ବିଦ୍ୟୁତ୍ ସଂଯୋଗ ପାଇଁ ଘର ମଝିରେ ଉଠିଲା କାନ୍ଥ, ଅଧା ପଞ୍ଜାବ ଅଧା ହରିୟାଣା ପାଇଁ ହନ୍ତସନ୍ତ

ବିଦ୍ୟୁତ୍ ସଂଯୋଗ ପାଇଁ ଘର ମଝିରେ ଉଠିଲା କାନ୍ଥ, ଅଧା ପଞ୍ଜାବ ଅଧା ହରିୟାଣା ପାଇଁ ହନ୍ତସନ୍ତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଘର ମଝିରେ ଉଠିଲା କାନ୍ଥ । କୌଣସି ଭାଇ ଭାଗ ପାଇଁ ନୁହେଁ, ସୀମାନ୍ତ ବିବାଦ ପାଇଁ ଏପରି ହୋଇଛି । ଦୁଇଟି ରାଜ୍ୟ ସୀମାରେ ଅବସ୍ଥିତ ଗୋଟିଏ ଘରକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବା ବେଳେ ଘରର ଅଧା ପଞ୍ଜାବରେ ଏବଂ ଅଧା ହରିୟାଣାରେ ରହିଛି। ଘର ମଝିରେ କାନ୍ଥ ଉଠିବା କାରଣରୁ ସଂପୃକ୍ତ ପରିବାର ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଘରଟି ଜଗବନ୍ତୀ ଦେବୀ ନାମଙ୍କ ଜଣେ ମହିଳାଙ୍କର ହୋଇଥିବା ବେଳେ ହରିୟାଣା ବିଦ୍ୟୁତ୍ ନିଗମର ନିର୍ଦ୍ଦେଶରେ ଏହା କରାଯାଇଛି ବୋଲି ସେ କହିଛନ୍ତି ।

ଘର ମଧ୍ୟରେ କାନ୍ଥ ନିର୍ମାଣ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଥିଲା। ପଞ୍ଜାବରେ ରହୁଥିବା ଜଗବନ୍ତୀଙ୍କ ପରିବାର ଲୋକେ କିଛି ଦିନ ତଳେ ଘର ସମ୍ପ୍ରସାରଣ କରି ହରିୟାଣାରେ ନିର୍ମାଣ କରିଥିଲେ । ଏହା ପରେ ସେ ପ୍ରାୟ ତିନିମାସ ପୂର୍ବରୁ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରିଥିଲେ। କିନ୍ତୁ ହରିୟାଣା-ପଞ୍ଜାବ ଦୁଇଟି ରାଜ୍ୟରେ ଏକକାଳୀନ ଗୃହ ନିର୍ମାଣ ହୋଇଥିବାରୁ ବିଦ୍ୟୁତ ନିଗମ ଆପତ୍ତି କରିଥିଲା। ଏହାସହ କହିଥିଲା ଯେ ବିଦ୍ୟୁତ୍ ସଂଯୋଗ ସେତେବେଳେ ଦିଆଯିବ ଯେତେବେଳେ ପଞ୍ଜାବ ସୀମାରେ ଇଟାରେ ଏକ କାନ୍ଥ ନିର୍ମାଣ ହେବ ଏବଂ ପଞ୍ଜାବର ଅଂଶ ଅଲଗା କରାଯିବ। ଘରକୁ ବିଦ୍ୟୁତ୍ ସଂଯୋଗ ପାଇଁ ଜଗବନ୍ତୀ ଦେବୀ ଘର ଭିତରେ ଏକ କାନ୍ଥ ନିର୍ମାଣ କରି ପଞ୍ଜାବର ଅଂଶକୁ ଅଲଗା କରିଥିଲେ। ତାଙ୍କ ଘର ହରିୟାଣାର ଶେଷ କୋଣ ଡାବୱାଲିରେ ରହିଛି। ତେବେ ତାଙ୍କ ଘରଟି ଦୁଇଟି ଭାଗରେ ବିଭକ୍ତ ହୋଇଛି ।
ଜଗବନ୍ତୀ ଦେବୀଙ୍କ ବୋହୂ ରୀତାଙ୍କ କହିବା ଅନୁଯାୟୀ ସେମାନଙ୍କ ପୁରୁଣା ଘର ପଞ୍ଜାବରେ ଆସୁଥିବା ଭାଗରେ ରହିଥିଲା। ଏବେ ନୂଆ ଘର ହରିୟାଣାରେ ତିଆରି ହୋଇଛି। ସେମାନେ ଆଗରୁ ପଞ୍ଜାବର ବିଦ୍ୟୁତ୍, ପାନୀୟ ଜଳ ସଂଯୋଗ ବ୍ୟବହାର କରୁଥିଲେ। ତେବେ ନୂଆ ଘର ହରିୟାଣାରେ ରହିବା ସହ ସମ୍ପତ୍ତି ଟ୍ୟାକ୍ସ ଡାବୱାଲି ନଗର ପରିଷଦରେ ଜମା କରିବାକୁ ପଡୁଛି। ତେବେ ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ଜଳ ସଂଯୋଗ କରିବାକୁ ଅନୁମତି ଦେଇଥିଲେ ହେଁ ହରିୟାଣା ବିଜୁଳି ବିତରଣ ନିଗମ ସଂଯୋଗ ଦେବାକୁ ମନା କରିଦେଇଥିଲା। ସେମାନଙ୍କ ଆବେଦନକୁ ଦୁଇଥର ଖାରଜ କରାଯିବା ସହ ବିଦ୍ୟୁତ୍ ସଂଯୋଗ ପାଇଁ ସେମାନେ ମଝି ଘରେ କାନ୍ଥ ଉଠାଇ ବାକୁ ପଡ଼ିବ ବୋଲି କହିଥିଲେ।
ତେବେ ବିଦ୍ୟୁତ୍ ନିଗମର ଅଧିକାରୀ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ଏହା ସହ ଏ ସମ୍ପର୍କରେ ଜେଇ ରବିନ୍ଦ୍ର ପାଲଙ୍କୁ ଏକ ରିପୋର୍ଟ ମଗା ଯିବ ବୋଲି ସେ କହିଛନ୍ତି । ରିପୋର୍ଟ ଆସିବା ପରେ ହିଁ ମୁଁ କିଛି କହିବାକୁ ସମର୍ଥ ହେବି, କିନ୍ତୁ ଏହା ସମ୍ଭବ ନୁହେଁ ଯେ ବିଦ୍ୟୁତ୍ ନିଗମ ହେତୁ କେହି ଘରେ କାନ୍ଥ ପକେଇବ। ମୁଁ ନିଜେ ସତ୍ୟତା ଯାଞ୍ଚ କରିବି ବୋଲି ଅଧିକାରୀ ଜଣକ କହିଛନ୍ତି।
ଅନେକ ସମୟରେ ସୀମାନ୍ତ ଅଞ୍ଚଳର ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସେ ରାସନ୍ କାର୍ଡ କୁହନ୍ତୁ କି ପିଲାଙ୍କ ନାଁ ଲେଖିବା ପାଇଁ ହେଉ ଅବା ଘରକୁ ବିଦ୍ୟୁତ୍ ସଂଯୋଗ ପାଇଁ କୁହନ୍ତୁ। ସୀମାନ୍ତ ଅଞ୍ଚଳରେ ଥିବା ଗୋଟିଏ ଘରକୁ ବି ଦୁଇ ଭାଗରେ ବାଣ୍ଟିବାକୁ ପଡିବାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: