ରହସ୍ୟମୟ ଗାଁ, ପ୍ରତିବର୍ଷ ଆତ୍ମହତ୍ୟା କରିବାକୁ ଆସନ୍ତି ହଜାର ହଜାର ପକ୍ଷୀ

ରହସ୍ୟମୟ ଗାଁ, ପ୍ରତିବର୍ଷ ଆତ୍ମହତ୍ୟା କରିବାକୁ ଆସନ୍ତି ହଜାର ହଜାର ପକ୍ଷୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମଣିଷମାନେ ଆତ୍ମହତ୍ୟା କରୁଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ଆଉ ସେମାନଙ୍କ ଆତ୍ମହତ୍ୟା କରିବା ପଛରେ ଅନେକ କାରଣ ରହିଥାଏ । କିନ୍ତୁ କେବେ ପକ୍ଷୀମାନେ ଆତ୍ମହତ୍ୟା କରିବାର ଶୁଣିଛନ୍ତି କି ? ତାହା ପୁଣି ଗୋଟିଏ ସ୍ଥାନରେ । ହଁ, ଏମିତି ଗୋଟିଏ ସ୍ଥାନ ଅଛି, ଯେଉଁଠି କି ପ୍ରତି ବର୍ଷ ହଜାର ହଜାର ପକ୍ଷୀ ଆସି ଆତ୍ମହତ୍ୟା କରିଥାନ୍ତି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଆସାମର ଦିମା ହାସୋ ଜିଲ୍ଲାର ପାହାଡରେ ଥିବା ଜତିଂଗା ଘାଟି ପକ୍ଷୀମାନଙ୍କ ଆତ୍ମହତ୍ୟା ସ୍ଥାନ ଭାବରେ ବେଶ୍ ଜଣାଶୁଣା। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପକ୍ଷୀମାନେ ଏଠାରେ ଆତ୍ମହତ୍ୟା କରିଥାନ୍ତି ବୋଲି କୁହାଯାଏ। କେବଳ ସ୍ଥାନୀୟ ପକ୍ଷୀ ନୁହେଁ, ବିଦେଶାଗତ ପକ୍ଷୀ ମଧ୍ୟ ଏଠାରେ ଆତ୍ମହତ୍ୟା କରିଥାନ୍ତି । ଏହି କାରଣରୁ ଜତିଂଗା ଗାଁ ସାରା ଦେଶରେ ବେଶ ରହସ୍ୟମୟ ଗାଁ ଭାବରେ ବିବେଚନା କରାଯାଏ।


ଜତିଂଗା ଗ୍ରାମରେ ପକ୍ଷୀମାନେ ଦ୍ରୁତ ଗତିରେ ଉଡ଼ି ଆସି ଏକ ଉଚ୍ଚ କୋଠା କିମ୍ବା ଗଛରେ ବାଡେଇ ହୋଇଥାନ୍ତି, ଏଥିରେ ସେମାନଙ୍କର ମୃତ୍ୟୁ ହୋଇଥାଏ। ଗୋଟିଏ କି ଦୁଇଟି ନୁହେଁ, ଏହା ହଜାର ହଜାର ପକ୍ଷୀମାନଙ୍କ ସହିତ ଘଟେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ପକ୍ଷୀମାନେ ସନ୍ଧ୍ୟା ୭ ଟାରୁ ରାତି ୧୦ ଟା ଭିତରେ ଏଭଳି କରିଥାନ୍ତି।
ତେବେ ଏହି ଆତ୍ମହତ୍ୟା ଦୌଡ଼ରେ ପ୍ରାୟ ୪୦ରୁ ଅଧିକ ପ୍ରଜାତିର ସ୍ଥାନୀୟ ଏବଂ ବିଦେଶୀ ପକ୍ଷୀ ସାମିଲ ହୋଇଥାନ୍ତି । ପ୍ରାକୃତିକ କାରଣରୁ ୯ ମାସ ପର୍ଯ୍ୟନ୍ତ ଜତିଂଗା ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଥାଏ। କେବଳ ଏତିକି ନୁହେଁ, ଜତିଂଗା ଘାଟିକୁ ରାତିରେ ପ୍ରବେଶ ନିଷେଧ କରାଯାଇଛି।


ପକ୍ଷୀ ବିଶେଷଜ୍ଞମାନେ କୁହନ୍ତି ଯେ, ଏହି ରହସ୍ୟମୟ ଘଟଣାର କାରଣ ହେଉଛି ଚୁମ୍ବକୀୟ ଶକ୍ତି। ଆର୍ଦ ଏବଂ କୁହୁଡ଼ି ପାଗରେ ପବନ ଦ୍ରୁତ ଗତିରେ ପ୍ରବାହିତ ହୋଇଥାଏ, ତେଣୁ ରାତିର ଅନ୍ଧକାରରେ ପକ୍ଷୀମାନେ ଆଲୋକ ଚାରିପଟେ ଉଡ଼ିବା ଆରମ୍ଭ କରିଥାନ୍ତି । ଆଲୋକର ଅଭାବ ହେତୁ, ସେମାନେ ସ୍ପଷ୍ଟ ଭାବରେ ଦେଖି ପାରନ୍ତି ନାହିଁ, ଯେଉଁଥିପାଇଁ ସେମାନେ କୋଠା, ଗଛ କିମ୍ବା ଯାନ ସହିତ ଧକ୍କା ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଜତିଂଗା ଗାଁରେ ସନ୍ଧ୍ୟା ସମୟରେ ଗାଡ଼ି ଚଳାଇବାକୁ ବାରଣ କରାଯାଇଛି । ଯେପରି ଆଲୋକ ନହୁଏ କି ପକ୍ଷୀଙ୍କର କୌଣସି କ୍ଷତି ନହୁଏ। ତଥାପି, ଏହା ସତ୍ତ୍ୱେ ପକ୍ଷୀମାନଙ୍କର ମୃତ୍ୟୁ ହେଉଛି। ଜତିଂଗା ଗାଁ ଲୋକମାନେ ଏହାପଛରେ ରହସ୍ୟମୟ ଶକ୍ତିର ହାତ ରହିଛି ବୋଲି କୁହନ୍ତି। ଗ୍ରାମବାସୀ କୁହନ୍ତି ଯେ,ପବନରେ କିଛି ଅଲୌକିକ ଶକ୍ତି ଆସେ ଆଉ ପକ୍ଷୀଙ୍କୁ ଏଭଳି କରିବା ପାଇଁ ବାଧ୍ୟ କରିଥାଏ। ସେମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ଏହି ସମୟରେ ମଣିଷମାନେ ବାହାରକୁ ବାହାରିବା ବିପଦଜନକ ହୋଇପାରେ। ତେଣୁ ସେପ୍ଟେମ୍ବରରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜତିଂଗା ଗାଁ ରାସ୍ତାଗୁଡ଼ିକ ସନ୍ଧ୍ୟାରେ ନିଛାଟିଆ ବା ଖାଁ ଖାଁ ହୋଇଯାଏ । କାରଣ ଏହି ସମୟରେ କେହି ଘରୁ ବାହାରନ୍ତି ନାହିଁ କି ଗାଡ଼ି ଚାଳଚଳ କରେ ନାହିଁ।
କୁହଯାଉଛି ଯେ ୧୯୧୦ ମସିହାରୁ ଏଠାରେ ପକ୍ଷୀମାନଙ୍କର ଆତ୍ମହତ୍ୟା ଘଟଣା ଚାଲିଆସୁଛି, କିନ୍ତୁ ୧୯୫୭ ମସିହାରେ ବାହ୍ୟଜଗତ ଏହି ବିଷୟରେ ଜାଣିବାକୁ ପାଇଥିଲା। ୧୯୫୭ ମସିହାରେ ପକ୍ଷୀ ବୈଜ୍ଞାନିକ ଇ.ପି ଜି କିଛି କାମରେ ଜତିଂଗା ଗାଁକୁ ଆସିଥିଲେ। ସେହି ସମୟରେ ସେ ନିଜେ ଏହି ଘଟଣାକୁ ନିଜ ଆଖିରେ ଦେଖିବା ସହ ତାଙ୍କ ପୁସ୍ତକ ‘ୱାଇଲ୍ଡ ଲାଇଫ୍ ଅଫ୍ ଇଣ୍ଡିଆ’ରେ ଏହି ରହସ୍ୟମୟ ଗାଁରେ ପକ୍ଷଙ୍କ ଆତ୍ମହତ୍ୟା ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଭାରତ ତଥା ବିଦେଶର ବହୁ ବୈଜ୍ଞାନିକ ଏହି ଘଟଣା ଉପରେ ଗବେଷଣା କରିଛନ୍ତି, କିନ୍ତୁ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏବେ ମଧ୍ୟ ପ୍ରତି ବର୍ଷ ହଜାର ହଜାର ପକ୍ଷୀ ଏଠାରେ ମରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: