ଆରପାରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଆରପାରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ପରଲୋକ ଘଟିଛି। ୮୩ବର୍ଷ ବୟସରେ ସେ ଇହଲୋକ ପ୍ରାପ୍ତ କରିଛନ୍ତି। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୫୦ରେ ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ସମ୍ପର୍କରେ ଝିଅ ସୁନୀତା ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ଥିଲେ ପ୍ରଥମ ଆଦିବାସୀ ଭାବେ ୨ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୧୯୩୯ ଡିସେମ୍ବର ୧ରେ ଅବିଭକ୍ତ ସମ୍ବଲପୁର ଜିଲା ତଥା ବର୍ତ୍ତମାନର ଝାରସୁଗୁଡା ଜିଲା ଅନ୍ତର୍ଗତ ଠାକୁରପଡ଼ାରେ ଜନ୍ମଗ୍ରହଣ କରିଥିଲେ। ୧୯୮୯ ମସିହା ଡିସେମ୍ବର ୭ରୁ ୧୯୯୦ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ପ୍ରାୟ ୩ ମାସ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ପ୍ରାୟ ୮ ମାସ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନବୀନ ପଟ୍ଟନାୟକ ତୁଲାଉଛନ୍ତି। ସେ ଓଡ଼ିଶାର ପ୍ରଥମ ଅନୁସୂଚିତ ଜନଜାତି ବର୍ଗର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୯ରେ ସେ ସୁନ୍ଦରଗଡ଼ର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୭୦ଦଶକରେ ପଞ୍ଚାୟତ ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ସ୍ବର୍ଗତ ବିଶ୍ୱାଳ ୧୯୭୪ ମସିହାରେ ପ୍ରଥମଥର ବିଧାୟକ ହୋଇଥିଲେ। ୧୯୭୪ରୁ ୧୯୭୭ ଓ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ୬ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୮୬ ପର୍ଯ୍ୟନ୍ତ ସେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। ବିଶେଷକରି ସମଗ୍ର ପଶ୍ଚିମ ଓଡ଼ିଶାର ଜଣେ ଆଦିବାସୀ ନେତା ଭାବେ ପରିଚିତ ଥିଲେ। ହେମାନନ୍ଦଙ୍କ ବାପା ବାସୁଦେବ ବିଶ୍ବାଳ ଦୀର୍ଘବର୍ଷ ପର୍ଯ୍ୟନ୍ତ ସରପଞ୍ଚ ଥିଲେ। ଉର୍ମିଳା ବିଶ୍ବାଳଙ୍କୁ ସେ ବିବାହ କରିଥିଲେ। ତାଙ୍କର ୫ ଝିଅ ଅଛନ୍ତି। ଦୁଇ ଝିଅ ସୁନୀତା ଓ ଅମିତା ଏବେ ରାଜନୀତିରେ ସକ୍ରିୟ ଅଛନ୍ତି। ଶୁକ୍ରବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।ତାଙ୍କ ମୃତ୍ୟୁରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଟ୍ଟନାୟକ, ରାଜ୍ଯପାଳ ଓ ଅନ୍ଯାନ୍ଯ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: