ପୁଣି ନୂଆ ଇତିହାସ ଲେଖିବ ଜମ୍ମୁ-କାଶ୍ମୀର, ଖୁବଶୀଘ୍ର ବଡ଼ ଘୋଷଣା ?

ପୁଣି ନୂଆ ଇତିହାସ ଲେଖିବ ଜମ୍ମୁ-କାଶ୍ମୀର, ଖୁବଶୀଘ୍ର ବଡ଼ ଘୋଷଣା ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଖୁବଶୀଘ୍ର ବଡ଼ ଧରଣର ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ଏହାକୁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଦେବା ନେଇ ଯେଉଁ କିଛିଦିନ ଧରି ଚର୍ଚ୍ଚା ଆଲୋଚନା ହେଉଥିଲା, ଖୁବଶୀଘ୍ର ସେଥିରେ ଯବନିକା ପଡ଼ିପାରେ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିବାସରେ ଆଜି ଚାଲିଥିଲା ସର୍ବଦଳୀୟ ବୈଠକ। ଆଠଟି ଦଳର ୧୪ ଜଣ ନେତା ଏହି ବୈଠକରେ ସାମିଲ ଥିଲେ। ତେବେ ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା, ପରିସୀମା ନିର୍ଦ୍ଧାରଣ ଓ ନିର୍ବାଚନ କରାଇବା। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାମାନଙ୍କୁ ଆଶ୍ୱାସନା ଦେଇଥିଲେ। ପରିସୀମା ନିର୍ଦ୍ଧାରଣ ପରେ ବିଧାନସଭା ନିର୍ବାଚନ କରିବା ପାଇଁ ନେତାମାନେ ପ୍ରସ୍ତୁତ ହୁଅନ୍ତୁ ବୋଲି ମୋଦି କହିଥିଲେ। ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ କେନ୍ଦ୍ର ସରକାର ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆଉ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ କରିଥିଲେ। କିନ୍ତୁ ଏଠାରେ ବିଧାନସଭା ନିର୍ବାଚନ କରାଇବାକୁ ହେଲେ ପରିସୀମା ନିର୍ଦ୍ଧାରଣ ନିହାତି ଜରୁରୀ ହୋଇଥିବାରୁ ସରକାର ଏହାର ବିଚାର କରିବାକୁ ଲାଗିଲେ। ଆଉ ଶେଷରେ ଏହାକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ସହ ଏଠାରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର।

ପରିସୀମା ନିର୍ଦ୍ଧାରଣ କ’ଣ ?

ପରିସୀମା ନିର୍ଦ୍ଧାରଣର ଅର୍ଥ ହେଉଛି, କୌଣସି ରାଜ୍ୟ କିମ୍ୱା କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନମଣ୍ଡଳୀ ନିର୍ଦ୍ଧାରଣ କରିବା। ଏହି ପ୍ରକ୍ରିୟାରେ ଲୋକସଭା କିମ୍ୱା ବିଧାନସଭାର ଆସନର ସୀମା ପୁନଃନିର୍ଦ୍ଧାରଣ କରାଯାଇଥାଏ।
ପରିସୀମା ନିର୍ଦ୍ଧାରଣର ଉଦ୍ଦେଶ୍ୟ
୧) ପୁନଃନିର୍ଦ୍ଧାରଣ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ଗାଣତାନ୍ତ୍ରିକ କରିବାର ଏକ ଉପାୟ। ସମୟ ସହ ତାଳ ଦେଇ ଜନସଂଖ୍ୟାରେ ହୋଇଥିବା ପରିବର୍ତ୍ତନ ସତ୍ତ୍ୱେ ସମସ୍ତ ନାଗରିକଙ୍କ ପାଇଁ ସମାନ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାକୁ ଏହା କରାଯାଇଥାଏ।
୨) ଜନସଂଖ୍ୟା ଆଧାରରେ ନିର୍ବାଚନମଣ୍ଡଳୀ ଉଚିତ୍ ବିଭାଜନ କରିବା, ଯାହା ଦ୍ୱାରା କି ପ୍ରତ୍ୟେକ ବର୍ଗର ନାଗରିକଙ୍କୁ ପ୍ରତିନିଧିତ୍ୱର ସମାନ ଅଧିକାର ମିଳିପାରିବ।
୩) ଅନୁସୂଚିତ ଜାତିର ଲୋକଙ୍କ ହିତ ଦୃଷ୍ଟିରୁ ସଂରକ୍ଷିତ ଆସନ ନିର୍ଦ୍ଧାରଣ କରିବା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା କରାଯାଇଥାଏ।

ସୀମା ପୁନଃନିର୍ଦ୍ଧାରଣ କମିଶନ
ଭାରତରେ ସୀମା ପୁନଃନିର୍ଦ୍ଧାରଣ କମିଶନ ଦ୍ୱାରା ସୀମା ନିର୍ଦ୍ଧାରଣ କରାଯାଇଥାଏ। ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚଟି ସୀମା ପୁନଃନିର୍ଦ୍ଧାରଣ କମିଶନ ଗଠନ ହୋଇସାରିଛି। ୧୯୫୨, ୧୯୬୩, ୧୯୭୩ ଏବଂ ୨୦୦୨ରେ କମିଶନଗଠନ କରାଯାଇଥିଲା। ଏହାପରେ ପଞ୍ଚମ କମିଶନ ୨୦୨୦ ମସିହାରେ ଜମ୍ମୁ କାଶ୍ମୀର ଏବଂ ପୂର୍ବୋତ୍ତର ଚାରିଟି ରାଜ୍ୟର ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ପାଇଁ ଗଠନ କରାଯାଇଥିଲା।

ନିର୍ବାଚନର ଗଣିତ ଏମିତି
୨୦୧୯ ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ, ଜମ୍ମୁ କାଶ୍ମୀରର କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ଆସନ ସଂଖ୍ୟା ୧୦୭ରୁ ବୃଦ୍ଧି କରି ୧୧୪ କରାଯିବ। ଏହା ପୂର୍ବରୁ ବିଧାନସଭା ଆସନ ସଂଖ୍ୟା ୮୭ ଥିଲା। ଏଥିରେ ଲଦାଖର ଚାରିଟି ଆସନ ମଧ୍ୟ ସାମିଲ ଥିଲା। କିନ୍ତୁ ଏବେ ବିଧାନସଭାର ୨୪ଟି ଆସନ ପିଓକେ ପାଇଁ ସଂରକ୍ଷିତ ଅଛି। ଏହି ଆସନ ଗୁଡ଼ିକୁ ବର୍ତ୍ତମାନ ଭାରତ ସରକାର ଜମ୍ମୁ କାଶ୍ମୀର ସହ ମିଶାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହା ସମ୍ଭବ ହେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: