‘କାଳିଆ କମିଶନ’ ମନେ ରଖିଛନ୍ତି ରାଜ୍ୟ ସରକାର?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟ ସରକାର ତଥା ଶାସକ ଦଳର ଅନ୍ୟତମ ପ୍ରମୁଖ ଅମୋଘ ଅସ୍ତ୍ର ହେଉଛି କାଳିଆ ଯୋଜନା। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇ ରାଜ୍ୟ ସରକାର ଚାଷୀ ଭୋଟ୍ ବ୍ୟାଙ୍କକୁ ସବୁ ନିର୍ବାଚନରେ ଅତି ସହଜରେ ହାସଲ କରି ନେଉଛନ୍ତି। ଏଇ ନିକଟରେ ମଧ୍ୟ ପିପିଲି ଉପନିର୍ବାଚନ ପୂର୍ବ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଦିନ ପୂର୍ବରୁ କାଳିଆ ଯୋଜନା ଟଙ୍କା ସରକାର ଦେଇଥିଲେ। ଚାଷୀ ଓ ଭୂମିହୀନ ଚାଷୀଙ୍କୁ ଉପକୃତ କରିବାକୁ ପ୍ରୟାସ କରିଥିବା ବିଜେଡି କିନ୍ତୁ ୨୦୧୯ ମସିହାରେ ନିଜ ନିର୍ବାଚନୀ ଇସ୍ତାହାରରେ ଏକ ଘୋଷଣା କରିଥିଲା। କାଳିଆ ପାଇଁ ଗଠନ ହେବ କାଳିଆ କମିଶନ। କାଳିଆ ଯୋଜନାର ସଠିକ୍ ରୂପରେଖ ବିଷୟରେ ଏହି କମିଶନ ତର୍ଜମା କରିବ। ଏହି ଯୋଜନା ଠିକ୍ ଭାବେ ରାଜ୍ୟରେ କାର୍ଯ୍ୟକାରୀ ହେଉଛି କି ନାହିଁ, ପ୍ରକୃତ ହିତାଧିକାରୀ ସଠିକ୍ ଲାଭ ପାଉଛନ୍ତି ନା ନାହିଁ, ସେସବୁର ସମାଧାନ କରିବାକୁ କାଳିଆ କମିଶନ କାର୍ଯ୍ୟ କରିବ। ସେହିପରି ୩ ବର୍ଷ ପରେ ସହାୟତା ବାବଦ ରାଶି ରିଭିଜନ୍ ପାଇଁ କମିଶନ ସୁପାରିସ କରିପାରିବେ। ଚାଷୀଙ୍କ କଲ୍ୟାଣ ପାଇଁ ଆଉ କ’ଣ ପଦକ୍ଷେପ ନିଆଯାଇପାରିବ, ଚାଷୀଙ୍କ ସମସ୍ୟା ଦୂର ପାଇଁ ଗୁରୁତ୍ୱପୁର୍ଣ୍ଣ ଦିଗ ଆଦି କମିଶନ ସୁପାରିସ କରିବେ।କିନ୍ତୁ ଇତି ମଧ୍ୟରେ ୨ ବର୍ଷ ବିତି ସାରିଲାଣି। ରାଜ୍ୟ ସାଧାରଣ ନିର୍ବାଚନ ସମେତ ତିନିଟି ଉପ ନିର୍ବାଚନ ମଧ୍ୟ ଦେଖି ସାରିଲାଣି, ଆଗକୁ ଆଉ ଏକ ଉପନିର୍ବାଚନ ଦେଖିବାକୁ ଯାଉଛି। କିନ୍ତୁ, ସରକାରଙ୍କ କାଳିଆ କମିଶନର ଭ୍ରୁଣ ଏଯାଏ ଜନ୍ମ ନେଇନି।

୨୦୧୮ ମସିହା ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିଲେ। ସେହିପରି ୧୪ ଲକ୍ଷ ୭୦ ହଜାର ୫୮୬ ଜଣ ଭୂମିହୀନ ଚାଷୀ ସହାୟତା ପାଇଥିଲେ। କିନ୍ତୁ ପ୍ରଥମ କିସ୍ତି ହିତାଧିକାରୀ ତାଲିକା ଯାଞ୍ଚ ପରେ ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ ପୂର୍ବରୁ ୨ ଲକ୍ଷ ୪୦ ହଜାର ୨୩୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଥିଲା। ୨୦୧୯ ଖରିଫ ଋତୁ ପାଇଁ କାଳିଆର ଦ୍ବିତୀୟ କିସ୍ତି ଅର୍ଥ ମୋଟ୍ ୪୮ ଲକ୍ଷ ୬୫ ହଜାର ୫୩ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। କିନ୍ତୁ ୨୦୧୯ ଜୁନ ପରଠାରୁ ଚାଷୀଙ୍କୁ କାଳିଆ ସହାୟତା ରାଶି ମିଳି ନ ଥିଲା।

Leave a Reply

Your email address will not be published. Required fields are marked *