ପିମ୍ପୁଡ଼ି ଖାଇବା ପାଇଁ ନିଜ ଆକାର ଛୋଟ କରିଥିଲା ଡାଇନୋସର!

ପିମ୍ପୁଡ଼ି ଖାଇବା ପାଇଁ ନିଜ ଆକାର ଛୋଟ କରିଥିଲା ଡାଇନୋସର!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିନେ ନିଜ ଆକାର ପାଇଁ ସବୁଠୁ ବଡ଼ ପ୍ରାଣୀର ରେକର୍ଡ ହାସଲ କରିଥିବା ଡାଇନୋସରର ପତନକୁ ନେଇ ସର୍ବଦା ଲୋକଙ୍କ ମନରେ କୌତୁହଳ ରହିଥାଏ। ଶହ ଶହ ବର୍ଷ ଧରି ପୃଥିବୀରେ ରାଜ କରି ଆସୁଥିବା ଡାଇନୋସରମାନଙ୍କ ବଂଶ ହଠାତ୍ କିପରି ଲୋପ ପାଇଲା ତାକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ମିଳି ନଥିବା ବେଳେ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣାମାନ ଜାରି ରଖିଛନ୍ତି। ସମୟ କ୍ରମେ ଡାଇନୋସର ମାନଙ୍କ ଆକାର ମଧ୍ୟ ଛୋଟ ହୋଇ ଆସିଥିଲା। ତେବେ ଡାଇନୋସରର ଛୋଟ ଆକାରକୁ ନେଇ ସମ୍ପ୍ରତି ଚାଇନାର ବୈଜ୍ଞାନିକମାନେ ସେମାନଙ୍କ ଜୀବାଶ୍ମ ଉପରେ ଅଧ୍ୟୟନ କରିଥିଲେ। ଏହି ଅଧ୍ୟୟନରୁ ସେମାନେ ବହୁତ ଛୋଟ ଆକାରର ଡାଇନୋସର ବିଷୟରେ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ସୂଚନା ପାଇଛନ୍ତି। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଆଲଭାରେଜସୋର ପ୍ରଜାତିର ଡାଇନୋସରମାନେ ସେମାନଙ୍କର ଖାଦ୍ୟ ପରିବର୍ତ୍ତନ କରିଥିଲେ ଏବଂ ସେମାନେ ପିମ୍ପୁଡ଼ି ଖାଇବା ମଧ୍ୟ ଆରମ୍ଭ କରିଥିଲେ। ଯେଉଁଥିପାଇଁ ପରେ ସେମାନଙ୍କର ଆକାର ଦ୍ରୁତ ଗତିରେ କମିବାକୁ ଲାଗିଥିଲା।
ଏହି ଅଧ୍ୟୟନ ବେଜିଂରେ ଥିବା ଭର୍ଟେବ୍ରେଟ୍ ପାଲେଣ୍ଟୋଲୋଜି ଏବଂ ପାଲୋଏଣ୍ଟ୍ରୋପୋଲୋଜି ଇନଷ୍ଟିଚ୍ୟୁଟ୍ର ପିଏଚଡି ଛାତ୍ର ଜିଚୁଆନ୍ କିନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଯେଉଁଥିରେ ଦେଖାଗଲା ଯେ ଆଲଭାରେଜସୋର ଡାଇନୋସରମାନେ ପ୍ରାୟ ୧୦୦ ନିୟୁତ ବର୍ଷ ପୂର୍ବେ ସେମାନଙ୍କର ଖାଦ୍ୟ ବଦଳାଇ ପିମ୍ପୁଡ଼ି ଖାଇବା ଆରମ୍ଭ କରିଥିଲେ ଏବଂ ଏହି ଡାଏଟ୍ ଗ୍ରହଣ କରିବା ପରେ ସେମାନଙ୍କର ଆକାର ଅତି ଶୀଘ୍ର ହ୍ରାସ ପଇବାକୁ ଲାଗିଲା। ଏହି ପ୍ରଜାତିର ଡାଇନୋସରମାନେ କୁକୁଡ଼ା ଆକାରର ଛୋଟ ମଧ୍ୟ ହୋଇଥିଲେ।
ପୁରାତନ ନମୁନା ଉପରେ ଆଧାର କରି, ଅଧ୍ୟୟନରୁ ଜଣାପଡିଛି ଯେ ଏହି ଡାଇନୋସରର ଆକାର ଏକ ବିଶାଳ କଇଁଛ କିମ୍ବା ଏକ ଛୋଟ ଓଟପକ୍ଷୀର ଆକାର ସହିତ ସମାନ ରହିଥିଲା। ସେମାନଙ୍କର ଓଜନ ଅତିକମରେ ୧୦ ରୁ ୭୦ କିଲୋ ଥିଲା। ସେହି ସମୟର ଅଧିକାଂଶ ଆଲଭାରେଜସୋର ଡାଇନୋସର ପତଳା, ଦୁଇ ଗୋଡ଼ ବିଶିଷ୍ଟ ଏବଂ ସେମାନେ ଖାଦ୍ୟ ଝିଟିପିଟି, ପ୍ରାରମ୍ଭିକ ସ୍ତନ୍ୟପାୟୀ ପ୍ରାଣୀ ଏବଂ ଶିଶୁ ଡାଇନୋସ ଖାଉଥିଲେ।
ଅଧ୍ୟୟନ ଅନୁଯାୟୀ, ଆଲଭାରେଜସୋର ଆବିର୍ଭାବ ହେବା ବେଳକୁ ନମୁନାଗୁଡ଼ିକର ଆକାର କୁକୁଡ଼ା ଆକାରକୁ କମିଯାଇଥିଲା। ଜିଚିନଙ୍କ ଅନୁଯାୟୀ, ସେମାନଙ୍କ ଆକାରରେ ଏପରି ପରିବର୍ତ୍ତନ ଘଟିଥିଲା ​​କାରଣ ସେମାନେ ପିମ୍ପୁଡ଼ି ଖାଇବା ଆରମ୍ଭ କରିଥିଲେ। ଜିଚୁଆନ୍‌ର ଅନ୍ୟତମ ପର୍ଯ୍ୟବେକ୍ଷକ ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ୍ ବେଣ୍ଟନ୍ କହିଛନ୍ତି ଯେ ଖାଦ୍ୟ ପ୍ରତିଯୋଗିତା ବୃଦ୍ଧି ହେତୁ ଖାଦ୍ୟରେ ଏହି ପ୍ରମୁଖ ପରିବର୍ତ୍ତନ ହୋଇଥାଇପାରେ।
ଜିଚୁନ୍ ଆଲଭାରେଜସୋର ପ୍ରଜାତିର ଡାଇନୋସରର ଏକ ଡଜନ ନମୁନା ସଂଗ୍ରହ କରି ଅଧ୍ୟୟନ କରିଥିଲେ ଏବଂ ଲକ୍ଷ ଲକ୍ଷ ବର୍ଷ ଭିତରେ ସେମାନଙ୍କର ଆକାର କିପରି ବଦଳିଗଲା ତାହା ଅନୁସନ୍ଧାନ କରିଥିଲେ। ଆଲଭାରେଜସୋର ଡାଇନୋସରମାନେ ଜୁରାସିକ୍ ଠାରୁ ଆରମ୍ଭ କରି କ୍ରେଟେସିୟସ୍ ସମୟ ପର୍ଯ୍ୟନ୍ତ ବାସ କରୁଥିଲେ। ଏହାର ଅର୍ଥ ହେଉଛି ସେମାନେ ୧୬୦ ନିୟୁତ ବର୍ଷରୁ ୭୦ ନିୟୁତ ବର୍ଷ ପୂର୍ବେ ଚୀନ୍, ମୋଙ୍ଗୋଲିଆ ଏବଂ ଦକ୍ଷିଣ ଆମେରିକାରେ ବାସ କରୁଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: