କେତେ ସୁରକ୍ଷିତ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ?

ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆସି ଗୋଟିଏ ପଟେ କ୍ରାଇମବ୍ରାଞ୍ଚର ଚାରି ଜଣିଆ ଟିମ୍ ଏ ସବୁର ତନାଘନା ଚଳାଇଥିବାବେଳେ ଅନ୍ୟପଟେ ଜାତୀୟ ତଦନ୍ତକାରୀ ସଂସ୍ଥା NIAର ଦୁଇ ଜଣ ଅଧିକାରୀ ବି ସବୁ ଦିଗରୁ ଛାନବିନ୍ ଜାରି ରଖିଛନ୍ତି । ଏମିତିକି ଏନଆଇଏ ଅଧିକାରୀ ଶୁକ୍ରବାର ଆଇଟିଆରରେ କିଛି ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛନ୍ତି ।

କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଭାର ହାତକୁ ନେଉ ନେଉ, ପ୍ରଥମେ ଉଭୟ ଠିକା ଓ ସ୍ଥାୟୀ କର୍ମଚାରୀଙ୍କ ବିଦେଶୀ ଲିଙ୍କ୍ ଖୋଜିବା ଆରମ୍ଭ କରିଦେଇଛି । ତାସହ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ଲିକର ମୂଳ ଯାଏଁ ଯିବାକୁ ଚେଷ୍ଟା ଚଳାଇଛି । ସେପଟେ ଏଭଳି ଦେଶଦ୍ରୋହୀ କାର୍ଯ୍ୟରେ କେବଳ ଏଇ ୫ ତଳିଆ କର୍ମଚାରୀ ଅଛନ୍ତି, ନା ବଡ଼ ମାଛ ବି ସାମିଲ ?

ତାକୁ ଚଳାଇଛି ଘଣ୍ଟାଚକଟା ଗୁରବାର ଗିରଫ ହୋଇଥିବା ସଚିନ୍ କୁମାର ନାମକ ଡ୍ରାଇଭର କିଛି ବର୍ଷ ତଳେ ଆଇଟିଆର ବରିଷ୍ଠ ଅଧିକାରୀଙ୍କ ଗାଡ଼ି ଚଳାଉଥିଲେ ତେଣୁ ଅଫିସର ଓ ବୈଜ୍ଞାନିକଙ୍କ ଆତଯାତ ସମ୍ପର୍କରେ ତାଙ୍କ ପାଖରେ ବିସ୍ତୃତ ତଥ୍ୟ ଥିବ ନିଶ୍ଚୟ, ତେଣୁ ସେ ଏବେ ସବୁଠାରୁ ଅଧିକ ସ୍କାନରରରେ ତେବେ ତଦନ୍ତ ଚାଲିଥିଲେ ବି ଦେଶର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ, ସେ ନେଇ ଏବେ ଅଧିକ କିଛି ତଥ୍ୟ ଦେଇ ହେବନି ବୋଲି ସଫା ସଫା ଶୁଣାଇଥିଲେ କ୍ରାଇମବ୍ରାଞ୍ଚ ଆଡିସନାଲ ଏସପି ।

ଆଇଟିଆରରୁ ତଥ୍ୟ ଲିକ୍ ଏବଂ ଏଥିରେ ଖୋଦ୍ ପ୍ରତିରକ୍ଷା ବିଭାଗର ଜଣେ କର୍ମଚାରୀଙ୍କ ସହ ୪ ଠିକା କର୍ମଚାରୀଙ୍କ ସଂପୃକ୍ତି ସନ୍ଦେହରେ ଗିରଫ ପରେ ଏବେ ପ୍ରଶ୍ନ-କେତେ ସୁରକ୍ଷିତ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ? ତାସହ ଶତ୍ରୁଙ୍କ ପାଇଁ କେତେ ଅଭେଦ୍ୟ ପଡ଼ୋଶୀ ଭଦ୍ରକ ଧାମରାରେ ଥିବା ଅବଦୁଲ୍ କାଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ? ଧାମରା ବି ବିପଦମୁକ୍ତ ତ ?  କାରଣ ଏସବୁର ଚାରି ପାଖରେ ଅହରହ ବୁଲୁଛନ୍ତି ମାଳ ମାଳ ବାଂଲାଦେଶୀ । ଅନୁପ୍ରବେଶକାରୀ ମତ୍ସ୍ୟଜୀବୀଙ୍କ ମୁଖା ପିନ୍ଧି ଏମାନଙ୍କର ରହିଛି ଅବାଧ ଅନୁପ୍ରବେଶ । ସ୍ଥାନୀୟ ଶରଣାର୍ଥୀଙ୍କ ସହଯୋଗରେ ଅନାୟସରେ ଏମାନଙ୍କର ନିୟମିତ ଆତଯାତ ଚାଲିଛି । ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଓ ପୁରୀ ପଯର୍ୟନ୍ତ ସମୁଦ୍ର ବେଳାଭୂମୀକୁ ବାଂଲାଦେଶୀ ଅନୁପ୍ରବେଶ କାରୀମାନେ ଏକ ପ୍ରକାର ସ୍ଥାୟୀ ଠିକଣା ବନେଇ ସାରିଲେଣି ଯେହେତୁ ଚାନ୍ଦିପୁର ଓ ହ୍ବିଲର ଦ୍ୱୀପଠାରୁ ବାଂଲାଦେଶର ଦୂରତ୍ୱ ଜଳପଥରେ ବହୁତ୍ କମ୍ ଏବଂ ସମୁଦ୍ରରେ ହିଁ ଏମାନଙ୍କ ଅବାଧ ଚଳପ୍ରଚଳ ରହିଛି । ଅନୁପ୍ରବେଶକାରୀଙ୍କ ମାଧ୍ୟମରେ ଅନାୟସରେ ଗୁପ୍ତ ତଥ୍ୟ ଶତ୍ରୁ ପକ୍ଷର ହାତକୁ ଚାଲିଯିବାରେ କିଛି ବି ଅସୁବିଧା ନାହିଁ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *