ନାରୀ ଶକ୍ତି ଓ ରାଫେଲର ଯୁଗଳବନ୍ଦୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଫେଲକୁ ମିଳିଯାଇଛି ନାରୀ ଶକ୍ତି। ସେହି ଶକ୍ତି, ଯାହା ମଧ୍ୟରେ ଦୁନିଆର ସବୁ ଶକ୍ତି ଅନ୍ତର୍ନିହିତ ରହିଥାନ୍ତି। ଆଉ ଏହି ଶକ୍ତିର ନାଁ ହେଉଛି ଶିବାଙ୍ଗୀ ସିଂହ। ଫ୍ଲାଇଟ୍ ଲେଫ୍ଟେନାଣ୍ଟ ଶିବାଙ୍ଗୀ ସିଂହ, ଦୁନିଆର ସବୁଠୁ ଶକ୍ତିଶାଳୀ ଫାଇଟର୍ ଜେଟର ପ୍ରଥମ ମହିଳା ପାଇଲଟ୍ ସାଜିବାକୁ ଯାଉଛନ୍ତି। ରାଫେଲ୍ ଯେମିତି ଭାରତୀୟ ଶିବିରରେ ପୂର୍ବରୁ ଥିବା ମିଗ୍ ୨୧ ବାଇସନର ସ୍ଥାନ ନେବ, ଶିବାଙ୍ଗୀ ସିଂହ ଏହି ଭୂମିକାକୁ ଆସିଯିବେ। ମହିଳାମାନେ ନିମ୍ନ ମାନସିକତା ସବୁ ବନ୍ଧବାଡ଼ ଭାଙ୍ଗି ନିତି ନୂଆ ଇତିହାସ ଲେଖୁଛନ୍ତି। ଭାରତୀୟ ସେନା ବି ନାରୀର ସଶକ୍ତ ସ୍ୱରୂପର ସାକ୍ଷୀ ବନୁଛି। ଶିବାଙ୍ଗୀ ସିଂହଙ୍କ ରାଫେଲର ପାଇଲଟ୍ ସାଜିବା, ଭାରତର ଏହି ଗୌରବଶାଳୀ ଇତିହାସରେ ଏକ ନୂଆ ଫର୍ଦ୍ଦ। ଶିବାଙ୍ଗୀ ସିଂହଙ୍କୁ ପାଇଲଟ୍ ସାଜିବାର ପ୍ରେରଣା ତାଙ୍କ କର୍ଣ୍ଣେଲ୍ ରହି ସାରିଥିବା ଅଜାଙ୍କ ଠାରୁ ମିଳିଥିଲା। ଆଉ ୨୦୧୫ରେ ଭାରତୀୟ ବାୟୁସେନାରେ ତାଙ୍କର ଚୟନ ଫ୍ଲାଇଂ ଅଫିସର ଭାବେ ହେବା ସହ ତାଙ୍କର ସେ ସ୍ୱପ୍ନ ପୂରଣ ହୋଇଥିଲା।

ୟୁପିର ବାରଣାସୀର ବାସିନ୍ଦା ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିବାଙ୍ଗୀ ସିଂହ କନଭରଜନ୍ ଟ୍ରେନିଂ ପୂରା କରିବା ପରେ ବାୟୁସେନାର ଅମ୍ବାଲା ବେସରେ ୧୭ ଗୋଲ୍ଡେନ୍ ଏରୋ ସ୍କ୍ୱାର୍ଡ୍ରନରେ ଔପଚାରିକ ଭାବେ ସାମିଲ୍ ହୋଇଯିବେ। କୌଣସି ପାଇଲଟଙ୍କୁ ଗୋଟିଏ ଫ୍ଲାଇଟରୁ ଅନ୍ୟ ଏକ ଫ୍ଲାଇଟ ସ୍କ୍ୱାର୍ଡ୍ରନକୁ ଯିବା ପାଇଁ ହେଲେ କନଭରସନ୍ ଟ୍ରେନିଂର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ମିଗ୍ ୨୧ ଉଡ଼ାଇ ସାରିଥିବା ଶିବାଙ୍ଗୀ ସିଂହ ପାଇଁ ରାଫେଲ୍ ଉଡ଼ାଇବା ଏକ ବଡ଼ ଚ୍ୟାଲେଞ୍ଜ ଆଦୌ ହେବ ନାହିଁ। କାରଣ ମିଗ୍ ଦୁନିଆର ସବୁଠୁ କ୍ଷିପ୍ର ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରୁଥିବା ଫାଇଟର୍ ଜେଟ୍, ଯାହାକୁ ଏବେ ଶିବାଙ୍ଗୀ ଉଡ଼ାଉଛନ୍ତି।

ଫ୍ଲାଇଟ୍ ଲେଫ୍ଟେନାଣ୍ଟ ଶିବାଙ୍ଗୀ ସିଂହ ଏବେ ରାଜସ୍ଥାନର ଫରୱାର୍ଡ ଫାଇଟର୍ ବେସରେ ମୁତୟନ ଅଛନ୍ତି। ସେପଟେ କାଶୀର ଝିଅ ରାଫେଲ୍ ଉଡ଼ାଇବା ଜାଣିବା ପରେ ତାଙ୍କ ପରିବାରର ଖୁସି ଏବେ କହିଲେ ନସରେ। ମିଠା ଖୁଆଇ ଜଣେ ଅନ୍ୟ ଜଣଙ୍କୁ ଶିବାଙ୍ଗୀଙ୍କ ସଫଳତାକୁ ନେଇ ଖୁସି ମନାଉଛନ୍ତି।

ସେପ୍ଟେମ୍ବର ୧୦ରେ ୫ଟି ରାଫେଲ୍ ବିମାନକୁ ଭାରତୀୟ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ କରାଯାଇଥିଲା। ଏହି ବିମାନ ବାୟୁସେନାର ୧୭ ସ୍କ୍ୱାର୍ଡ୍ରନ୍ ଗୋଲ୍ଡେନ୍ ଏରୋର ଅଂଶ ସାଜିଛନ୍ତି। ଅମ୍ବାଲାରେ ରାଫେଲ୍ ଫାଇଟର୍ ଜେଟର ପ୍ରଥମ ସ୍କ୍ୱାର୍ଡ୍ରନ୍ ମୁତୟନ ଅଛନ୍ତି। ଶିବାଙ୍ଗୀ ଏବେ ଏହି ସ୍କ୍ୱାର୍ଡ୍ରନର ଅଂଶ ସାଜିବେ। ବିଏଚୟୁରୁ ପଢ଼ିଥିବା ଶିବାଙ୍ଗୀ ସିଂହ, ମହିଳା ପାଇଲଟଙ୍କ ଦ୍ୱିତୀୟ ବ୍ୟାଚର ଅଂଶ ଥିଲେ, ଯାହାଙ୍କ ପୋଷ୍ଟିଂ ୨୦୧୭ରେ ହୋଇଥିଲା। ଭାରତୀୟ ବାୟୁସେନା ପାଖରେ ଫାଇଟର୍ ଜେଟ୍ ଉଡ଼ାଇବା ଭଳି ୧୦ ମହିଳା ପାଇଲଟ୍ ଅଛନ୍ତି, ଯେଉଁମାନେ ସୁପର ସୋନିକ୍ ଜେଟ୍ ଉଡ଼ାଇବାର କଠିନ ଟ୍ରେନିଂ ନେଇଛନ୍ତି।

%d bloggers like this: