ରୋଷଘର ଚୁଲି ଭାଙ୍ଗିବା ପ୍ରସଙ୍ଗରେ ଖୁବଶୀଘ୍ର ଯାଞ୍ଚ ହେଉ

ରୋଷଘର ଚୁଲି ଭାଙ୍ଗିବା ପ୍ରସଙ୍ଗରେ ଖୁବଶୀଘ୍ର ଯାଞ୍ଚ ହେଉ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁରୀ ସାଂସଦ ପିନାକୀ ମିଶ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ମଧ୍ଯରେ ଜଗନ୍ନାଥ ମନ୍ଦିରର ଐତିହ୍ୟ କଡରକୁ ନେଇ ତର୍କ ବିତର୍କ ଚାଲିଥିବା ବେଳେ ଏବେ ଅନ୍ୟ ଏକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ଜଗନ୍ନାଥ ମହାପ୍ରଭୁଙ୍କ ରୋଷ ଘର ଚୁଲି ଭଙ୍ଗା ଘଟଣାକୁନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ରୋଷଘରେ ଗତକାଲି ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଥିଲା । ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି। ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି।ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି । ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ରୋଷଘର ଭିତରେ ସିସିଟିଭି ଲାଗେନାହିଁ । ଏହା ପରମ୍ପରା ବିରୋଧୀ ହୋଇଥିବାରୁ କେବଳ ରୋଷଘର ପ୍ରବେଶ ପଥରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଛି । ହେଲେ ସେବାୟତମାନଙ୍କ କହିବା ହେଲା ଏହି ସିସି କ୍ୟାମେରା ବହୁ ଦିନରୁ ଅଚଳ ହୋଇଯାଇଛି ।ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି। ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଚୁଲି ଭଙ୍ଗାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏକ ଲିଖିତ ଅଭିଯୋଗ ସିଂହଦ୍ଵାର ଥାନାରେ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ବିଭିନ୍ନ ନେତା, ମନ୍ତ୍ରୀ ନିଜର ମତ ଦେବା ଆରମ୍ଭ କରିଦେଲେଣି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି ଦୁବୃର୍ତ୍ତଙ୍କୁ ଏ ଜାତି କ୍ଷମା ଦେବ ନାହିଁ ।ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ ହୋଇ ବସିଯିବେ । ଯାହକି ଆଜି ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି କଳାପାହାଡ ସଦୃଶ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଟ୍ୱିଟ କରି କହିଛନ୍ତି ବୈଜୟନ୍ତ ପଣ୍ଡା । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ । ଏହି ଘଟଣାର ପୂନରାବୃର୍ତ୍ତି ନହେବା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଆବ୍ୟକତ ପଦକ୍ଷେପ ନେବା ସହସଜାଗ ରହିବା ଜରୁରୀ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: