ନାଚଗୀତରେ ଦୁଲୁକିଲା ବିମାନ ବନ୍ଦର, ଦିଲ୍ଲୀ ଗଲେ ମୁର୍ମୁ

ନାଚଗୀତରେ ଦୁଲୁକିଲା ବିମାନ ବନ୍ଦର, ଦିଲ୍ଲୀ ଗଲେ ମୁର୍ମୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦିଲ୍ଲୀ ଗଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଗୁୁରୁବାର ସକାଳ ୯ଟା ୪୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ଏହି ଅବସରରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କାମନା କରିଥିଲେ।

ଏମସିଏଲ୍ ଗେଷ୍ଟ ହାଉସ୍‌ରୁ ଜେଡ ପ୍ଲସ ସୁରକ୍ଷାରେ ଯାଇ ଆଜି ସକାଳେ ବିମାନବନ୍ଦରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରକୁ ପାଛୋଟି ନିଆଯାଇଥିଲା। ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେପି ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ରୌପଦୀଙ୍କ ସୁରକ୍ଷା ନିମନ୍ତେ ଜେଡ ପ୍ଲସ୍‌ ସିକ୍ୟୁରିଟି ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ବିମାନବନ୍ଦର ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଦ୍ରୌପଦୀ ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପିର ତୁଙ୍ଗ ନେତା ତାଙ୍କୁ ବିମାନବନ୍ଦର ଭିତରକୁ ପାଛୋଟି ନେଇ ଯାଇଥିଲେ। ଏହାପରେ ପୂର୍ବ ନିର୍ଦ୍ଧାରିତ ସମୟରେ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ଶ୍ରୀମତୀ ମୁର୍ମୁ । ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । ଦିଲ୍ଲୀରେ ପହଞ୍ଚିବା ପରେ ୨ ଦିନ ପାଇଁ ସେ ଓଡ଼ିଶା ଭବନରେ ରହିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।

ଆଜି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବା ପରେ ବିଭିନ୍ନ ରାଜ୍ୟ ସରକାର ଓ ଦଳକୁ ସେ ଭେଟି ପାରନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇଥିବା ଦଳଗୁଡ଼ିକୁ ଧନ୍ୟବାଦ ଜଣାଇବେ ଓ ତାଙ୍କୁ ସମର୍ଥନ ଜଣାଇବାକୁ ଅନ୍ୟ ଦଳ ଗୁଡ଼ିକୁ ନିବେଦନ କରିବେ।ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମାଟିର ଝିଅଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ପାଇଁ ସବୁ ଦଳର ବିଧାୟକଙ୍କୁ ଅପିଲ କରିବା ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। କାରଣ ଜିତିବା ପାଇଁ ଆବଶ୍ୟକ ହେଉଥିବା ଅଙ୍କ ଦ୍ରୌପଦୀ ମୁର୍ମୁ ଖୁବ୍‌ ସହଜରେ ହାସଲ କରିପାରିବେ ବୋଲି ଆଶା ଉଜ୍ଜିବୀତ ହୋଇଛି।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୌପଦୀଙ୍କର ହେବ ଲଢ଼େଇ।ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ତା’ର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରଠୁ ରାଇରଙ୍ଗପୁରରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସବୁଠି ଚାଲିଛି ସେଲିବ୍ରେସନ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: