ଅଜବ ପରମ୍ପରା ! ଏଠି ଝିଅ ନୁହେଁ ପୁଅ ବିଦା ହୋଇ ଯାଏ ଶାଶୁଘର

ଅଜବ ପରମ୍ପରା ! ଏଠି ଝିଅ ନୁହେଁ ପୁଅ ବିଦା ହୋଇ ଯାଏ ଶାଶୁଘର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତ ହେଉଛି ବିବିଧତାର ଏକ ଦେଶ । ଏଠାରେ ଧର୍ମ, ଜାତି, ରଙ୍ଗ, ଚିନ୍ତାଧାରା ଆଦିରେ ଅନେକ ବିଭିନ୍ନତା ଦେଖିବାକୁ ମିଳିଥାଏ । ଭାରତର ଏହି ବିବିଧତା ଅନ୍ୟ ଦେଶ ଠାରୁ ତାକୁ ସ୍ଵତନ୍ତ୍ର କରି ପରିଚିତ କରିଥାଏ। ଏଠାରେ ଲୋକଙ୍କ ପୋଷାକଠୁ ଆରମ୍ଭ କରି ଖାଦ୍ୟ ପାନୀୟ ବିବାହ ପର୍ଯ୍ୟନ୍ତ ସବୁ କିଛିରେ ଭିନ୍ନତା ଦେଖିବାକୁ ମିଳେ । ତେବେ ଆଜି ଆମେ ଆପଣଙ୍କୁ ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ ବିବାହ ପରେ କନ୍ୟା ବର ଘରକୁ ଯାଆନ୍ତି ନାହିଁ ବରଂ ବର କନ୍ୟା ଘରକୁ ବିଦା ହୋଇଯାଆନ୍ତି । ଏହି ନିଆରା ପରମ୍ପରା ମେଘାଳୟରେ ବାସ କରୁଥିବା ଖାସି ଜନଜାତିଙ୍କ ମଧ୍ୟରେ ପ୍ରଚଳିତ ରହିଛି । ଏହା ଏକ ମାତୃକୈନ୍ଦ୍ରିକ ସଂପ୍ରଦାୟ ଅଟେ । ଏହି ଜନଜାତିରେ ବଂଶାନୁକ୍ରମିକ ପରମ୍ପରା ମାତାଙ୍କ ନାମରେ ଚାଲିଥାଏ। ଏହି ସମ୍ପ୍ରଦାୟରେ, ପିତାମାତାଙ୍କ ସମ୍ପତ୍ତି ଉପରେ ମହିଳାମାନଙ୍କର ପ୍ରଥମ ଅଧିକାର ରହିଥାଏ।


କେବଳ ସେତିକି ନୁହେଁ, ନିଜେ ବିବାହ ପାଇଁ ଜୀବନ ସାଥୀ ବାଛିବା ପାଇଁ ପୁଅ ଏବଂ ଝିଅକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥାଏ । ଖାସି ସମ୍ପ୍ରଦାୟରେ ବିବାହ ସମୟରେ କୌଣସି ଯୌତୁକ ବ୍ୟବସ୍ଥା ମଧ୍ୟ ନାହିଁ, ଯାହା ଏହି ସମ୍ପ୍ରଦାୟର ଏକ ବିଶେଷତ୍ଵତା । ଏହା ସହ ମହିଳାମାନେ ନିଜ ଇଚ୍ଛାରେ ଯେ କୌଣସି ସମୟରେ ସେମାନଙ୍କର ବିବାହ ଭାଙ୍ଗିବାର ସ୍ଵାଧୀନତା ରହିଛି। ତେବେ ଏହି ସମ୍ପ୍ରଦାୟରେ ପରିବାରର ସାନ ଝିଅର ସର୍ବାଧିକ ଦାୟିତ୍ଵ ସହ ସେ ଘରର ସମସ୍ତ ସମ୍ପତ୍ତିର ମାଲିକ ହୋଇଥାନ୍ତି । ଖାସି ଲୋକଙ୍କ ସଂଖ୍ୟା ଭାରତରେ ପ୍ରାୟ ୯ ଲକ୍ଷ ହେବ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମେଘାଳୟରେ ରୁହନ୍ତି । ସେମାନଙ୍କ ମଧ୍ୟରୁ କେତେକ ଲୋକ ଆସାମ, ମଣିପୁର ଏବଂ ପଶ୍ଚିମବଙ୍ଗରେ ବାସ କରନ୍ତି। ଏହି ସମ୍ପ୍ରଦାୟ ଝୁମ୍ ଚାଷ କରି ରୋଜଗାର କରନ୍ତି । ସଙ୍ଗୀତ ସହିତ ଏମାନଙ୍କର ଗଭୀର ସମ୍ପର୍କ ରହିଛି । ସେମାନେ ବିଭିନ୍ନ ବାଦ୍ୟଯନ୍ତ୍ର ଯଥା ଗିଟାର, ବଂଶୀ, ବାଜା ଇତ୍ୟାଦି ବଜାନ୍ତି । ଏହି ଲୋକମାନେ ପୂର୍ବରୁ ମିଆଁମାରରେ ରହୁଥିଲେ। ସେମାନେ ସେଠାରୁ ସ୍ଥାନାନ୍ତରିତ ହୋଇ ପୂର୍ବ ଆସାମ, ଭାରତରେ ରହିବାକୁ ଆସିଥିଲେ । ଏହା ପରେ ସେମାନଙ୍କର ଜନସଂଖ୍ୟା ଧୀରେ ଧୀରେ ମେଘାଳୟରେ ବସବାସ କରିବାକୁ ଲାଗିଲା । ଏହି ଜନଜାତିର ଭାଷା ହେଉଛି ଖାସି।


ତେବେ ଖାସି ଜନଜାତି ବ୍ୟତୀତ ମେଘାଳୟର ଅନ୍ୟ ଦୁଇଟି ଜନଜାତି ଗାରୋ ଏବଂ ଯଏନ୍ତିୟା ଏହି ପ୍ରଥା ପାଳନ କରିଥାନ୍ତି । ସେମାନଙ୍କର ମଧ୍ୟ ବାହାଘର ପରେ କନ୍ୟା ଘରକୁ ଝିଅ ବିଦା ହୋଇ ଯାଇଥାଏ । ଏଠାରେ ମଧ୍ୟ ବିବାହ ପରେ ବର ତାଙ୍କ ଶାଶୁ ଘରେ ରହିବାର ପ୍ରଥା ପ୍ରଚଳିତ । ଭାରତରେ ପୁଅ ମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଥିବା ବେଳେ ଖାସି ଜନଜାତିରେ ଝିଅ ମାନଙ୍କୁ ଗୁରୁତ୍ଵ ଦେବା ଏକ ସକାରାତ୍ମକ ଚିନ୍ତାଧାରା ଆମ ସମାଜରେ ସୃଷ୍ଟି କରିଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: