ଡା.ନୂରଙ୍କ ନିଆରା ରୋଗୀ ସେବା, ମାତ୍ର ୧୦ ଟଙ୍କାରେ କରୁଛନ୍ତି ଚିକିତ୍ସା

ଡା.ନୂରଙ୍କ ନିଆରା ରୋଗୀ ସେବା, ମାତ୍ର ୧୦ ଟଙ୍କାରେ କରୁଛନ୍ତି ଚିକିତ୍ସା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଡାକ୍ତରଙ୍କୁ ଈଶ୍ୱରଙ୍କର ଦ୍ୱିତୀୟ ଅବତାର କୁହାଯାଏ। ସେମାନେ ଲୋକଙ୍କୁ ନୂଆ ଜୀବନ ଦେଇଥାନ୍ତି। ତେବେ ଆଜିର ସ୍ବାର୍ଥ ପର ଦୁନିଆରେ ଅଧିକାଂଶ ଡାକ୍ତରଙ୍କ ଲକ୍ଷ୍ୟ ରୋଗୀ ସେବା ନୁହେଁ, ବରଂ ଟଙ୍କା ରୋଜଗାର କରିବା । ଆନ୍ଧ୍ରପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଆପଣ ନିଜେ କହିବେ ଆଜି ବି ମାନବିକତା ବଞ୍ଚିଛି । ଏଠାକାର ଜଣେ ମହିଳା ଡାକ୍ତର ନୂରୀ ପରବୀନ ମାନବିକତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ରୋଗୀଙ୍କୁ ଦେଖିବା ପାଇଁ ସେ ମାତ୍ର ୧୦ ଟଙ୍କା ନେଉଛନ୍ତି। କେବଳ ସେତିକି ନୁହେଁ, ତାଙ୍କ କ୍ଲିନିକ୍‌ରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ଶଯ୍ୟା ଫି ଦିନକୁ ମାତ୍ର ୫୦ ଟଙ୍କା ରହିଛି। ଡା. ନୂରୀ ବିଜୟୱାଡ଼ାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ବଡ଼ ହୋଇଛନ୍ତି । କଡ଼ପ୍ପାର ଫାତିମା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରୁ ସେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କଡ଼ପ୍ପା ବସ୍ତିରେ ଏକ କ୍ଲିନିକ୍‌ ଖୋଲିଛନ୍ତି। ସେଠାରେ ହିଁ ରହି ସେ ଗରିବ ଲୋକଙ୍କ ସେବା କରୁଛନ୍ତି ।


ସେପଟେ ଝିଅର ଏହି ନିଷ୍ପତ୍ତି ପାଇଁ ଖୁବ୍‌ ଖୁସି ଅଛନ୍ତି ତାଙ୍କ ମା ‘ ବାପା । ନୂରୀଙ୍କୁ ସ୍ଥାନୀୟ ଲୋକେ ସ୍ନେହରେ କଡାପାର ମଦର ଟେରେସା ନାମରେ ମଧ୍ୟ ସମ୍ବୋଧନ କରନ୍ତି । ତାଙ୍କ ମା’ବାପା ୩ ଅନାଥ ପିଲାଙ୍କୁ କୋଳେଇ ସେମାନଙ୍କର ଦେଖାଶୁଣା କରୁଛନ୍ତି । ସେମାନଙ୍କର ପୂରା ପଢ଼ା ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି।
ନୂରୀ ଗତ ବର୍ଷ ଫେବ୍ରୁଆରୀ ମାସରେ ନିଜର କ୍ଲିନିକ୍‌ ଖୋଲିଥିଲେ। କିନ୍ତୁ କରୋନା ମହାମାରୀର ଭୟଙ୍କର ରୂପ ଯୋଗୁ ଲୋକଙ୍କ ପରାମର୍ଶ କ୍ରମେ ସେ କ୍ଲିନିକ୍‌ ବନ୍ଦ କରିଦେଇଥିଲେ । ଏହାର ମାତ୍ର ୩-୪ ଦିନ ପରେ ନିଜ କର୍ତ୍ତବ୍ୟକୁ ସେ ହୃଦୟଙ୍ଗମ କଲେ ଏବଂ ପୁଣି ଥରେ କ୍ଲିନିକ୍‌ ଖୋଲିଲେ । ତାଙ୍କ କ୍ଲିନିକ୍‌ ରୋଗୀଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହୁଛି । ନୂରୀ ଏକ ଦାତବ୍ୟ ଟ୍ରଷ୍ଟ ମଧ୍ୟ ସ୍ଥାପନା କରିଛନ୍ତି, ଏହା ମାଧ୍ୟମରେ ସେ ଆତ୍ମହତ୍ୟା ଓ ଯୌତୁକ ପ୍ରଥା ବିରୋଧରେ ଲୋକଙ୍କୁ ସଚେତନ କରୁଛନ୍ତି । ଏହାସହ ଏଚଆଇଭି ରୋଗୀ, କିନ୍ନର ମାନଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାନ୍ତି ସେ।
ଆଗାମୀ ଦିନରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଖୋଲି ଗରିବ ଲୋକଙ୍କୁ ସମସ୍ତ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସେ ଆଶା ରଖିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: