ବମ୍ପର ଅଫର୍:କୋରୋନା ଟିକା ନେଲେ ମିଳୁଛି ମାଗଣାରେ ବିୟର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାରା ବିଶ୍ୱରେ କରୋନା ମହାମାରୀ ଅତ୍ୟନ୍ତ ଭୟଙ୍କର ରୂପ ନେବାକୁ ଲାଗିଛି । ଭାରତରେ ମଧ୍ୟ ଦ୍ୱିତୀୟ ଲହର ଯୋଗୁଁ ନୂଆ ମାମଲା ସହ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗୋଟିଏ ଦିନରେ ପାଖାପାଖି ଦେଢ଼ ଲକ୍ଷରୁ ଅଧିକ ନୂଆ ମାମଲା ଚିହ୍ନଟ ହେଉଛି । ଏଥି ସହିତ ଏହି ମହାମାରୀକୁ ରୋକିବା ପାଇଁ ଟୀକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। କିନ୍ତୁ, ଏତେ ସବୁ ପରେ ବି କେତେକ ଲୋକ ଅଛନ୍ତି ଯେଉଁମାନେ ଟିକା ନେବାକୁ ଭୟ କରୁଛନ୍ତି ବା ଆଗ୍ରହୀ ହେଉନାହାନ୍ତି। ଏହିଭଳି କ୍ଷେତ୍ରରେ, ଲୋକମାନଙ୍କୁ ଅଧିକରୁ ଅଧିକ ଟିକା ନେବା ପାଇଁ ସଚେତନ କରାଇବାକୁ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କିଛି ଦିନ ତଳେ ଗୁଜରାଟରେ ଟିକା ନେବା ପାଇଁ ଲୋକଙ୍କୁ ଆକର୍ଷିତ କରିବାକୁ ସୁନା ଏବଂ ଅନ୍ୟାନ୍ୟ ଉପହାର ଦିଆ ଯାଉଥିଲା। ସେହିଭଳି ଏବେ ଏକ ରେଷ୍ଟୁରାଣ୍ଟ ଲୋକଙ୍କୁ ନିଆରା ଅଫର ଦେଇଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରେଷ୍ଟୁରାଣ୍ଟ ଲୋକଙ୍କ ପାଇଁ ‘ଟିକା ନିଅ, ମାଗଣାରେ ବିୟର ପିଅ’ ଅଫର୍ ଆଣିଛି । ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟ ଏହିଭଳି ଆଶ୍ଚର୍ଯ୍ୟଜନକ ଅଫର ଦେଉଥିବାର ଜଣାପଡିଛି।


ରେଷ୍ଟୁରାଣ୍ଟ ଅଫର୍ ରହିଛି ଟିକା ଲଗାନ୍ତୁ ଏବଂ ବିୟର ମାଗଣାରେ ନେଇ ଯାଆନ୍ତୁ। ‘ଇଣ୍ଡିଆନ୍ ଗ୍ରିଲ୍ ରୁମ୍’ ନାମକ ଏହି ରେଷ୍ଟୁରାଣ୍ଟ ଲୋକଙ୍କୁ କରୋନା ଟିକା ପ୍ରତି ଉତ୍ସାହିତ କରିବା ପାଇଁ ଏହି ଭଳି ନିଆରା ଅଫର ରଖିଛି। ରେଷ୍ଟୁରାଣ୍ଟ ତରଫରୁ କୁହାଯାଉଛି ଯେ, ଯଦି ତୁମେ ଟିକା ଲଗେଇଛ, ତେବେ କାର୍ଡ ଦେଖାଇ ମାଗଣାରେ ବିୟର ପିଇବାର ସୁଯୋଗକୁ ଉପଭୋଗ କରନ୍ତୁ । ଏହି ଅଫର ଏପ୍ରିଲ ୫ ତାରିଖରୁ ଆରମ୍ଭ ହୋଇ ଗୋଟିଏ ସପ୍ତାହ ଧରି ଚାଲିବ।
କେବଳ ସେତିକି ନୁହେଁ ଗୁଜରାଟର ରାଜକୋଟରେ ଏକ ସଂସ୍ଥା ଟୀକାକରଣ ପରେ ମାଗଣାରେ ଖାଦ୍ୟ ଯୋଗାଇବାକୁ ଅଫର୍ ଦେଇଛି। ସଂଗଠନ କହିଛି ଯେ, ଏହି ଅଫର୍ ଅନୁଯାୟୀ ସକାଳ ଜଳଖିଆ, ଦିନର ଭୋଜନ ଏବଂ ରାତ୍ରୀ ଭୋଜନ ଦିଆଯାଉଛି। ଏହା ବ୍ୟତୀତ, ଆହୁରି ଅନେକ ସଂସ୍ଥା ଅଛି, ଯେଉଁମାନେ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପ୍ରକାରର ଅଫର୍ ଦେଉଛନ୍ତି।

Leave a Reply

Your email address will not be published. Required fields are marked *