ମାତ୍ର ୧୨ ଟଙ୍କାରେ କିଣନ୍ତୁ ନିଜର ଘର, ଜାଣନ୍ତୁ କେଉଁଠୁ ମିଳୁଛି ଏତେ ଶସ୍ତାରେ ଘର

ମାତ୍ର ୧୨ ଟଙ୍କାରେ କିଣନ୍ତୁ ନିଜର ଘର, ଜାଣନ୍ତୁ କେଉଁଠୁ ମିଳୁଛି ଏତେ ଶସ୍ତାରେ ଘର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କିଛି ଥାଉକି ନଥାଉ ମଣିଷର ଯଦି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିକିଏ ନାହିଁ ତାଠୁ ଦୁଃଖୀ ସଂସାରେ କେହି ନାହାନ୍ତି ବୋଲି କୁହାଯାଏ। ନିଜର ଘରଟିଏ କରିବା ବା କିଣିବା ଅନେକ ଲୋକଙ୍କ ସ୍ୱପ୍ନ ହୋଇଥାଏ। ନିଜର ଘରଟିଏ ପାଇବା ପାଇଁ ଲୋକମାନେ ସେମାନଙ୍କ ସାରା ଜୀବନର ଜମା ପୁଞ୍ଜି ଲଗାଇ ଦିଅନ୍ତି। କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଆଜିକାଲି ଲୋକମାନେ ସେମାନଙ୍କର ସୁନ୍ଦର ଘର ବିକ୍ରି କରୁଛନ୍ତି, ତାହା ପୁଣି ଅତ୍ୟନ୍ତ ଶସ୍ତା ଦରରେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଲୋକମାନେ ନିଜ ଘରକୁ ମାତ୍ର ୧୬ ସେଣ୍ଟ ଅର୍ଥାତ୍ ୧୨ ଟଙ୍କାରେ ବିକ୍ରି କରୁଛନ୍ତି। ଖବର ଅନୁଯାୟୀ, କ୍ରୋଏସିଆର ଉତ୍ତର ଭାଗରେ ଥିବା ଲେଗ୍ରାଡ ସହରର ଲୋକମାନେ ୧୨ ଟଙ୍କା ମୂଲ୍ୟରେ ନିଜ ଘର ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। କମ୍ ପରିବହନ ସଂଯୋଗ ହେତୁ ଲୋକମାନେ ନିଜ ଘର ଛାଡି ଏଠାରୁ ଅନ୍ୟତ୍ର ଚାଲିଯାଉଛନ୍ତି, ଏହା ପରେ ପ୍ରଶାସନ ନିଜେ ସେହି ଘରଗୁଡ଼ିକୁ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି।
ଲେଗ୍ରାଡ୍ ମେୟର ଇଭାନ୍ ସାବୋଲିକ୍ ଏକ ବିବୃତ୍ତିରେ କହିଛନ୍ତି ଯେ ନିକଟରେ ୧୯ ଟି ଘରକୁ ଏକାସାଙ୍ଗରେ ଖାଲି କରାଯାଇଛି। ଏହି ଘରଗୁଡ଼ିକର ମୂଲ୍ୟ ୧ କୁନା ଅର୍ଥାତ୍ ପ୍ରାୟ ୧୨ ଟଙ୍କା ସ୍ଥିର କରାଯାଇଛି। ସେଥିମଧ୍ୟରୁ ୧୭ ଟି ଘର ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସହର ଏକ ସୀମାନ୍ତ ସହରରେ ପରିଣତ ହେବା ପରଠାରୁ ଏଠାରେ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଲେଗ୍ରେଡ୍ ସହର ସୀମା ହଙ୍ଗେରୀ ସହିତ ସଂଲଗ୍ନ ରହିଛି। ରିପୋର୍ଟ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏଠାରେ ଘର କିଣିବାକୁ ଚାହାଁନ୍ତି, ତେବେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବ। କେବଳ ଏତିକି ନୁହେଁ, ଯଦି କେହି ଏଠାରେ ରହିବାକୁ ଚାହାଁନ୍ତି, ତେବେ ତାଙ୍କୁ ସେଠାରେ ଅତି କମରେ ୧୫ ବର୍ଷ ରହିବା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିବ।
ତେବେ ଦିନେ କ୍ରୋଏସିଆର ଦ୍ୱିତୀୟ ଜନବହୁଳ ସହର ଭାବେ ପରିଚିତ ଥିବା ଲେଗ୍ରାଡ୍ ସହର ଏବେ ଜନ ଶୂନ୍ୟ ହେବାକୁ ଯାଉଛି। ପ୍ରାୟ ୧୦୦ ବର୍ଷ ପୂର୍ବେ ଅଷ୍ଟ୍ରିଆ ଏବଂ ହଙ୍ଗେରୀ ସାମ୍ରାଜ୍ୟ ଭାଙ୍ଗିବା ପରଠାରୁ ଏଠାରେ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଲେଗ୍ରେଡ୍ ସହର ବିଷୟରେ କହିବାକୁ ଗଲେ ଏଠାରେ ଯଥେଷ୍ଟ ସବୁଜତା ଅଛି, ଚାରିଆଡେ ଜଙ୍ଗଲ ରହିଛି। ଏହି ସହରରେ ୨,୨୫୦ ଲୋକ ବସବାସ କରନ୍ତି। ରିପୋର୍ଟ ଅନୁଯାୟୀ, ପ୍ରତ ୭୦ ରୁ ୧୦୦ ବର୍ଷ ତଳେ ଲେଗ୍ରାଡ ସହରରେ ବର୍ତ୍ତମାନ ଜନସଂଖ୍ୟାର ଦୁଇଗୁଣ ଅଧିକ ଲୋକ ବାସ କରୁଥିଲେ। କିନ୍ତୁ ଧୀରେ ଧୀରେ ସମସ୍ତେ ଏଠାରୁ ପଳାୟନ କଲେ।
ଆମେ ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ଇଟାଲୀରୁ ମଧ୍ୟ ଏହିଭଳି ଏକ ମାମଲା ସାମ୍ନାକୁ ଆସିଥିଲା ​​ଯେତେବେଳେ ଇଟାଲୀର ସିସିଲିରେ ଅବସ୍ଥିତ ଏକ ଛୋଟ ସହରରେ ଘରଗୁଡିକ ୮୬ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା। ସିସିଲିରେ ଏତେ କମ୍ ମୂଲ୍ୟରେ ବିକ୍ରି ହେବାର ମୁଖ୍ୟ କାରଣ ଥିଲା ଜନସଂଖ୍ୟା କମ ହେବା। ସିସିଲିରେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଅନେକ ଛୋଟ ସହରରେ ଜନସଂଖ୍ୟା ହ୍ରାସ ସମସ୍ୟା ଦେଖାଦେଇଛି। ଏହି କାରଣରୁ ସହରଗୁଡିକରେ ଏତେ କମ୍ ମୂଲ୍ୟରେ ଘର ବିକ୍ରି ହେଉଛି। ତେବେ ଯେତେବେଳ ଆଜିକା ମହଙ୍ଗା ଯୁଗରେ ୧୦ ଟଙ୍କାରେ ପେଟପୁରା ଜଲଖିଆ ଖାଇବା ସମ୍ଭବ ହେଉନି ସେହି ସମୟରେ ୧୨ ଟଙ୍କାରେ ଘର ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏଠାରେ ଯେ କୌଣସି ଦେଶର ନାଗରିକ ଘର କିଣି ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: