କେମିତି ଥିଲା ହିଟଲରଙ୍କ ଶେଷ ୨ ଦିନ…

କେମିତି ଥିଲା ହିଟଲରଙ୍କ ଶେଷ ୨ ଦିନ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜର୍ମାନର ଏକଛତ୍ରବାଦ ଶାସକ ଆଡଲଫ ହିଟଲର। ନାଜି ସେନାର ମୁଖ୍ୟ ତଥା ଜଣେ ଦକ୍ଷ ଓ ପରାକ୍ରମୀ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କର ପରାଜୟ ହୋଇଥିଲା, ତଥାପି ସେ ହାର୍ ମାନି ନ ଥିଲେ। ଆପଣ ଜାଣନ୍ତି କି, କେମିତି କଟିଥିଲା ତାଙ୍କର ଶେଷ ଦୁଇ ଦିନ…

ହିଟଲରଙ୍କ ଶେଷ ୨ ଦିନ

୧୯୪୫ ମସିହା ଏପ୍ରିଲ ଶେଷ ସପ୍ତାହ ବେଳକୁ ଜର୍ମାନୀର ପରାଜୟ ଏକ ପ୍ରକାର ସ୍ଥିର ହୋଇ ସାରିଥିଲା। ମିତ୍ର ବାହିନୀ ଧୀରେ ଧୀରେ ହିଟଲରଙ୍କୁ ଘେରି ରଖିଥିଲେ। ହିଟଲରଙ୍କ ପାଖରେ ୨ଟି ରାସ୍ତା ଥିଲା। ପରାଜୟ ସ୍ୱୀକାର କରି ମିତ୍ର ବାହିନୀ ନିକଟରେ ଆତ୍ମ ସମର୍ପଣ କରିବା କିମ୍ବା ନିଜ ଜୀବନ ତ୍ୟାଗ କରିବା। ତେବେ ହିଟଲର ଜାଣିଥିଲେ ଯେ, ଯଦି ସେ ଆତ୍ମସମର୍ପଣ କରନ୍ତି, ତେବେ ତାଙ୍କ ସହ କିଛି ବି ହୋଇପାରେ। ତେଣୁ ସେ ଦ୍ୱିତୀୟ ବିକଳ୍ପ ଅର୍ଥାତ୍ ଜୀବନ ହାରିବା ଯୋଜନା କରିଥିଲେ।

ଏପ୍ରିଲ ୨୦ ନିଜ ଜନ୍ମଦିନରେ ହିଟଲର ନିଜକୁ ସାର୍ବଜନୀନ କରିଥିଲେ । ହେଲେ ତା’ ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳି ନ ଥିଲା । ଏକ ପ୍ରକାର ଗାଏବ ହୋଇ ଯାଇଥିଲେ । ପ୍ରକୃତ କଥା ହେଲା, ହିଟଲର ଏହା ପରେ ବର୍ଲିନର ବ୍ରାଡେନବର୍ଗ ନିକଟ ଏକ ସୁରକ୍ଷିତ ବଙ୍କରରେ ଶରଣ ନେଇଥିଲେ । ସେ ଜାଣି ପାରିଥିଲେ ଯେ, ତାଙ୍କର ଦିନ ଶେଷ ହୋଇ ଆସିଲାଣି । ସେ ନିଜର ଅତି ବିଶ୍ୱସ୍ତ ଡାକ୍ତରଙ୍କୁ ଡାକିଥିଲେ। ଡାକ୍ତର ୱାର୍ଣ୍ଣର ହାସଙ୍କ ଠାରୁ ଆତ୍ମହତ୍ୟାର ସବୁଠାରୁ ଭଲ ବିକଳ୍ପ ବିଷୟରେ ବୁଝି ନେଇଥିଲେ। ଏହାପରେ ଏପ୍ରିଲ ୨୯ ତାରିଖ ସ୍ଥିତି ଆହୁରି ଖରାପ ହୋଇ ଯାଇଥିଲା । ସେହିଦିନ ସକାଳୁ ସକାଳୁ ହିଟଲର ଇବା ବ୍ରାଉନଙ୍କୁ ବିବାହ କରିଥିଲେ। ଅବଶ୍ୟ ବିବାହରେ ଆଡମ୍ବର ନ ଥିଲା । ବିବାହ ପରେ ହିଟଲର ନିଜ କ୍ୟାମ୍ପରେ ଆତ୍ମହତ୍ୟା କରିବା ଉପରେ ଅଧିକ ଚର୍ଚ୍ଚା କରିଥିଲେ। ଏହି ସମୟରେ ଖବର ଆସିଲା ଯେ, ଇଟାଲିର ଶାସକ ତଥା ତାଙ୍କ ବନ୍ଧୁ ମୁସୋଲିନଙ୍କୁ ଗୁଳିକରି ହତ୍ୟା କରାଯାଇଛି।

୧୯୪୫ ଏପ୍ରିଲ ୩୦ ତାରିଖରେ ପ୍ରଥମେ ହିଟଲରଙ୍କ କୁକୁରକୁ ସାଇନାଇଡ ଦିଆ ଯାଇଥିଲା। ଏହାପରେ ରାତି ପ୍ରାୟ ଗୋଟାଏ ହେବ। ଫିଲଡ ମାର୍ଶାଲ :ୱିଲୟମ କେଟଲ ସୂଚନା ଦେଇଥିଲେ, ଶତ୍ରୁପକ୍ଷ ପୂରା ସେନାକୁ ଘେରି ସାରିଛନ୍ତି। ଆଉ କିଛି ବି ରାସ୍ତା ନାହିଁ। ଏହା ପରେ ଭୋର ୪ଟା ବେଳକୁ ହିଟଲରଙ୍କ ପ୍ରିୟ ଜର୍ମାନ ସେଫର୍ଡ ବ୍ଲୋଡିକୁ ସାଇନାଇଡ ବଟିକା ଦିଆଯାଇଥିଲା। ଏହି ଔଷଧ କେତେ କାମ କରୁଥିଲା ତାହା ଜାଣିବା ପାଇଁ ପ୍ରଥମେ କୁକୁରକୁ ଦିଆଯାଇଥିଲା । ଗୋଟିଏ ମୁହୂର୍ତ୍ତରେ ବ୍ଲୋଡି ଆଖି ବୁଜି ଦେଇଥିଲା।

ଏପ୍ରିଲ ୩୦ ତାରିଖ ଅପରାହ୍ନ ୨ଟା । ନିଜ ପତ୍ନୀ ଇବା ବ୍ରାଉନ, ଟ୍ରଡଲ ଜୁଂଜ ଏବଂ ଅନ୍ୟ ସଚିବଙ୍କ ସହ ହିଟଲର ବଙ୍କରରେ ମଧ୍ୟାହ୍ନ ଭୋଜନ କରିଥିଲେ। ସେତେବେଳେ ହିଟଲର ସମସ୍ତଙ୍କୁ କହିଥିଲେ ଯେ, ଯଦି ସେମାନେ ଚାହିଁବେ ତେବେ ସେମାନଙ୍କୁ ସାଇନାଇଡ ବଟିକା ଦେଇପାରିବେ। କିନ୍ତୁ ସେମିତି କିଛି ହୋଇ ନ ଥିଲା। ଅପରାହ୍ନ ୩ଟା ୩୦। ହଠାତ୍ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା। ଦେଖିଲା ବେଳକୁ ହିଟଲର ନିଜକୁ ଗୁଳି ମାରି ସାରିଥିଲେ। ଆଉ ଇବା ବ୍ରାଉନ ନିଜେ ସାଇନାଇଡ ଖାଇ ଆତ୍ମହତ୍ୟା କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: