ଓଡ଼ିଶାର ଜଙ୍ଗଲରେ ଲାଗୁଛି ସର୍ବାଧିକ ନିଆଁ, ଅନ୍ୟ କେଉଁ ରାଜ୍ଯରେ କେତେ?

ଓଡ଼ିଶାର ଜଙ୍ଗଲରେ ଲାଗୁଛି ସର୍ବାଧିକ ନିଆଁ, ଅନ୍ୟ କେଉଁ ରାଜ୍ଯରେ କେତେ?

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣା ଦେଶର ସମସ୍ତ ରାଜ୍ୟଠାରୁ ଆଗରେ ରହିଛି । ସଦ୍ୟତମ ଆକଳନରୁ ଜଣାଯାଇଛି ଯେ ରାଜ୍ୟରେ ଜଙ୍ଗଲ ଅଗ୍ନିକାଣ୍ଡ ଘଟୁଛି ।କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପିରବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଫରେଷ୍ଟ ସର୍ଭେ ଅଫ୍‍ ଇଣ୍ଡିଆ (ଏଫ୍‍ଏସ୍‍ଆଇ) ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‍ ମଧ୍ୟରେ ଦେଶରେ ୩,୪୫,୯୮୯ଟି ବନାଗ୍ନି ଘଟିଥିବାବେଳେ ଓଡିଶାରେ ଏହି ସଂଖ୍ୟା ୫୧,୯୬୮ । ଏହା ହିଁ ଦେଶରେ ସର୍ବାଧିକ ଘଟଣା ।ସେହିଭଳି ମଧ୍ୟ ପ୍ରଦେଶ ୪୭,୭୯୫ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ପଛକୁ ଛତିଶଗଡରେ ୩୮,୧୦୬ ଜଙ୍ଗଲ ନିଆଁ ପରିଲକ୍ଷିତ ହୋଇଥିବାବେଳେ ମହରାଷ୍ଟ୍ରରେ ୩୪,୦୨୫, ଝାଡଖଣ୍ଡରେ ୨୧,୭୧୩, ଉତ୍ତରାଖଣ୍ଡରେ ୨୧,୪୮୭, ଆନ୍ଧ୍ରପ୍ରଦେଶରେ ୧୯,୩୨୮, ତେଲେଙ୍ଗାନାରେ ୧୮,୨୩୭, ମିଜୋରାମରେ ୧୨,୮୪୬, ଆସାମରେ ୧୦,୭୧୮ ଏବଂ ମଣିପୁରରେ ୧୦,୪୫୭ ଜଙ୍ଗଲ ନିଆଁ ଘଟିଥିବା ମନ୍ତ୍ରୀ କହିଛନ୍ତି ।ପ୍ରତିବର୍ଷ ନଭେମ୍ବରରୁ ମଇମାସ ମଧ୍ୟରେ ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡ ସଂଖ୍ୟା ବଢିବାରେ ଲଗିଛି । ଏହି ସମୟରେ ଜଙ୍ଗଲରେ ନିଆଁ ଧରୁଥିବା ସାମଗ୍ରୀ ଯଥା ଶୁଖିଲା କାଠ, ପତ୍ର, କାଠି ଆଦି ପଡିବା ଦ୍ୱାରା ଅଗ୍ନିକାଣ୍ଡ ଘଟୁଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ଜଙ୍ଗଲ ନିଆଁ ସ୍ଥଳଭାଗରେ ପରିଲକ୍ଷିତ ହୋଇଥାଏ ଏବଂ ଏହାଦ୍ୱାରା ସବୁଜିମା ନଷ୍ଟ ହୋଇଥାଏ । ଏଫ୍‍ସିଆଇ ପକ୍ଷରୁ ପଞ୍ଜିକୃତ ବ୍ୟକ୍ତିଙ୍କ ନିକଟକରୁ ଜଙ୍ଗଲ ନିଆଁ ସଂକ୍ରାନ୍ତରେ ସତର୍କ ସୂଚନା ପଠାଯାଇଥାଏ ।ମନ୍ତ୍ରାଳୟ ଓ ବିଶ୍ୱ ବ୍ୟାଙ୍କ୍‍ର ମିଳିତ ସହାୟତାରେ ଭାରତୀୟ ଜଙ୍ଗଲରେ ଅଗ୍ନିକାଣ୍ଡ ପରିଚାଳନା ଶୀର୍ଷକ ଏକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ଯେଉଁଥିରେ ଅଗ୍ନିକାଣ୍ଡ ରୋକିବାପାଇଁ ଅନେକଗୁଡିକ ସୁପାରିଶ୍‍ କରାଯାଇଥିଲା । ଏଥି ମଧ୍ୟରେ ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସତର୍କତା ସହିତ ସ୍ଥାନୀୟ ଗୋଷ୍ଠିଗୁଡିକୁ ଏଥିରେ ସାମିଲ ଆଦି ରହିଥିଲା । ରିପୋର୍ଟରେ ହୋଇଥିବା ଆକଳନ ଅନୁଯାୟୀ ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୬.୩୪ ନିୟୁତ ଟନ୍‍ରୁ ୧୨୩.୮୪ ନିୟୁତ ଟନ୍‍କୁ ବୃଦ୍ଧି ପାଉଛି ।ଜଙ୍ଗଲରେ ଲାଗୁଥିବା ନିଆଁକୁ ପ୍ରତିହତ କରିବାର ପ୍ରାଥମିକ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର । ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିଆଁକୁ ଆୟତ କରିବାପାଇଁ ଆର୍ଥିକ ସହାୟତା ସହିତ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ବିଭିନ୍ନ ପ୍ରକାର ସାଜ ସରଞ୍ଜାମ ଯୋଗାଇ ଦିଆଯାଇଥାଏ । ୨୦୧୮-୧୯ ରୁ ୨୦୨୦-୨୧ ମଧ୍ୟରେ ଏହି ଯୋଜନାରେ ରାଜ୍ୟକୁ ୧୨୫ କୋଟି ଟଙ୍କାର ସହାୟତା ଯୋଗାଯାଇଛି ।ଏଫ୍‍ଏସ୍‍ଆଇ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସତର୍କ ସୂଚନା ପାଉଥିବା ପଞ୍ଜିକୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିପାଇଁ କୁହାଯିବା ପରେ ଏବେ ଏହି ସଂଖ୍ୟା ୧.୩୦ଲକ୍ଷରେ ପହଞ୍ଚିଛି । ସେହିଭଳି ଏଫ୍‍ଏସ୍‍ଆଇ ମଧ୍ୟରେ ସାପ୍ତହିକ ଭାବେ ରାଜ୍ୟ ଗୁଡିକୁ ପ୍ରାରମ୍ଭିକ ସତର୍କ ସୂଚନା ଦେଉଛନ୍ତି । ଏଥି ସହିତ ଜଙ୍ଗଲ ନିଆଁକୁ ପ୍ରତିହତ ଲାଗି କେନ୍ଦ୍ର ସରକାର ଜାତୀୟ ସ୍ତରରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଙ୍ଗଲ ନିଆଁ ପ୍ରଶମନ ପାଇଁ ରାଜ୍ୟସ୍ତରୀୟ ମନିଟରିଂ କମିଟି ଗଠନ ସହିତ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଲାଗି ପରାମର୍ଶ ପ୍ରଦାନ କରିଥାନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: