ଦୁଷ୍କର୍ମ ପୀଡ଼ିତାଙ୍କ ପ୍ରତି ହାଇକୋର୍ଟଙ୍କ ଦୃଷ୍ଟାନ୍ତମୂଳକ ରାୟ: ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭିନ୍ନକ୍ଷମ ଦୁଷ୍କର୍ମ ପୀଡ଼ିତାଙ୍କ ପ୍ରତି ହାଇକୋର୍ଟଙ୍କ ଦୃଷ୍ଟାନ୍ତମୂଳକ ରାୟ। ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ। ସପ୍ତାହେ ମଧ୍ୟରେ ପୀଡ଼ିତାଙ୍କ ନାଁରେ ଏକ ବ୍ୟାଙ୍କରେ ୫ ଲକ୍ଷ ଟଙ୍କା ଫିକ୍ସଡ ପଇଠ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କଠୁ ଜନ୍ମ ହେବାକୁ ଥିବା ଶିଶୁ ପାଇଁ ମଧ୍ୟ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୀଡ଼ିତାଠୁ ପୁତ୍ର ସନ୍ତାନ ହେଲେ ୩ ଲକ୍ଷ, କନ୍ୟା ସନ୍ତାନ ହେଲେ ୫ ଲକ୍ଷ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ରହିଛି। ପିଲା ଜନ୍ମ ହେବାରୁ ୧୦ ଦିନ ମଧ୍ୟରେ ଏହି ଅର୍ଥ ଜମା କରିବା ଲାଗି କୁହାଯାଇଛି।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଜଣେ ଭିନ୍ନକ୍ଷମଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି। ସେପଟେ ଗର୍ଭପାତ ପାଇଁ ପୀଡ଼ିତାଙ୍କ ମାଆ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ମେଡିକାଲ୍ ବୋର୍ଡର ରିପୋର୍ଟ ଅନୁସାରେ ସୁରକ୍ଷିତ ଗର୍ଭପାତ ଅବଧି ଅତିକ୍ରମ କରି ଯାଇଥିବାରୁ ପୀଡ଼ିତାଙ୍କ ମାଆଙ୍କ ଆବେଦନ ଖାରଜ ହୋଇଥିବାରୁ ଏହା ବଦଳରେ କ୍ଷତିପୂରଣ ଦେବାକୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।