ବଦଳିଲା ଗ୍ରାହକ ସୁରକ୍ଷା ଆଇନ, ଏଣିକି କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ନେଲେ ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବଦଳିଲା ଗ୍ରାହକ ସୁରକ୍ଷା ଆଇନ, ଏଣିକି କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ନେଲେ ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି କ୍ୟାରି ବ୍ୟାଗ୍ ପାଇଁ ଦେବାକୁ ପଡିବନି ଟଙ୍କା । କୌଣସି ସମସ୍ୟା ହେଲେ ନିଜେ ଅଦାଲତର ଆଶ୍ରୟ ନେଇପାରିବେ । ଗ୍ରାହକ ସୁରକ୍ଷା ଆଇନ୍ ୧୯୮୬କୁ ବଦଳାଇ ଯାଇ ପୂରା ଦେଶରେ ଆଜିଠାରୁ ଲାଗୁ ହୋଇଛି ନୂତନ ଗ୍ରାହକ ସୁରକ୍ଷା ଆଇନ-୨୦୧୯ । ପାଖାପାଖି ୩୪ ବର୍ଷ ପରେ ଦେଶର ଏହି ନୂତନ ଗ୍ରାହକ ନିୟମ ଲାଗୁ ହୋଇଛି । ଏହି ଆଇନ ଅନୁସାରେ ଯେ କୌଣସି ଗ୍ରାହକ ଅଦାଲତରେ ମାମଲା ଦାୟର କରିପାରିବ । ଏଥିସହ ଭୁଲ ବିଜ୍ଞାପନ ଦେଇଥିଲେ, ଉକ୍ତ ସଂସ୍ଥା ବା ସଂପୃକ୍ତ ବ୍ୟକ୍ତିଙ୍କୁ ଜରିମାନା ସହ ଦଣ୍ଡ ଦେବାର ବି ବ୍ୟବସ୍ଥା ରହିଛି । ଏହାସହ ଦୋକାନୀମାନଙ୍କ ଉପରେ ମଧ୍ୟ କେତେକ କଟକଣା କଡାକଡି ଲାଗୁ ହୋଇଛି ।

ନୂତନ ଆଇନ ଅନୁସାରେ, ଯଦି ଦୋକାନୀ କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ନିଅନ୍ତି, ତେବେ ଏନେଇ ଗ୍ରାହକ ଅଭିଯୋଗ କଲେ ସଂପୃକ୍ତ ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ନେବା ନୂଆ ଆଇନ୍ ଅନୁସାରେ ଦଣ୍ଡନୀୟ ଅଟେ । ଏହି ନୂତନ ଆଇନ ଅନୁଯାୟୀ ଦୋକାନରୁ ଜିନିଷ କିଣିଲେ କ୍ୟାରି ବ୍ୟାଗ୍ ପାଇଁ ଗ୍ରାହକ ଟଙ୍କା ଦେବେନି । ବରଂ ଦୋକାନୀ କ୍ୟାରି ବ୍ୟାଗ୍ ମାଗଣାରେ ଦେବେ । ଏବଂ ଦ୍ବିତୀୟ କଥା ହେଉଛି ଯେ, ଯଦି ଗ୍ରାହକ ଜଣକ ଜିନିଷ ହାତରେ ନେବାକୁ ସକ୍ଷମ ନୁହନ୍ତି, ତେବେ ଦୋକାନୀ ନିଜ ତରଫରୁ ତାଙ୍କୁ କ୍ୟାରି ବ୍ୟାଗ୍ ଦେବାକୁ ବାଧ୍ୟ। କ୍ୟାରି ବ୍ୟାଗ୍ ପାଇଁ ଦୋକାନୀ ଟଙ୍କା ରଖୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଏନେଇ ଉପଭୋକ୍ତା ଫୋରମରେ ବାରମ୍ବାର ଅଭିଯୋଗ ହୋଇଆସୁଛି । ବିଭିନ୍ନ ସଂସ୍ଥା ଓ ଦୋକାନୀ ଠାରୁ ଜରିମାନା ମଧ୍ୟ ଆଦାୟ ହୋଇଛି । ତେଣୁ ସ୍ଥାୟୀ ସମାଧାନ ସ୍ବରୂପ ଏହି ନୂତନ ନିୟମରେ କଠୋର ବ୍ୟବସ୍ଥା କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: