ଅଶିକ୍ଷିତ ହୋଇ ବି ବୋହୂ କଲେ IAS, ଶାଶୁ-ଶଶୁରଙ୍କ ପ୍ରଶଂସା କରୁଛି ସାରା ଦେଶ

ଅଶିକ୍ଷିତ ହୋଇ ବି ବୋହୂ କଲେ IAS, ଶାଶୁ-ଶଶୁରଙ୍କ ପ୍ରଶଂସା କରୁଛି ସାରା ଦେଶ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ରକ୍ଷଣଶୀଳ ସମାଜରେ ବୋହୂ ଓ ଝିଅ ମଧ୍ୟରେ ଅନେକ ପ୍ରଭେଦ କରିଥାନ୍ତି ପରିବାର ଲୋକ। ଝିଅକୁ ଯେଉଁ ସ୍ଵାଧୀନତା ମିଳେ ବୋହୂକୁ ତାହା ମିଳେନି । ଅନ୍ୟ ପକ୍ଷରେ ଶାଶୁ-ବୋହୂ ଏବଂ ଶଶୁରଙ୍କ ଅତ୍ୟାଚାର କାହାଣୀ ଆମ ସମାଜରେ ନିତିଦିନିଆ ଘଟଣା । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ବୋହୂଙ୍କ ବିଷୟରେ କହିବୁ ଯିଏ କି ତାଙ୍କ ଶାଶୁ, ଶଶୁରଙ୍କ ପାଇଁ IAS ହେବାକୁ ସକ୍ଷମ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ଜଣେ ଅଶିକ୍ଷିତ ଶାଶୁ ତାଙ୍କ ବୋହୂକୁ ଜଣେ ପ୍ରଶାସନିକ ଅଧିକାରୀ କରାଇବାରେ ସକ୍ଷମ ହୋଇଛନ୍ତି।
ଶାଶୁ ଆଦୌ ପଢ଼ି ନଥିବାବେଳେ ଶଶୁର ଦଶମ ପାସ୍ କରିଛନ୍ତି। କିନ୍ତୁ ସେମାନଙ୍କ ଚିନ୍ତାଧାରା କୌଣସି ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଠାରୁ କମ୍ ନୁହେଁ । ଉଭୟ ଶାଶୁ, ଶଶୁର ବୋହୂକୁ ଝିଅ ପରି ସ୍ନେହ, ଆଦର କରିବା ସହ ତାଙ୍କୁ ପଢିବାକୁ ସୁଯୋଗ ଦେଇଥିଲେ, ଆଉ ବୋହୂ ମଧ୍ୟ ସେମାନଙ୍କର ବିଶ୍ବାସ ଭରସାକୁ କାୟମ ରଖି ଆଇଏଏସ୍ ଅଫିସ ହୋଇଥିଲେ ।


କେବଳ ଯେ ଶିକ୍ଷିତଙ୍କ ପିଲା ଶିକ୍ଷିତ ହୁଅନ୍ତି ଏହା ସମ୍ପୂର୍ଣ୍ଣ ଭୁଲ, ଛୋଟ ପରିବାରର ଲୋକମାନେ ମଧ୍ୟ ବଡ଼ ସ୍ୱପ୍ନ ଦେଖି ସେମାନଙ୍କର ସ୍ୱପ୍ନ ପୂରଣ କରିପାରିବେ, ଏହି ଘଟଣା ତାର ଉଦାହରଣ । ଏହି ଘଟଣାଟି ହେଉଛି ଦିଲ୍ଲୀ କମଳା ନଗର ଅନ୍ତର୍ଗତ ଶାନ୍ତି ନାଗରରେ ରହୁଥିବା ମଞ୍ଜୁ ଅଗ୍ରୱାଲଙ୍କ ପରିବାରର। ଯେଉଁମାନେ କି ବୃଦ୍ଧ ବୟସରେ ନିଜେ ଘରର ସମସ୍ତ ଦାୟିତ୍ବ ନେଇ ବୋହୂ ଅଦିତି ଅଗ୍ରୱାଲଙ୍କୁ ପଢ଼ିବାକୁ ସୁଯୋଗ ଦେବା ସହ ତାଙ୍କୁ ଆଇଏଏସ୍ ଅଧିକାରୀ କରାଇବାରେ ସଫଳ ହୋଇଛନ୍ତି।
ସବୁଠୁ ବଡ଼ କଥା ହେଲା IAS ଅଦିତି ଅଗ୍ରୱାଲ ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ସେ ଶାଶୁ ମଞ୍ଜୁ ଅଗ୍ରୱାଲ, ଶ୍ୱଶୁର ରାଜୀବ ଅଗ୍ରୱାଲ ଏବଂ ସ୍ୱାମୀ ନିଶାନ୍ତ ଅଗ୍ରୱାଲଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ, ଶାଶୁଘର ଲୋକଙ୍କ ସହଯୋଗ ପାଇଁ ମୁଁ ସଫଳ ହୋଇପାରିଛି । ଅଦିତି ଅଗ୍ରୱାଲ ଗାଜିଆବାଦର ମୋଦୀ ନଗର ସ୍ଥିତ ଦୟାବତୀ ମୋଦୀ ପବ୍ଲିକ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ଶିକ୍ଷା ଗ୍ରହଣ କରିଥିବା ବେଳେ ନୋଏଡା ଏପିଜେ ସ୍କୁଲ ଅଫ୍ ଆର୍କିଟେକ୍ଟ ଆଣ୍ଡ ପ୍ଲାନିଂ ଗ୍ରେଟରରୁ BARC ଡିଗ୍ରୀ ହାସଲ କରିଥିଲେ। ସେ ୨୦୧୫ ମସିହାରେ ନିଶାନ୍ତ ଅଗ୍ରୱାଲଙ୍କୁ ବିବାହ କରିଥିଲେ ଏବଂ ପରେ IAS ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ପାଇଁ ସେ ପ୍ରଥମ ପ୍ରୟାସରେ ହିଁ ସଫଳତା ହାସଲ କରିଛନ୍ତି । ଅଦିତି ସର୍ବଭାରତୀୟ ସ୍ତରରେ ୨୮୨ ରାଙ୍କ ରଖି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।
ଅଦିତି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ ସଫଳତାର କାହାଣୀ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ତାଙ୍କର ଏହି ସଫଳତା ପଛରେ ତାଙ୍କ ଶାଶୁ ଶଶୁରଙ୍କ ଯେଉଁ ଯୋଗଦାନ ରହିଛି ତାକୁ ଯେତେ ପ୍ରଶଂସା କାଳେ ମଧ୍ୟ କମ୍ ହେବ। ବୋହୂକୁ ଝିଅ ପରି ବିବେଚନା କରି ତାର ନିଷ୍ପତ୍ତିକୁ ସମ୍ମାନ ଦେଇ ସମାଜ ପାଇଁ ଏକ ଭଲ ଉଦାହରଣ ସୃଷ୍ଟି କରି ପାରିଛନ୍ତି ତାଙ୍କ ପରିବାର ଲୋକେ। ଦେଶର ବିକାଶ ପାଇଁ କାମ ସର୍ବଦା କାମ କରିବେ ବୋଲି ଅଦିତି ଏକ ସାକ୍ଷାତକାରରେ କହିଛନ୍ତି । ଶାଶୁଘର ଲୋକଙ୍କ ଭରସା, ବିଶ୍ବାସ ଓ ସହଯୋଗ ଯୋଗୁଁ ଅଦିତି ତାଙ୍କର ସ୍ବପ୍ନ ପୂରଣ କରିପାରିଛନ୍ତି । ଅଦିତି ଓ ତାଙ୍କ ଶାଶୁଘର ଲୋକେ ସାରା ଦେଶ ପାଇଁ ପାଲଟିଛନ୍ତି ପ୍ରେରଣା । ଏକଥା ଯିଏ ଶୁଣୁଛି ସେ କହୁଛି, ଏମିତି ଶାଶୁ, ଶଶୁର ଭାଗ୍ୟରେ ଥିଲେ ମିଳେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: