IPS ସତିଶ ଗଜଭିୟେଙ୍କୁ ଆଶ୍ୱସ୍ତି,ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବନ୍ଦ କଲେ ରାଜ୍ୟ ସରକାର

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆଇପିଏସ ଅଧିକାରୀ ସତୀଶ ଗଜଭିୟେଙ୍କ ବିରୋଧରେ ଓଡ଼ିଶା ସରକାର ଚଳାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିନିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ଚାଲିଥିବା ଏହି କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରାଯାଇଛି ।୨୦୦୮ରେ ସେ ମାଲକାନଗିରି ଏସପି ଥିବାବେଳେ ତାଙ୍କ ବିରୋଧରେ ନକ୍ସଲ ଅପରେସନ ସଂପର୍କିତ ପ୍ରାୟ ସାଢେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଆତ୍ମସାତ ଅଭିଯୋଗ ହୋଇଥିଲା । ଏହା ପରେ ଓଡ଼ିଶା ସରକାର ୨୦୧୫ରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଯେଉଁଥି ପାଇଁ ତାଙ୍କ ପଦୋନ୍ନତି ଅଟକାଯାଇଥିଲା । ସେ ୨୦୦୨ ବ୍ୟାଚ ଆଇପିଏସ ଅଧିକାରୀ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସେ ଆଇଜି ପାହ୍ୟାକୁ ଯିବା କଥା । କିନ୍ତୁ ଏବେ ବି ସେ ଏସପି ପାହ୍ୟାରେ ଅଛନ୍ତି । ଏବେ ସେ ଭୁବନେଶ୍ବରରେ ଥିବା ଅର୍ବାନ ପୁଲିସ ଓ ଟ୍ରାଫିକ ଟ୍ରେନିଂ ପ୍ରତିଷ୍ଠାନର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରୁଛନ୍ତି। ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।ଓଡ଼ିଶା ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ ପ୍ରଥମେ ସ୍ୟାଟ ଓ ପରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ବିଚାର କରି ହାଇକୋର୍ଟ ଗଜଭୟେଙ୍କ ସପକ୍ଷରେ ରାୟ ଶୁଣାଇ ତାଙ୍କୁ ପିଛିଲା ତାରିଖରୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସତୀଶ ଗଜଭିୟେଙ୍କୁ ସମସ୍ତ ପ‌ଦୋନ୍ନତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଏକ ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଥିଲେ । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଥିଲେ । ଏହି ରାୟ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଥିଲେ ।

Leave a Reply

Your email address will not be published. Required fields are marked *