ନିଠାରି ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

ନିଠାରି ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

ପ୍ରିଜମ ନ୍ୟୁଜ ବ୍ୟୁରୋ : ବହୁ ଚର୍ଚ୍ଚିତ ନିଠାରି ଗଣହତ୍ୟା ମାମଲାର ମୁଖ୍ୟ ଖଳନାୟକ ସୁରିନ୍ଦର କୋଲିକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ପୁଣି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି। ସୁରିନ୍ଦର କୋଲି ବ୍ୟତୀତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍ ରାକେଶ ତ୍ରିପାଠୀ ତା’ର ମାଲିକ ତଥା ବ୍ୟବସାୟୀ ମହିନ୍ଦର ସିଂହ ପାନ୍ଧେରକୁ ମଧ୍ୟ ୭ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି।

ସେହିପରି କୋର୍ଟ କୋଲି ଉପରେ ୬୨ ହଜାର ଓ ମହିନ୍ଦର ସିଂହ ଉପରେ ୪ ହଜାର ଟଙ୍କା ଜୋରିମାନା ଲାଗୁ କରିଛନ୍ତି।ସିବିଆଇ ଓକିଲ ଦର୍ଶନ ଲାଲ କହିଛନ୍ତି, ରାୟ ଦେବା ପୂର୍ବରୁ କୋର୍ଟରେ ୮୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏଥିସହ ସିବିଆଇ ଅନେକ ପ୍ରମାଣ ଉପସ୍ଥାପନ କରିଥିଲା। ଏହାକୁ ବିଚାରକୁ ନେଇ କୋର୍ଟ କୋଲିକୁ ହତ୍ୟା, ଦୁଷ୍କର୍ମ, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହିନ୍ଦରକୁ କୋର୍ଟ ମାନବଚାଲାଣ ଘଟଣାରେ ଦୋଷୀ ଭାବେ ବିବେଚନା କରିଥିବା ଓକିଲ ଦର୍ଶନ ଲାଲ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ କୋଲିକୁ ଆଉ ୧୩ଟି ମାମଲାରେ ମଧ୍ୟ ସିବିଆଇ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ୩ଟି ମାମଲାରେ ସେ ଦୋଷମୁକ୍ତ ହୋଇଛି। ମହିନ୍ଦର ମଧ୍ୟ ଅନ୍ୟ ୩ଟି ମାମଲାରେ ମୃତ୍ୟୁଦଣ୍ଡ ପାଇ ସାରିଛି। ଦର୍ଶନ ଲାଲ କହିଛନ୍ତି, କୋର୍ଟ ମାମଲାରେ ବିଚାର କରିବା ବେଳେ କୋଲି ଘଟାଇଥିବା ଅପରାଧକୁ ଅସାଧାରଣ ବର୍ଗରେ ରଖିଥିଲେ। ସେ ଅତ୍ୟନ୍ତ ନିଷ୍ଠୁର ଢଙ୍ଗରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରିବା ସହ ପଲିଥିନରେ ଭର୍ତ୍ତି କରି ନିଠାରିରେ ଥିବା ମହିନ୍ଦିରଙ୍କ ଘର ପଛପଟେ ଡ୍ରେନରେ ଫୋପାଡ଼ି ଦେଇଥିଲା। ତେଣୁ କୋର୍ଟ କୋଲିକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ, ନିଠାରି ଗଣହତ୍ୟା ୨୦୦୫ରୁ ୨୦୦୬ ମଧ୍ୟରେ ଗଠିଥିଲା। ମହିନ୍ଦରଙ୍କ ଘରେ କାମ କରୁଥିବା କୋଲି ଛୋଟ ଛୋଟ ପିଲା ଓ ଯୁବତୀଙ୍କୁ ପ୍ରଲୋଭିତ କରି ନିଜ ପାଖକୁ ଆଣୁଥିଲା। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଦୁଷ୍କର୍ମ କରୁଥିଲା। ଏହାପରେ ସେମାନଙ୍କୁ ହତ୍ୟା କରି ଖଣ୍ଡଖଣ୍ଡ କରି କାଟି ଦେଉଥିଲା। ଶେଷରେ ମୃତଦେହ ଗୁଡ଼ିକୁ ଡ୍ରେନରେ ଭସାଇ ଦେଉଥିଲା।୨୦୦୬ ଡିସେମ୍ବର ୨୯ରେ ୮ଟି ଛୋଟ ପିଲାଙ୍କ କଙ୍କାଳ ଡ୍ରେନରୁ ମିଳିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାର ତଦନ୍ତ କରି ନୋଏଡା ପୁଲିସ୍‌ କୋଲି ଓ ମହିନ୍ଦରକୁ ଗିରଫ କରିଥିଲା। ଏହାପରେ ସିବିଆଇ ଘଟଣାର ତଦନ୍ତ କରି ମହିନ୍ଦରର ଘର ପଛ ପଟ ଡ୍ରେନରୁ ଆହୁରି ଅନେକ କଙ୍କାଳ ଜବତ କରିଥିଲା। ଛୋଟ ପିଲା ଓ ଯୁବତୀମାନଙ୍କୁ ଅପହରଣ କରି କୋଲି ଏପରି କାଣ୍ଡ ଘଟାଉଥିବା ସିବିଆଇ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। କୋଲି ମଧ୍ୟ ତା’ର ଅପରାଧକୁ ସ୍ୱୀକାର କରିଥିଲା। ତା’ ନାଁରେ ମୋଟ ୧୯ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ପ୍ରମାଣ ଅଭାବରୁ ୩ଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇପାରି ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: