୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ହତ୍ୟା

୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ହତ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ତାଙ୍କ ପୁରୁଷ ବନ୍ଧୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ଯାଜପୁର ଏସପି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ସମେତ ୩ ଜଣଙ୍କୁ ଗିରଫ କରିଛି। ଯାଜପୁର ଏସପିଙ୍କ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ହିଁ ଝରାଫୁଲଙ୍କୁ ହତ୍ୟା କରିଥିଲା। ରାକେଶ ଏବଂ ଝରାଫୁଲ ଉଭୟେ ବନ୍ଧୁ ଥିଲେ। ବାଇକ୍‌ କିଣିବା ଲାଗି ରାକେଶ ଝରାଫୁଲଠାରୁ ୩୦ ହଜାର ଟଙ୍କା ନେଇଥିଲା। କିନ୍ତୁ ଠିକ୍‌ ସମୟରେ ତାହାକୁ ଫେରାଇ ନ ଥିଲା। ରାକେଶ ଟଙ୍କା ଦେବା ଲାଗି ଦିନ ଗଡ଼ାଇ ଚାଲିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଫଳରେ ଟଙ୍କା ନ ଦେଲେ ଘରକୁ ଯାଇ କହିବାକୁ ଝରାଫୁଲ ରାକେଶକୁ ଚେତାବନୀ ଦେଇଥିଲେ। ଏହା ପରେ ରାକେଶ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା। ଟଙ୍କା ଫେରାଇବା ବାହାନାରେ ରାକେଶ ଝରାଫୁଲକୁ ଡକାଇଥିଲା। ଜନ୍ମଦିନ ପାର୍ଟିକୁ ଆସିଥିବା ଝରାଫୁଲକୁ ରାକେଶ ଅଟକାଇବା ସହ ୨୬ ତାରିଖରେ ଏକ ଓୟୋ ହୋଟେଲକୁ ନେଇଯାଇଥିଲା। ସେଠାରେ ସେ ତାଙ୍କୁ ବଳପୂର୍ବକ ମଦ ପିଆଇଥିଲା। ଝରାଫୁଲ ମଦ ପିଇବା ପରେ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ଶ୍ଵାସରୁଦ୍ଧ କରି ରାକେଶ ହତ୍ୟା କରିଥିଲା। ପରେ ରାକେଶ ତା’ର ଦୁଇ ସହଯୋଗୀଙ୍କୁ ଡକାଇ ମୃତଦେହ ଫିଙ୍ଗିବାକୁ ବ୍ୟବସ୍ଥା କରିଥିଲା। ତେବେ ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବା ସହ ଖୁବଶୀଘ୍ର ମାମଲାର ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ଏସପି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: