ପୃଥିବୀର ଏହି ସ୍ଥାନରେ ରହିଛି ପରୀ ରାଇଜ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣ କେବେ ପରୀ ରାଇଜ ଦେଖିଛନ୍ତି କି? ହୁଏତ ଉତ୍ତର ନାହିଁ ଆସିବ। କିନ୍ତୁ ପରୀ ରାଇଜକୁ ନେଇ ପ୍ରାୟ ସମସ୍ତେ କିଛିନା କିଛି କାହାଣୀ ଶୁଣିଥିବେ। ପରୀମାନେ ଅତି ସୁନ୍ଦର, ସେମାନେ ଖୁସିର ପରସ ଦେଇଥାନ୍ତି। ପରୀ ରାଇଜ ମନରେ ଏକ ସୁନ୍ଦର ଦୁନିଆଁର ଧାରଣା ଦେଇଥାଏ । ପରୀ ରାଇଜର କାହାଣୀ ଶୁଣି ସତରେ ଏହି ସ୍ଥାନ ଦେଖିବା ସମସ୍ତଙ୍କ ମନରେ ଉତ୍କଣ୍ଠା ଲାଗିରହିଥାଏ। ହେଲେ ଆମ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠାକୁ ପରୀମାନେ ସ୍ୱର୍ଗରୁ ଓହ୍ଲାଇ ଆସି, ମଜାମସ୍ତି କରି ପୁଣି ସେମାନଙ୍କ ଦୁନିଆକୁ ଫେରିଥାନ୍ତି ।ଏହି ସ୍ଥାନଟି ହେଉଛି ଉତ୍ତରାଖଣ୍ଡର ଗଡୱାଲ ଜିଲାର ଖେଟ ପର୍ବତ ।

ଏହି ପର୍ବତକୁ ପରୀମାନଙ୍କର ପର୍ବତ ବୋଲି କୁହାଯାଏ । ଦୁନିଆଁର ସବୁଠାରୁ ରହସ୍ୟମୟ ପର୍ବତ କୁହାଯାଉଥିବା ଏହି ଖେଟ ପର୍ବତ ଶିଖରରେ ରାତି ହେବାମାତ୍ରେ ପରୀମାନଙ୍କୁ ଦେଖିବାକୁ ମିଳେ ବୋଲି କୁହାଯାଏ। ପର୍ବତର ପାଦଦେଶରେ ଥିବା ଗ୍ରାମବାସୀଙ୍କ କହିବା ଅନୁଯାୟୀ ପର୍ବତ ଶିଖରକୁ ପ୍ରତ୍ୟେକ ରାତିରେ ପରୀମାନେ ଆସନ୍ତି । କିଛି ଲୋକ ତ ଏକଥା ବି କୁହନ୍ତି ଯେ, ସେମାନେ ନିଜେ ପରୀମାନଙ୍କୁ ଦେଖିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାର ବି ମାନୁଛନ୍ତି ଯେ ଖେଟ ପର୍ବତ ପରୀମାନଙ୍କର ମନୋରଞ୍ଜନ ସ୍ଥଳୀ, ସେଠାକୁ ପରୀମାନେ ଆସନ୍ତି। ଏହାର ସତ୍ୟତା ଜାଣିବା ପାଇଁ ପାରାନର୍ମାଲ ସୋସାଇଟି ଅଫ ଇଣ୍ଡିଆର ଏକ ବିଶେଷଜ୍ଞ ଦଳ ସେଠାକୁ ଯାଇଥିଲେ । ଉକ୍ତ ଦଳରେ ସାମିଲ ଥିବା ସଦସ୍ୟମାନଙ୍କ ସହିତ ଏଭଳି କିଛି ଅଜବ ଘଟଣା ଘଟିଥିଲା, ଯାହାର ଉତ୍ତର ସେହି ସଦସ୍ୟମାନଙ୍କ ପାଖରେ ନଥିଲା ।ଖେଟ ପର୍ବତ ହେଉଛି ଉତ୍ତରାଖଣ୍ଡର ଅନ୍ୟତମ ଉଚ୍ଚ ପର୍ବତ । ଏହି ପର୍ବତ ଶିଖରରେ ରହିଛି ଏକ ଦେବୀ ମନ୍ଦିର। ସେଠାରେ ଦୁର୍ଗା ମାତା ପୂଜା ପାଇଥାନ୍ତି । କିନ୍ତୁ ଏଠାରେ କେହି ଜନମାନବ ବାସ କରନ୍ତି ନାହିଁ ।

ତେବେ ପାଦଦେଶରେ ଥିବା ଗ୍ରାମଗୁଡିକର ଜନସାଧାରଣଙ୍କ କହିବା କଥା ଯେ ପ୍ରତି ରାତିରେ ସେଠାକୁ ପରୀମାନେ ଆସି ଦୁର୍ଗା ମାତାଙ୍କର ପୂଜାର୍ଚ୍ଚନା କରିଥାନ୍ତି । ଯଦି କେବେ କୌଣସି ମଣିଷ ଏହା ଦେଖିଦିଏ ତେବେ ତା ସହିତ କିଛି ନା କିଛି ରହସ୍ୟମୟ ଘଟଣା ଘଟିଥାଏ । ଉକ୍ତ ସ୍ଥାନରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥିବାବେଳେ ସ୍ଥାନୀୟ ଅଧିବାସୀ ସେମାନଙ୍କ ପିଲାମାନଙ୍କୁ କେବେହେଲେ ସେଠାକୁ ଛାଡନ୍ତି ନାହିଁ। ସେଠାରେ ସମସ୍ତ ପ୍ରକାର ସଂଗୀତ କାର୍ଯ୍ୟକ୍ରମକୁ ମଧ୍ୟ ନିଷେଧ କରାଯାଇଛି । ଲୋକଙ୍କର କହିବା କଥା ଯେ, କୌଣସି ବ୍ୟକ୍ତି ଯଦି ଲାଲ କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତି ତେବେ ପରୀମାନେ ତାଙ୍କୁ ବଶ କରିନିଅନ୍ତି । ଏ ସମ୍ପର୍କରେ ପାରାନର୍ମାଲ ସୋସାଇଟିର ସଦସ୍ୟମାନେ ଅନୁଧ୍ୟାନ କରିବା ସମୟରେ ସେମାନେ ମଧ୍ୟ ଏମିତି କିଛି ଘଟଣାକୁ ନେଇ ଚକିତ ହୋଇଯାଇଥିଲେ ।

ସେମାନଙ୍କ ସମ୍ମୁଖରେ ଯାହା ଘଟିଲା, ତାହା ସେମାନଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲା । ଏହି ଦଳର କ୍ୟାମେରାରେ କିଛି ଚିତ୍ର ଉତ୍ତୋଳିତ ହୋଇଥିଲା, ଯାହା ଆଶ୍ଚର୍ଯ୍ୟଜନକ ଥିଲା । ପରୀଙ୍କ ଭଳି ଝାପ୍‍ସା ଦେଖାଯାଉଥିବା କିଛି ଚରିତ୍ର ମୁହୂର୍ତ୍ତକ ପାଇଁ ଦେଖାଦେଇ କେଉଁଆଡେ ଉଭେଇ ଯାଇଥିଲା । ଏହାସହ ପାରାନର୍ମାଲ ଦଳର ସଦସ୍ୟ ତାଙ୍କ ଆଖି ସାମ୍ନାରେ କେହିଜଣେ ତରବର ହୋଇ ଚାଲିଯାଉଥିବା ଦେଖିବାକୁ ପାଇଥିଲେ, ଯାହାର ଫଟୋ ଉଠାଇବା ସମ୍ଭବ ହୋଇ ନଥିଲା । ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ପର୍ବତ ପାଦଦେଶରେ ଏକ ବୋର୍ଡ ଲଗାଯାଇ ସମୁଦାୟ ଅଞ୍ଚଳକୁ ପରୀଙ୍କ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *