ବଦଳିଗଲା ବୟାନ

ବଦଳିଗଲା ବୟାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଏବଂ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଘଟଣା ନୂଆ ମୋଡ ନେଇଛି।

ପ୍ରଥମେ ଅବକାରୀ ଅଧିକ୍ଷକ ନିଜ ଉପରୁ ଦୋଷ ଛଡ଼ାଇବାକୁ ସଞ୍ଜୟଙ୍କ ମୁଣ୍ଡ ଦୋଷ ଥିବା କହିଥିଲେ। ଏବେ ସଞ୍ଜୟ ନିଜେ ବ୍ୟକ୍ତିଗତ ଅସୁସ୍ଥତା ଦର୍ଶାଇ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଛୁଟି ଆବେଦନ କରିଛନ୍ତି। ସେ ଅସୁସ୍ଥ ଥିବାରୁ ୧୫ ଦିନ ଛୁଟିରେ ଯିବା ପାଇଁ ଚିଠି କରିଛନ୍ତି। ଏଥିସହ ସେ ଏକ ଭିଡିଓରେ ନିଜର ମାନସିକ ସ୍ଥିତି ଠିକ୍‌ ନ ଥିବା ନେଇ କହି ବୟାନ ବଦଳାଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।ସୋସିଆଲ ମିଡିଆରେ ସଞ୍ଜୟ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ପୁରୀ ଏସ୍‌ପି ବହୁତ ଭଲ। ସବୁ କ୍ଷେତ୍ରରେ ଅବକାରୀ ବିଭାଗକୁ ସହଯୋଗ କରୁଛନ୍ତି। ଗତକାଲି ମୁଁ ଯାହା କହିଥିଲି ତାହା ଭୁଲ। ସେହି ମନ୍ତବ୍ୟ ପାଇଁ ମୋତେ କ୍ଷମା କରି ଦିଅନ୍ତୁ।

ମାନସିକ ସନ୍ତୁଳନ ଠିକ ନ ଥିବାରୁ ମୁଁ କାଲି ଏପରି ମନ୍ତବ୍ୟ ଦେଇଥିଲି। ୨୦୨୦ ଅକ୍ଟୋବର ମାସରେ ମୋତେ କରୋନା ହୋଇଥିଲା। କରୋନା ପରେ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ହୋଇପଡ଼ିଥିଲି। ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହେଉଥିଲି। ନିୟମିତ ଔଷଧ ଖାଉଥିଲି। ମାସେ ହେଲାଣି ମୁଁ ମେଡିସିନ ଖାଉ ନ ଥିଲି। ଫଳରେ ମୋର ମାନସିକ ସନ୍ତୁଳନ ଠିକ ନ ଥିଲା। ଏଥିଯୋଗୁ ଗତକାଲି ଯେଉଁ ମନ୍ତବ୍ୟ ଦେଇଥିଲି, ତାହା ଆଦୌ ଠିକ ନୁହେଁ।

ଏହାଛଡ଼ା ମୁଁ ବହୁତ ଭଲ ପିଲା। ପୋଲିସକୁ ବହୁତ ସମ୍ମାନ ଦିଏ । ପୋଲିସ ବହୁତ ଭଲ। ପୋଲିସ ବହୁତ କଷ୍ଟ କାମ କରୁଛି। ମୁଁ ଗୋଟିଏ ମାନସିକ ରୋଗୀ। ମୋ ପାଟିରୁ ଭୁଲରେ କ’ଣ ଗୋଟେ ବାହାରିଯାଇଛି। ମୋତେ କ୍ଷମା କରାଯାଉ। ମୁଁ ମୋର ଭୁଲ ସ୍ବୀକାର କରୁଛି। ମୁଁ ପୁରୀ ସୁପରିଣ୍ଟେଣ୍ଡେଣ୍ଟ ଓ ସରକାରଙ୍କୁ ସପୋର୍ଟ କରେ। ମୁଁ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ସମ୍ମାନ ଦିଏ। ମୁଁ ତାଙ୍କ ମୁହଁରେ କେବେ ହେଲେ ଉତ୍ତର ଦେଇ ନାହିଁ। ପୁରୀ ଏସ୍‌ପି ଓ ଜିଲାପାଳ ବହୁତ ଭଲ କାମ କରିଛନ୍ତି। ସେମାନେ ଅବକାରୀ ବିଭାଗକୁ ସବୁ କାମରେ ସହଯୋଗ କରିଛନ୍ତି। ମୁଁ ଭୁଲ ମାଗୁଛି। ମୋତେ ଦୟା କରି କ୍ଷମା କରି ଦେବେ’ ବୋଲି ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: