ଏହି ସେଲିବ୍ରିଟିଙ୍କ ମୃତ୍ୟୁର ଗୁଜବ, ସଫେଇ ଦେଇ ଦେଇ ହାଲିଆ

ଏହି ସେଲିବ୍ରିଟିଙ୍କ ମୃତ୍ୟୁର ଗୁଜବ, ସଫେଇ ଦେଇ ଦେଇ ହାଲିଆ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡରେ ଏମିତି କଳାକାର ଅଛନ୍ତି, ଯେଉଁମାନେ ଭାରତୀୟ ସିନେମା ଜଗତକୁ ନିଜର ପୂରା ଜୀବନ ସମର୍ପିତ କରି ସାରିଛନ୍ତି। ନିଜ ଜୀବନକାଳ ଭିତରେ ଅନେକ ସିନେମା କରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। କେତେବେଳେ ସେମାନେ ଲୋକଙ୍କୁ ହସାଇଥାନ୍ତି ତ କେତେବେଳେ ଆଖିରୁ ଲୁହ ଝରାଇଥା’ନ୍ତି। କିନ୍ତୁ ସେମାନେ ସେତେବେଳେ ଭାଙ୍ଗି ପଡ଼ନ୍ତି, ଯେତେବେଳେ ସେମାନଙ୍କୁ ଜିଇଁଥିବା ଅବସ୍ଥାରେ ଲୋକମାନେ ମାରି ଦିଅନ୍ତି। ଏମିତି କିଛି କଳାକାରଙ୍କ ବିଷୟରେ ଆଜି ଜାଣିବା, ଯେଉଁମାନଙ୍କ ମୃତ୍ୟୁର ଗୁଜବ ଉଠିଛି…

ତବସ୍ସୁମ୍
ନିକଟରେ ୭୭ ବର୍ଷୀୟ ଭେଟେରାନ୍ ଅଭିନେତ୍ରୀ ତବସ୍ସୁମଙ୍କ ମୃତ୍ୟୁର ଗୁଜବ ଉଠିଥିଲା। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏହାକୁ ଖଣ୍ଡନ କରିଥିଲେ। ସେ ଲେଖିଛନ୍ତି, ‘ଆପଣଙ୍କ ଶୁଭକାମନା ଯୋଗୁ ମୁଁ ବିଲକୁଲ ଠିକ୍ ଅଛି, ସୁସ୍ଥ ଅଛି ଏବଂ ମୋର ପରିବାର ସହ ଅଛି। ମୋତେ ନେଇ ଯେଉଁ ଗୁଜବ ପ୍ରଚାର କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ମୁଁ ଏହା ପ୍ରାର୍ଥନା କରୁଛି ଯେ, ଆପଣମାନେ ମଧ୍ୟ ନିଜ ନିଜ ଘରେ ସୁସ୍ଥ ଥିବେ।’

https://www.instagram.com/p/CN_4wSQByw9/

ଦିଲ୍ଲୀପ କୁମାର

୯୭ ବର୍ଷୀୟ ଦିଲ୍ଲୀପ କୁମାର ଯେବେ ବି ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି, ସେବେ ତାଙ୍କ ମୃତ୍ୟୁର ଗୁଜବ ଆସିଥାଏ। ବହୁବାର ସେ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା, ନିମୋନିଆ ଆଦି ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥା’ନ୍ତି। ରିପୋର୍ଟ ମୁତାବକ, ଏବେ ଦିଲ୍ଲୀପ କୁମାର କାହାକୁ ଚିହ୍ନି ପାରୁନାହାନ୍ତି। ଏପରିକି ତାଙ୍କ ପତ୍ନୀ ସାଇରା ବାନୋଙ୍କୁ ବି ସେ ଚିହ୍ନି ପାରୁନାହାନ୍ତି। ସେହିପରି ସେ ଚଲାବୁଲା ବି କରି ପାରୁନାହାନ୍ତି।

କାଦର ଖାନ୍

୨୦୧୩ରେ ଏମିତି ଏକ ସମୟ ଆସିଥିଲା, ଯେଉଁ ସମୟରେ ଏହି ମହାନ୍ କଳାକାରଙ୍କ ମୃତ୍ୟୁର ଗୁଜବ ଖବର ପ୍ରଚାରିତ ହୋଇଥିଲା। ଏଥିରେ ସେ ଏତେ ଚିନ୍ତିତ ହୋଇ ପଡ଼ିଥିଲେ ଯେ, ନିଜେ ମିଡିଆ ସାମ୍ନାକୁ ଆସି ଏହି ଗୁଜବକୁ ଖଣ୍ଡନ କରିଥିଲେ। ଏହାସହ ଏଭଳି ଗୁଜବ ପ୍ରଚାର କରାଯିବା ଦ୍ୱାରା ତାଙ୍କ ପରିବାର ଲୋକେ ମଧ୍ୟ ଚିନ୍ତିତ ହୋଇ ପଡ଼ୁଥିବା ସେ କହିଥିଲେ। ଏହାପରେ ମଧ୍ୟ ଅନେକ ଥର ତାଙ୍କର ମୃତ୍ୟୁକୁ ନେଇ ଗୁଜବ ହୋଇଥିଲା। ମାତ୍ର, ୨୦୧୮ ମସିହା ଡିସେମ୍ୱର ମାସରେ ହୋଇଥିବା ଗୁଜବ ଖବର ସତ ହୋଇଥିଲା। ସୁପ୍ରିନ୍ୟୁକ୍ଲିୟର ପଲ୍ସି ବେମାରୀରେ ପୀଡ଼ିତ ହୋଇ ସେ ପରଲୋକ ଗମନ କରିଥିଲେ।

ଅମିତାଭ ବଚ୍ଚନ


ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ମୃତ୍ୟୁର ଗୁଜବ କରିବାକୁ ପଛେଇ ନ ଥିଲେ ଲୋକେ। ଥରେ ଏମିତି ପ୍ରଚାର କରାଯାଇଥିଲା ଯେ, ଆମେରିକାରେ ତାଙ୍କର ଏକ କାର୍ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ଏହି ଗୁଜବକୁ ନେଇ ବିଗବି କୌଣସି ପ୍ରତିକ୍ରିୟା ଦେଇ ନଥିଲେ। କିନ୍ତୁ ତାଙ୍କ ଫ୍ୟାନ୍ସମାନେ ଏହି ଗୁଜବ ଶୁଣି ଚିନ୍ତାରେ ପଡ଼ି ଯାଇଥିଲେ।

ଲତା ମଙ୍ଗେସକର


ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମଧ୍ୟ ଅନେକ ଥର ମୃତ୍ୟୁର ଗୁଜବ ଖବର ପ୍ରଚାର କରାଯାଇଛି। ଏହାକୁ ନେଇ ସେ ବିଭିନ୍ନ ସମୟରେ ଖଣ୍ଡନ କରିଛନ୍ତି। ଥରେ ସେ ଲେଖିଥିଲେ, ନମସ୍କାର, ମୋତେ ନେଇ ହୋଇଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଭଗବାନଙ୍କ କୃପାରୁ ସବୁ ଠିକ୍ ଅଛି। ଗତବର୍ଷ ମଧ୍ୟ ତାଙ୍କୁ ନେଇ ଗୁଜବ ଉଠିଥିଲା। ଛାତିରେ ସଂକ୍ରମଣ ଓ ନିଃଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରେ ତାଙ୍କୁ ନଭେମ୍ୱର ୧୧ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର ମୃତ୍ୟୁର ଗୁଜବ ଉଠିଥିଲା। କିନ୍ତୁ, କୋଡ଼ିଏ ଦିନ ହସ୍ପିଟାଲ ଶଯ୍ୟାରେ ସଂଗ୍ରାମ କରିବା ପରେ ୯୦ ବର୍ଷୀୟ ଲତା ଜୀ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ମୁମତାଜ

ବିଶିଷ୍ଠ ଅଭିନେତ୍ରୀ ମୁମତାଜଙ୍କ ମୃତ୍ୟୁର ଗୁଜବ ହେବା ପରେ ସେ ଦୁଃଖପ୍ରକାଶ କରିଥିଲେ। ୭୨ ବର୍ଷୀୟ ଏହି ଅଭିନେତ୍ରୀ କହିଥିଲେ, ‘ମୁଁ ପୂରା ସୁସ୍ଥ ଅଛି। ବଞ୍ଚିଛି। କିନ୍ତୁ, ମୁଁ ଜାଣି ପାରୁନି ଯେ କିଏ କାହିଁକି ଏମିତି ଜାଣିଶୁଣି ପ୍ରଚାର କରିଛି। ଏହା କ’ଣ ଥଟ୍ଟା ପରିହାସ ? ଗତବର୍ଷ ଏହି ଖବର ମୋ ପରିବାରକୁ ଅନେକ ଅସୁବିଧାରେ ପକାଇଥିଲା। ବିଭିନ୍ନ ଆଡ଼ୁ ଫୋନ୍ ଆସିଥିଲା। ମୁଁ ବି ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲି। ୨୦୦୦ ମସିହାରେ ମୁମତାଜଙ୍କୁ ସ୍ତନ କର୍କଟ ହୋଇଥିଲା। ଏହାସହ ଲଢ଼େଇ କରି ସେ ଏବେ ପୂରା ସୁସ୍ଥ ଅଛନ୍ତି। ଦୀର୍ଘଦିନ ଧରି ସେ ଲଣ୍ଡନରେ ରହୁଛନ୍ତି।’

0 Comments

Leave Your Comment

Your email address will not be published. Required fields are marked *

%d bloggers like this: