କେଶରୀ ମଲ୍ ରେ ନିଆଁ

କେଶରୀ ମଲ୍ ରେ ନିଆଁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂସ୍ଥିତ ବିଏମ୍‌ସି କେଶରୀ ମଲ୍‌ରେ ଶୁକ୍ରବାର ରାତି ୧୧ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଲ୍‌ର ପ୍ରଥମ ମହଲାରେ ଥିବା ଅଜୟ ଗାର୍ମେଣ୍ଟର ପ୍ରାୟ ସମସ୍ତ ପୋଷାକ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୋକାନକୁ ଲାଗି ରହିଥିବା ୟୁଥ୍‌ ସେସନ୍‌ରେ ମଧ୍ୟ ନିଆଁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ମଲ୍‌ର ୪ଟି ମହଲାରେ ୫୦ରୁ ଊର୍ଦ୍ଧ୍ୱ ଦୋକାନ ରହିଥିବାବେଳେ ସେଥିମଧ୍ୟରେ ଅଧିକାଂଶ ଡ୍ରେସ୍‌ ଦୋକାନ। ୬ଟି ଦୋକାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ରାତି ଗୋଟାଏ ସୁଦ୍ଧା ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ନିଆଁକୁ ପ୍ରାୟତଃ ଆୟତ୍ତ କରାଯାଇଥିଲେ ମଧ୍ୟ ସମଗ୍ର ମଲ୍‌ ଧୂଆଁମୟ ରହିଥିଲା। ଦୋକାନ ବନ୍ଦ ପରେ ଅଗ୍ନିକାଣ୍ଡ ଘଟିଥିବାରୁ ମୃତାହତ ଭଳି ବଡ଼ ବିପଦ ଟଳିଯାଇଛି। ହେଲେ ବ୍ୟାପକ ପରିମାଣର ପୋଷାକ, ସାମଗ୍ରୀ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।ସୂଚନାନୁସାରେ ଶୁକ୍ରବାର ରାତି ୧୦ଟାରେ ମଲ୍‌ର ସମସ୍ତ ଦୋକାନ ବନ୍ଦ ହୋଇଥିଲା। ଦୋକାନ ମାଲିକମାନେ ଘରକୁ ପଳାଇ ଯାଇଥିଲେ। ରାତି ପ୍ରାୟ ୧୧ଟାରେ ମଲ୍‌ ଭିତରୁ ଧୂଆଁବାହାରିବା ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଚାହୁଁ ଚାହୁଁ ଅଜୟ ଗାର୍ମେଣ୍ଟ ଜଳି ଉଠିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ମଲ୍‌ରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଅଚଳ ଥିବାରୁ ଠିକ୍‌ ସମୟରେ ନିଆଁ ଲିଭାଯାଇପାରିଲା ନାହିଁ ବୋଲି ଜଣେ କ୍ଷତିଗ୍ରସ୍ତ ଦୋକାନୀ ଅଭିଯୋଗ କରିଛନ୍ତି। ମେଣ୍ଟେନାନ୍ସ ପାଇଁ ବ୍ୟାପକ ଟଙ୍କା ଦୋକାନୀଙ୍କଠାରୁ ନିଆଯାଉଥିବାବେଳେ ଅଗ୍ନିକାଣ୍ଡ ଭଳି ବିପତ୍ତିରୁ ବର୍ତ୍ତିବା ପାଇଁ କୌଣସି ବ୍ୟବସ୍ଥା ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡ ପରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: