ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରୀ ତେଲ

ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରୀ ତେଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେବସ୍ନାନ ପୂର୍ଣ୍ଣିମା ପରେ ପରମ୍ପରା ମୁତାବକ ମହାଜ୍ୱରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଅଣସର ଘରେ ଚାଲିଛି ଗୁପ୍ତ ଉପଚାର। ଅଣସରର ଷଷ୍ଠ ଦିବସ ଓ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଫୁଲୁରୀ ତେଲ ଲାଗି ନୀତି। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରୀ ତେଲକୁ ମଧ୍ଯାହ୍ନ ଧୂପ ପରେ ସ୍ୱତନ୍ତ୍ର ପଟୁଆରରେ ଶ୍ରୀମନ୍ଦିରକୁ ପଠାଯାଇ ଥିଲା। ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ତେଲକୁ ଲେପନ କରିଛନ୍ତି ଦଇତାପତି ସେବାୟତ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିଲା ଶ୍ରୀଅଙ୍ଗ ଫିଟାନୀତି। ଦଇତାପତି ସେବକମାନେ ଅଣସର ଘରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତୈଳମର୍ଦ୍ଦନ କରିବା ପରେ ସୁସ୍ଥ ହେବେ ମହାବାହୁ। ଏହାପରେ ମହାପ୍ରଭୁଙ୍କୁ ଓଷୁଅ ଲାଗି କରାଯିବା ନେଇ ରାଜବୈଦ୍ୟଙ୍କ ପରାମର୍ଶ ନିଆଯାଇଛି। ବର୍ତ୍ତମାନ ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଛନ୍ତି। ଦଇତାପତିମାନେ ଶ୍ରୀଅଙ୍ଗରୁ ଦରଜ କମାଇବା ପାଇଁ ଦୁର୍ଲ୍ଲଭ ଫୁଲୁରୀ ତେଲରେ ମାଲିସ କରିବା ପରେ ପ୍ରଭୁଙ୍କ ମାଜରା ଦୂରହେବ।

ସେପଟେ ଚିତ୍ରକର ସେବାୟତ ରଥରେ ରଙ୍ଗକାମ ଜାରି ରଖିଛନ୍ତି। ତିନି ରଥର କୋଣ ଗୁଜଗୁଡ଼ିକୁ ରଙ୍ଗ କରାଯିବା ପରେ ପାର୍ଶ୍ବଦେବତା, ସଖୀ, କନ୍ୟାପଟା, ହଂସପଟା ଆଦିକୁ ରଙ୍ଗ କରାଯାଉଛି। ରଥଯାତ୍ରାକୁ ଆଉ ରହିଲା ୧୨ ଦିନ। ତେଣୁ ରଥନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥ ପାଇଁ ଥିବା ୩୩ ଟି ପାର୍ଶ୍ୱମୂର୍ତ୍ତି ଓ ୨୭ଟି ସଖୀମୂର୍ତ୍ତିକୁ ରଙ୍ଗ କରାଯାଉଛି। ୧୬ ଜଣ ଚିତ୍ରକାର ତିନିରଥକୁ ରଙ୍ଗ କରିବା କାମରେ ଲାଗିଛନ୍ତି। ଜଗନ୍ନାଥଙ୍କ ରଥରେ ଜୟ ବିଜୟଙ୍କୁ ମିଶାଇ ଅଛନ୍ତି ୧୧ ଜଣ ପାର୍ଶ୍ୱଦେବତା ଏବଂ ଠେକରାବାଡ଼ରେ ବନ୍ଧା ହେଉଥିବା ୯ଟି ସଖୀ। ସେହିପରି ବଳଭଦ୍ର ଓ ସୁଭଦ୍ରାଙ୍କ ରଥରେ ଯଥାକ୍ରମେ ୨୪ଟି ଓ ୧୬ଟି ଛୋଟ ହଂସପଟା, ୪ଟି ଲେଖାଏଁ ବଡ଼ ହଂସପଟା ରହିଥାଏ। ଏହାସହ ବଳଭଦ୍ରଙ୍କ ରଥରେ ୧୨ଟି କନ୍ୟାପଟା ଓ ସୁଭଦ୍ରାଙ୍କ ରଥରେ ୧୦ଟି କନ୍ୟାପଟାକୁ ମଧ୍ୟ ରଙ୍ଗ କରାଯାଏ। ଏହାପରେ ନଟୁ, ଝରା, ଶିଖର ଡମ୍ବରୁ, ସାରଥୀ ଓ ଶୁଆ ରଙ୍ଗକାମ ଶେଷ ହୁଏ। ନେତ୍ରୋତ୍ସବ ପୂର୍ବରୁ ରଥର ମୁହାଁଟି ଓ ସାରଥୀଙ୍କର ମଧ୍ୟ ରଙ୍ଗକାମ ଶେଷ କରାଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: