କିଏ ଏହି ସିନ୍ଦେ, ଉଦ୍ଧବଙ୍କଠାରୁ ଛଡ଼ାଇ ନେବେ…

କିଏ ଏହି ସିନ୍ଦେ, ଉଦ୍ଧବଙ୍କଠାରୁ ଛଡ଼ାଇ ନେବେ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହାରାଷ୍ଟ୍ରରେ ଦେଖାଯାଇଥିବା ମହାନାଟକ ଆହୁରି ତୀବ୍ର ହୋଇଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜର ବସ୍‌ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନୂଆ ବାଣ ମାରିଛନ୍ତି। ତାଙ୍କ ପାଖରେ ଦଳର ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିବାରୁ ସେ ହିଁ ଦଳର ନେତା ବୋଲି ଏକନାଥ କହିଛନ୍ତି। ଏଥିସହ ତାଙ୍କ ସମର୍ଥନରେ ଦଳର ୩୦ ଜଣ ଓ ୪ ଜଣ ସ୍ୱାଧୀନ ବିଧାୟକ ରହିଥିବା ଦାବି କରି ଗୋଟିଏ ଚିଠି ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ପାଖକୁ ପଠାଇଛନ୍ତି।

ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ରାଜ୍ୟପାଳଙ୍କ ପାଖକୁ ଆସିଥିବା ଚିଠିରେ ଶିବସେନାର ୩୦ ଓ ୪ ଜଣ ସ୍ୱାଧୀନ ବିଧାୟକଙ୍କ ଦସ୍ତଖତ ରହିଛି। ସେହିପରି ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ସହ ଆଉ ୪ ଜଣ ବିଧାୟକ ବିଦ୍ରୋହୀ ଗୋଷ୍ଠୀଙ୍କ କ୍ୟାମ୍ପରେ ଯୋଗଦେବାକୁ ଆସାମର ଗୌହାଟୀ ଯାଉଛନ୍ତି। ଏହି ୪ ଜଣ ଯାକ ବିଧାୟକ ଶିବସେନାର ବୋଲି କୁହାଯାଉଛି। କିନ୍ତୁ ଏଯାଏ ବିସ୍ତୃତ ତଥ୍ୟ ମିଳିନାହିଁ।୩୪ ବିଧାୟକ ଦସ୍ତଖତ କରିଥିବା ଚିଠିରେ ଏକନାଥ ସିନ୍ଦେ ସମସ୍ତଙ୍କର ନେତା ବୋଲି କୁହାଯାଇଛି। ଗତକାଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଧାୟକ ଦଳ ନେତା ପଦରୁ ବିଦ୍ରୋହୀ ସିନ୍ଦେଙ୍କୁ ବିଦା କରିଥିଲେ। ହେଲେ ସେ ନିଜକୁ ନିଜେ ଆଜି ଚିଠିରେ ବିଧାୟକ ଦଳ ନେତା ବୋଲି କହିଛନ୍ତି।

ଏଥିସହ ଉଦ୍ଧବ ଠାକରେ ଆଜି ସନ୍ଧ୍ୟାରେ ଡାକିଥିବା ବିଧାୟକ ଦଳ ବୈଠକକୁ ବେଆଇନ ବୋଲି କହିଛନ୍ତି। କାରଣ ସେ ବିଧାୟକ ଦଳ ନେତା ହୋଇଥିବାରୁ ସେ ହିଁ ବୈଠକ ଡାକିପାରିବେ ବୋଲି କହିଛନ୍ତି। ୩୪ ଜଣ ବିଦ୍ରୋହୀ ନେତା ଦଳର ମୁଖ୍ୟ ସଚେତକ ଭାବେ ସୁନୀଲ ପ୍ରଭୁଙ୍କ ନାଁ ଘୋଷଣା କରିଛନ୍ତି। ଉଦ୍ଧବ ଠାକରେ ଗତକାଲି ଭରତ ଗୋଗାୱାଲେଙ୍କ ଶିବସେନାର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଥିଲେ। କିନ୍ତୁ ବିଦ୍ରୋହୀ ବିଧାୟକମାନେ ଏହାକୁ ବେଆଇନ ବୋଲି କହିଛନ୍ତି। ଏସବୁ ଭିତରେ ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ପାର୍ଟି ଖସି ଯିବାର ଆଶଙ୍କା ପ୍ରକାଶ ପାଇଛି। ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରିଥିବାରୁ ମହାରାଷ୍ଟ୍ର ସରକାର ଭାଙ୍ଗିବା ଏକ ପ୍ରକାରର ନିଶ୍ଚିତ।

ତେବେ ଏକନାଥ ସିନ୍ଦେ ଓ ତାଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ଉପରେ ଦଳ ବଦଳ ନିରୋଧ ଆଇନ ଲାଗୁ ହୋଇପାରେ। ଏହାକୁ ମାତ ଦେବା ପାଇଁ ଏକନାଥଙ୍କୁ ୩୭ ଶିବସେନା ବିଧାୟକଙ୍କ ସମର୍ଥନ ଦରକାର। କାରଣ ଦଳ ବଦଳ ନିରୋଧ ଆଇନକୁ ମାତ ଦେବା ପାଇଁ ମୋଟ ବିଧାୟକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।ଏବେ ଏକନାଥଙ୍କ ପାଖରେ ଶିବସେନାର ୩୦ ଜଣ ବିଧାୟକ ରହିଛନ୍ତି। ତେଣୁ ଦଳ ବିଭାଜନ ଓ ଦଳ ବଦଳ ନିରୋଧ ଆଇନକୁ ଅକାମୀ କରିବା ପାଇଁ ଆଉ ୭ ଜଣ ବିଧାୟକଙ୍କ ସମର୍ଥନ ଦରକାର। ଯଦି ଆଉ ୭ ଶିବସେନା ବିଧାୟକ ଏକନାଥଙ୍କୁ ସମର୍ଥନ କରିବେ, ତା’ହେଲେ ସେମାନେ ବିଧାନସଭାରେ ସ୍ୱତନ୍ତ୍ର ପାର୍ଟିର ମାନ୍ୟତା ପାଇଁ ଦାବି କରିପାରିବେ।

ସେହିପରି ଏକନାଥ ନିଜକୁ ପ୍ରକୃତ ଶିବ ସୈନିକ କହୁଥିବାରୁ ଶିବସେନାର ଦଳୀୟ ଚିହ୍ନ ମଧ୍ୟ ଆଣିବା ପାଇଁ ୩୭ ବିଧାୟକଙ୍କ ସମର୍ଥନରେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିପାରିବେ।ନିର୍ବାଚନ କମିଶନ ସାଧାରଣତଃ ଅଧିକ ସଂଖ୍ୟକ ବିଧାୟକ ଥିବା ଗୋଷ୍ଠୀଙ୍କୁ ଦଳୀୟ ଚିହ୍ନ ପ୍ରଦାନ କରିନ୍ତି। ଯଦି ଏକନାଥ ନିଜର ଶକ୍ତି ପ୍ରର୍ଦଶନ କରିପାରିବେ, ତା’ହେଲେ ଉଦ୍ଧବ ଠାକରେଙ୍କ ପାଖରୁ ଶିବସେନାର ଚିହ୍ନ ଛଡ଼ାଇ ଆଣିବାକୁ ସକ୍ଷମ ହେବେ।ଏକନାଥ ବିଦ୍ରୋହ କରିବା ପଛର କାରଣ ମଧ୍ୟ ସାମ୍ନାକୁ ଆସିଛି। ଶିବସେନାର ବିଦ୍ରୋହୀଙ୍କ ମତରେ ମହା ବିକାଶ ଅଘାଡି(ଏମଭିଏ) ସରକାରେ ଦୁର୍ନୀତି ବଢ଼ି ଚାଲିଛି। ଏଥିସହ ଶିବସେନା ତା’ର ହିନ୍ଦୁତ୍ୱ ଆଦର୍ଶକୁ ଭୁଲି ୨୦୧୯ରେ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରିଥିଲା। ଦିନକୁ ଦିନ ଶିବସେନା ସରକାରକୁ ବଞ୍ଚାଇବା ପାଇଁ ନିଜ ହିନ୍ଦୁତ୍ୱ ଆଦର୍ଶରେ ବୁଝାମଣା କରୁଥିବାରୁ ସେମାନେ ଦଳର ମୁଖିଆ ଓ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: