Connect with us

ରାଜ୍ୟ

ନେଡ଼ିଗୁଡ଼ ସାଜି ବୋହିଗଲା ‘ନେରେଡ଼ି’ ଆଶା !

Published

on

ପ୍ରିଜମ୍ ନ୍ୟୁଜ(ହିତାଂଶୁ ଶେଖର ମହାନ୍ତ): ପୁଣି ହାରିଲେ ରାଜ୍ୟ ସରକାର । ଛୋପରା ହୋଇ ହାରିଥିବା ପ୍ରସଙ୍ଗକୁ ଉଖାରିଥିଲେ ସିନା, ହେଲେ ମୁହଁମାଡ଼ି କଚଡ଼ା ଖାଇଲେ । ଆଜ୍ଞା, ଆମେ କହୁଛୁ ବଂଶଧାରା ନଦୀ ଜଳବିବାଦ କଥା । ଏଥିପାଇଁ ଗଠିତ ଟ୍ରିବ୍ୟୁନାଲରେ ଗତକାଲି (୨୨ ଜୁନ୍ ୨୦୨୧) ଶୁଣାଣି ହେଲା । ଆପଣଙ୍କ ଜାଣିବା ପାଇଁ କହିରଖୁ, ଏହା ପ୍ରଥମ ଶୁଣାଣି ନ ଥିଲା । ଆଉ ଯେମିତି ଅନୁମାନ କରାଯାଉଥିଲା, ଫଳ ସେଇମିତି ହିଁ ହେଲା । ମାନେ ଗତ ୨୦୧୭ରେ ଶୁଣାଇଥିବା ନିଜ ରାୟରେ ହିଁ କାଏମ ରହିଛନ୍ତି ଟ୍ରିବ୍ୟୁନାଲ । ଅର୍ଥାତ୍ ନେରେଡ଼ିଠାରେ ଆନିକଟ ନିର୍ମାଣ କରିବାକୁ ପୁଣିଥରେ ଆନ୍ଧ୍ରପ୍ରଦେଶକୁ ମିଳିଛି ସବୁଜ ସଂକେତ । ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଟ୍ରିବ୍ୟୁନାଲ ଓଡ଼ିଶା ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।

ସିଧାକଥାରେ କହିବାକୁ ଗଲେ, ଓଡ଼ିଶା ତା’ ନିଜ ପଟ ଲୋକଙ୍କୁ ବିସ୍ଥାପିତ କରି ସେହି ଜମି ଆନ୍ଧ୍ର ପ୍ରଦେଶକୁ ଦେବ । ବଦଳରେ ଆନ୍ଧ୍ର ତାକୁ (ବିସ୍ଥାପିତ ହେବାକୁ ଥିବା ଓଡ଼ିଶା ଲୋକଙ୍କୁ) କ୍ଷତିପୂରଣ (ବା ବିସ୍ଥାପନ ଖର୍ଚ୍ଚ) ଦେବ । (ଓଃ, ସତେଯେମିତି ଏତିକି କରି ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଉପରେ ଦୟା କରି ପକେଇବ ଆନ୍ଧ୍ର…) ପୂର୍ବରୁ ୨୦୧୭ରେ ମଧ୍ୟ ସମାନ କଥା କହିଥିଲେ ଟ୍ରିବ୍ୟୁନାଲ । ମାନେ ଓଡ଼ିଶା ନିଜ ଅଞ୍ଚଳର ଲୋକଙ୍କୁ ବିସ୍ଥାପିତ କରି, ଆନ୍ଧ୍ରଠାରୁ କ୍ଷତିପୂରଣ ନେଇ ନିଜ ଲୋକଙ୍କୁ ଥଇଥାନ କରିବ । ତେବେ ଓଡ଼ିଶା ଏହାର ବିରୋଧ କରିବା ସହିତ ସ୍ପଷ୍ଟୀକରଣ ଲୋଡ଼ିଥିଲା… କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟୀକରଣ ଲୋଡ଼ିଥିଲେ… କାରଣ ଲୋକଙ୍କୁ ବିସ୍ଥାପିତ କରି ଥଇଥାନ କରିବା ଏହାର ସ୍ଥାୟୀ ସମାଧାନ ନ ଥିଲା । କାରଣ ସେଠାରେ କୌଣସି ରାଜରାସ୍ତା କି ରେଲପଥ ହେଉ ନ ଥିଲା । ହେଉଥିଲା ବ୍ୟାରେଜ୍ ବା ନଦୀବନ୍ଧ । ଆଉ ସମସ୍ତେ ଜାଣନ୍ତି ଯେ, ବ୍ୟାରେଜ୍ ହେଲେ ନିକଟରେ ଥିବା କିଲୋମିଟର କିଲୋମିଟର ଅଞ୍ଚଳର ଚାଷଜମି ଜଳମଗ୍ନ ହେବ (ବା ହୁଏ) । ତେଣୁ ଉପଯୁକ୍ତ ଜମି ଚିହ୍ନଟ କରି ସେମାନଙ୍କ ବାସଗୃହ ନିର୍ମାଣ କରିଦେବା ସିନା ସହଜ, ମାତ୍ର ଜଳମଗ୍ନ ହେବାକୁ ଥିବା ଚାଷଜମି ବଦଳରେ ସେମାନଙ୍କୁ ଚାଷଜମି ଯୋଗାଇବା ଏତେ ସହଜ ନୁହେଁ । ସେଇଥିପାଇଁ ହିଁ ଏ ପୂରା ପ୍ରକ୍ରିୟାରେ ଏକ ସ୍ପଷ୍ଟୀକରଣ ଲୋଡ଼ିଥିଲା ରାଜ୍ୟ ।

ତେବେ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ହୋଇଥିବା ଦୁଇଟି ଯାକ ଆବେଦନକୁ ବଂଶଧାରା ଟ୍ରିବ୍ୟୁନାଲ କିଛି ସ୍ପଷ୍ଟୀକରଣ ସହ ‘ଡିସପୋଜ ଅଫ’ କରି ଦେଇଛନ୍ତି । ଆଉ ଏହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟ ସରକାରଙ୍କ ପକ୍ଷରୁ ସଠିକ ଢଙ୍ଗରେ ଉପସ୍ଥାପନ ନ ହେବା ଫଳରେ ଆନ୍ଧ୍ରପ୍ରଦେଶ ଏ ମାମଲାରେ ବିଜୟୀ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ନେରେଡ଼ି ଜଳ ବିବାଦ ମାମଲାରେ ବ୍ୟାକ ଫୁଟକୁ ଚାଲିଯିବା ପରେ ଏହାକୁ ନେଇ ରାଜନୀତି ନ କରିବା ପାଇଁ ବିରୋଧୀଙ୍କୁ ଅନୁରୋଧ କରିଛି ଶାସକ ବିଜେଡି । ତେବେ ପ୍ରକୃତରେ ଏ ନେରେଡ଼ି ବା ବଂଶଧାରା ଜଳବିବାଦ କ’ଣ ? ଏ ଘଟଣା ଯେତେବେଳେ ଆରମ୍ଭ ହେଲା ବା କୁହାଯାଇପାରିବ, ଯେବେଠାରୁ ଏ ଘଟଣାକ୍ରମର ଉତ୍ପତ୍ତି, ତାକୁ ଜାଣିଥିବା ଲୋକ ବର୍ତ୍ତମାନ ଖୁବ୍ ବେଶି ନାହାନ୍ତି । ଏ ଘଟଣାର ମୂଳ ବୁଝିବାକୁ ହେଲେ ଆମକୁ ଯିବାକୁ ପଡ଼ିବ ୧୯୬୧ ମସିହାକୁ । ୧୯୬୧ରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ ଏକ ରାଜିନାମା ହୋଇଥିଲା । ତଦନୁଯାୟୀ, ଆନ୍ଧ୍ରପ୍ରଦେଶ ନେରେଡ଼ିଠାରେ ବଂଶଧାରା ନଦୀରେ ଏକ ବ୍ୟାରେଜ ନିର୍ମାଣ କରିଥା’ନ୍ତା । ନେରେଡି ବ୍ୟାରେଜର ଭୌଗୋଳିକ ସ୍ଥିତି ଅନୁସାରେ, ଏହାର ବାମପଟେ ଆନ୍ଧ୍ର ଓ ଡାହାଣପଟେ ଓଡ଼ିଶା ରହିଛି । ସେତେବେଳେ ଆନ୍ଧ୍ର ପ୍ରଦେଶ ସରକାର ପ୍ରତିଶ୍ରୁତି ଦେଇଥିଲେ, ଏହି ବ୍ୟାରେଜ ନିର୍ମାଣ ହେଲେ ଓଡ଼ିଶା ଏବଂ ଆନ୍ଧ୍ର ଉଭୟ ରାଜ୍ୟର ଲାଭ ହେବ । ବ୍ୟାରେଜର ‘ବ୍ୟାକ୍ ୱାଟର’ ବା ସଂଗୃହୀତ ଜଳ ଦୁଇ/ତିନି କିଲୋମିଟରରୁ ଅଧିକ ସମ୍ପ୍ରସାରିତ ହେବ ନାହିଁ । (ତେବେ ଏଇଟା କ’ଣ କାହା ହାତର କଥା ? ଆନ୍ଧ୍ର ସରକାର ପ୍ରକଳ୍ପ କରିବା ପୂର୍ବରୁ କେମିତି ଜାଣିଲେ ଯେ, ଏହାର ବ୍ୟାସ ଦୁଇ/ତିନି କିଲୋମିଟରରୁ ଅଧିକ ହେବ ନାହିଁ ! ଏହା ଇଂରେଜମାନଙ୍କ ‘ଆଙ୍ଗୁଳି ପ୍ରବେଶେ ବାହୁ ପ୍ରବେଶାତ୍’ ନୀତି ପରି । ମାନେ ମୋତେ ଟିକେ ଜାଗା ଦେ । ଆଉ ଜାଗା ଟିକେ ମିଳିଗଲେ ପୂରା ଦେହ ମେଲେଇ ଏମିତି ବସିଯିବେ ଯେ ଜାଗା ଦେଇଥିବା ଲୋକ ଜାକିଜୁକି ହୋଇ ବସିବ । ଆଉ ଶେଷକୁ ନିଜେ ସେ ଜାଗାରୁ ଉଠି ପଳାଇବାକୁ ବାଟ ପାଇବ ନାହିଁ ! ଯେଉଁମାନେ ପିଲାବେଳେ ଦାଣ୍ଡ ପିଣ୍ଡାରେ ଧାଡ଼ିବାନ୍ଧି ବସି ‘ତେଲ ଚିପା’ ଖେଳ ଖେଳିଥିବେ, ସେମାନେ ମୋ କଥା ଠିକ୍ ବୁଝିପାରିବେ ।) ବ୍ୟାରେଜ୍ ପାଇଁ ବ୍ୟବହୃତ ଜମି (୧୦୬ ଏକର) ଓଡ଼ିଶାରୁ ହିଁ ଅଧିଗ୍ରହଣ ହେବ ।

ଜଳସମ୍ପଦ ବିଭାଗର ତତ୍କାଳୀନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ କହିବା କଥା, ଆନ୍ଧ୍ରର ମିଠା ପ୍ରତିଶ୍ରୁତିରେ ଭରସା କରି ନ ଥିଲା ଓଡ଼ିଶା । ସେପଟେ ଏହି ବ୍ୟାରେଜର ‘ଅଫ୍ ଷ୍ଟ୍ରିମ୍’ରେ ଦୁଇଶହ କିଲୋମିଟର ଦୂରରେ ଥିବା କାତ୍ରାଗୋଡ଼ାଠାରେ ସାଇଡ୍ ୱାଲ ନିର୍ମାଣ କରି ପାଣିନେବା ଆରମ୍ଭ କରିଥିଲା ଆନ୍ଧ୍ର । ଏହାକୁ ବିରୋଧ କରି ରାଜ୍ୟ ସରକାର ସେତେବେଳେ ଆନ୍ଦୋଳନ ମଧ୍ୟ କରିଥିଲେ । କେନ୍ଦ୍ର ନିକଟରେ ବଂଶଧାରା ପ୍ରସଙ୍ଗ ଉପସ୍ଥାପନ କରି ଟ୍ରିବ୍ୟୁନାଲ ପାଇଁ ଦାବି କରିଥିଲେ । ଆଉ ଓଡ଼ିଶାର ଦାବିପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ବ୍ୟାରେଜ ନିର୍ମାଣ ହେଲେ ୧୦୬ ଏକରର ନୁହେଁ, ଅଧିକ ଅଞ୍ଚଳ ପ୍ରଭାବିତ ହେଵ । ଅଧିକ ଜାଗାରେ ‘ବ୍ୟାକ୍ ୱାଟର’ ମାଡ଼ିବା ସହ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବ । ଏସବୁ ସନ୍ଦେହର ସ୍ପଷ୍ଟୀକରଣ ପାଇଁ ଟ୍ରିବ୍ୟୁନାଲରେ ଆବେଦନ କରିଥିଲା ଓଡ଼ିଶା । ସର୍ବୋଚ୍ଚ କୋର୍ଟରେ ଦୁଇଟି ସ୍ପେଶାଲ ଲିଭ ପିଟିସନ ଦାଖଲ କରି ଟିବ୍ୟୁନାଲ କଥା ଶୁଣୁ ନ ଥିବା ଅଭିଯୋଗ କରିଥିଲା ।

ତେବେ ନେରେଡ଼ିରେ ବଂଶଧାରା ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ନେଇ ଟ୍ରିବ୍ୟୁନାଲ ସ୍ପଷ୍ଟୀକରଣ ଦେବାପରେ ଓଡ଼ିଶା ପକ୍ଷରୁ କହିବାକୁ ଆଉ କିଛି ନାହିଁ । ରାଜ୍ୟବାସୀଙ୍କ ମନ ଭୁଲାଇବାକୁ ହୁଏତ ସରକାର ‘ଉଦ୍ୟମ ଚାଲିଛି’, ‘ଆମେ ଲଢ଼େଇ ଜାରି ରଖିବୁ’ ଭଳି କିଛି ଚିରାଚରିତ ଧାଡ଼ିର ଉଲ୍ଲେଖ କରିପାରନ୍ତି । ମାତ୍ର ବୁଝିବା ଲୋକ ଠିକ୍ ବୁଝିଛନ୍ତି ଯେ, ଆନ୍ଧ୍ର ଏଠାରେ ବ୍ୟାରେଜ ନିର୍ମାଣ କରି ହିଁ ଦମ୍ ନେବ । ତେବେ ଟ୍ରିବ୍ୟୁନାଲଙ୍କ ସ୍ପଷ୍ଟୀକରଣ ଅନୁସାରେ ସେଠାରେ ଦୁଇଟି ଗେଟ୍ ରହିବ । ଉଭୟ ରାଜ୍ୟ ଏହାର ଜଳକୁ ବ୍ୟବହାର କରିବେ । ବାମ ପଟ ଗେଟ୍ ଆନ୍ଧ୍ର ଏବଂ ଡାହାଣ ପଟ ଗେଟ୍ ଓଡ଼ିଶା ପାଇଁ ଉଦ୍ଦିଷ୍ଟ ରହିବ । ଆନ୍ଧ୍ର ଏହାର ଆବଶ୍ୟକତା ଅନୁସାରେ ଜୁନରୁ ନଭେମ୍ବର ମଧ୍ୟରେ ୮ହଜାର କ୍ୟୁସେକ ଜଳ ନେବ । ତଳ ମୁଣ୍ଡର ଗେଟ୍ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ଓଡିଶା ସରକାରଙ୍କୁ ଯୋଗାଇ ଦେବ ଆନ୍ଧ୍ର । ଏଥିସହ ବିସ୍ଥାପିତଙ୍କୁ ଥଇଥାନ ଓ ପୁନର୍ବାସ ଖର୍ଚ୍ଚ ମଧ୍ୟ ବହନ କରିବ । ଏହା ଓଡ଼ିଶା ପାଇଁ ଗୋଟେ ମିଛ ସାନ୍ତ୍ୱନା ଛଡ଼ା ଅଧିକ କିଛି ନୁହେଁ । ସମସ୍ତେ ଜାଣନ୍ତି, ପୁନର୍ବାସ ଓ ଥଇଥାନ ଖର୍ଚ୍ଚ ଏକକାଳୀନ । ହେଲେ ବ୍ୟାରେଜ୍ ନିର୍ମାଣ ହେଲେ ସବୁଦିନ ପାଇଁ ଲାଭବାନ୍ ହେବ ଆନ୍ଧ୍ର । ତଥାପି ଏବେ ଓଡ଼ିଶା ପକ୍ଷରୁ କରିବାକୁ ବିଶେଷ କିଛି ନ ଥିବାବେଳେ ସୁପ୍ରିମକୋର୍ଟଙ୍କ ଗଠିତ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଏବଂ ଖୋଦ୍ ଆନ୍ଧ୍ର ପ୍ରଦେଶର ପ୍ରତିଶ୍ରୁତି କେତେ ପୂରଣ ହେଉଛି ତାହା ଦେଖିବାର କଥା । କାରଣ ଓଡ଼ିଶାର ନେରେଡ଼ି ଆଶା ତ ନେଡ଼ିଗୁଡ଼ ସାଜି କହୁଣୀକୁ ବୋହି ଯାଇଛି !

Advertisement
Advertisement
Advertisement

Trending