମ୍‌ଙ୍କ ସହ ପ୍ରାର୍ଥନା କରନ୍ତି। ଏଵଂ ସକାରାତ୍ମକ ଭାବନା ନେଇ କାମ ଆରମ୍ଭ କରିଥାନ୍ତି।


କାଫେର ଡିଜାଇନ୍‌ ଓ ସାଜସଜ୍ଜା ଖୁବ୍‌ ସୁନ୍ଦର ଭାବେ କରାଯାଇଛି। ସମସ୍ତ ବର୍ଗର ଲୋକଙ୍କୁ ଧ୍ୟାନରେ ରଖି ଏହି କାଫେ ଡିଜାଇନ୍ ହୋଇଛି। ଏଠାରେ ରାଜାରାଜୁଡାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଚା’ ବିକ୍ରି ହେଉଛି। କଲେଜ ପଢୁଆ ପିଲାଙ୍କ ପାଇଁ ମସଲା ଚା’, ଅଫିସ କର୍ମଚାରୀଙ୍କ ପାଇଁ କଡ଼ା ଚା’, ପଡ଼ୋଶୀ ପାଇଁ ମିଠା ଚା’, ହୋଟେଲଙ୍କ ପାଇଁ ହଟ୍‌ ଚା ଏବଂ ଫାଇଭ୍‌ ଷ୍ଟାର ହୋଟେଲ ପରି ଦାମୀ ଚା’ ଏଠାରେ ମିଳିଥାଏ। କାଫେ ମାଲିକ ଅବିନାଶ କୁହନ୍ତି ଯେ ସେ କହିପାରୁ ନ ଥିବା ଶୁଣିପାରୁ ନଥିବା ପିଲାମାନଙ୍କୁ ରୋଜଗାର ଦେଇ ଆତ୍ମନିର୍ଭରଶୀଳ କରିବାକୁ ଚାହାନ୍ତି। ସମସ୍ତେ କରୋନା ଟିକା ମଧ୍ୟ ନେଇ ସାରିଛନ୍ତି। ଏଠାରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥିବା ବେଳେ ପ୍ରାୟ ୧୫୦ ପ୍ରକାରର ଚା’ ଏବଂ କଫି, ପିଜା, ପେଷ୍ଟ୍ରି, କେକ୍‌ ଆଦି ମିଳିଥାଏ। ଏଠାରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀ ବହୁତ ଖୁସି ମିଜାଜର। ଏଠାରେ ଟିପ୍ସ ଦେବାର ବ୍ୟବସ୍ଥା ନାହିଁ, ସେମାନେ କୁହନ୍ତି, ଯଦି ଆମ ଚା’ ଆପଣଙ୍କୁ ଭଲ ଲାଗିବ ତେବେ ଆପଣ ଆଉ ଥରେ ଆସିବେ ତାହା ଆମ ପାଇଁ ଟିପ୍ସ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: