ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବଢ଼ାଇବ ରୂପାର କବାଟ: ୩ ଦ୍ୱାର କବାଟର ହେବ ରୂପା ଛାଉଣୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶ୍ରୀମନ୍ଦିରର ଶୋଭା ବଢ଼ାଇବ ରୂପା ଛାଉଣୀର କବାଟ ।  ଶ୍ରୀମନ୍ଦିର ୩ ଦ୍ୱାର କବାଟର ହେବ ରୂପା ଛାଉଣୀ।  ଶ୍ରୀମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ ଆଶିଷ ସୁବୁଦ୍ଧିଙ୍କ ନେତୃତ୍ୱରେ ୫ ଜଣିଆ କମିଟି ପକ୍ଷରୁ ମହାପ୍ରଭୁଙ୍କ ମୁଖ୍ଯଦ୍ୱାର କଳାହାଟ ଦ୍ୱାର ଓ ଜୟ ବିଜୟ ଦ୍ୱାର ସହ ବେହରଣ ଦ୍ୱାରର ମାପଚୁପ କରାଯାଇଛି । ତିନି ଦ୍ୱାରରେ ପ୍ରାୟ ୧୯୨୦ କେଜି ରୂପା ଲାଗିବ । ଦ୍ୱାର ଗୁଡ଼ିକରେ ୧.୬୩ ଇଞ୍ଚ ମୋଟେଇର ରୁପା ଚାଦର ପଡ଼ିବା ପାଇଁ ଯୋଜନା ହୋଇଛି । ଏଥିପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରର କାଠ କାମ କରିବ । ଖିମଜୀ ଜୁଏଲାରୀ ପକ୍ଷରୁ ଦ୍ୱାର ଗୁଡ଼ିକର ଅନୁଧ୍ୟାନ କରାଯାଇଛି । ତେବେ ଦ୍ୱାରରେ ରୁପା ଛାଉଣୀ କାମ କେବେ ଆରମ୍ଭ ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

ଗର୍ଭଗୃହ ସଂଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟ ବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ । ମନ୍ଦିର ଦ୍ୱାର ଓ କବାଟ ମରାମତି କାମର ତଦାରଖ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ।

%d bloggers like this: