୬ ଦଶନ୍ଧିରେ ଭାରତରେ ବନ୍ୟା କ୍ଷୟକ୍ଷତି ୪.୭ ଲକ୍ଷ କୋଟି

୬ ଦଶନ୍ଧିରେ ଭାରତରେ ବନ୍ୟା କ୍ଷୟକ୍ଷତି ୪.୭ ଲକ୍ଷ କୋଟି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ବର୍ତ୍ତମାନ ସାରା ଦେଶରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି। ଆସାମ ଓ ବିହାରରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଆସାମର ୯୦ ପ୍ରତିଶତ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବାବେଳେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ରିଲିଫ ଶିବିରରେ ଅଛନ୍ତି। ତେବେ ଆସାମରେ ଏହା ନୂଆ କଥା ନୁହେଁ। କାରଣ, ପ୍ରତିବର୍ଷ ଏହି ରାଜ୍ୟ ବନ୍ୟାର ସମ୍ମୁଖୀନ ହୋଇଥାଏ। ସେହିପରି ବିହାରରେ ମଧ୍ୟ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ଉତ୍ତର ବିହାରର ୮ଟି ଜିଲ୍ଲାର ପ୍ରାୟ ୧ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାଜ୍ୟ ବନ୍ୟା ପରିଚାଳନା ସୂଚନା କକ୍ଷ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଉତ୍ତର ବିହାରର ୭୩.୬୩ ପ୍ରତିଶତ ବନ୍ୟା ପ୍ରଭାବିତ ଅଞ୍ଚଳ। ପ୍ରତିବର୍ଷ ଏହି ରାଜ୍ୟରେ ବନ୍ୟା ହୋଇଥାଏ। ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଡାଉନ୍ ଟୁ ଆର୍ଥ’ ଦ୍ୱାରା ପ୍ରକାଶିତ ଏକ ଖବରର ରିପୋର୍ଟ ଅନୁସାରେ, ଭାରତରେ ଗତ ୬ ଦଶନ୍ଧିରେ ପ୍ରାୟ ୪.୭ ଲକ୍ଷ କୋଟି ଟଙ୍କା ବନ୍ୟା କ୍ଷୟକ୍ଷତି ହୋଇଛି।

ବିହାର ବନ୍ୟାର ଏକ ଦୃଶ୍ୟ

ବିହାର ବନ୍ୟାରେ ଜନଜୀବନ ପ୍ରଭାବିତ

କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ୧୯୫୨ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ୬୫ ବର୍ଷ ଭିତରେ ପ୍ରତିବର୍ଷ ଭାରତରେ ବନ୍ୟା ହୋଇଛି। ସେହିପରି ୧ ଲକ୍ଷ ୯ ହଜାର ୪୧୨ ଲୋକ ବନ୍ୟା ଦ୍ୱାରା ପ୍ରାଣ ହରାଇଛନ୍ତି। ୨୫୮ ମିଲିୟନ ଫସଲ ନଷ୍ଟ ହୋଇଥିବାବେଳେ ୮ କୋଟି ୧୧ ଲକ୍ଷ ୮୭ ହଜାର ୧୮୭ ଘରଦ୍ୱାର ଭାଙ୍ଗି ଯାଇଛି। ତେବେ ଏସବୁକୁ ମିଶାଇ ପ୍ରାୟ ୪.୬୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ୨୦୧୯ ମସିହା ନଭେମ୍ୱର ମାସରେ କେନ୍ଦ୍ର ରାଷ୍ଟ୍ର ଜଳଶକ୍ତି ମନ୍ତ୍ରୀ ରତନ ଲାଲ କଟାରିଆ ରାଜ୍ୟସଭାରେ ଭାରତର ବନ୍ୟା ସମ୍ପର୍କୀତ ଏକ ତଥ୍ୟ ଦେଇଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ, ୨୦୧୮ ବନ୍ୟାରେ ଭାରତ ୯୫ ହଜାର ୭୩୬ କୋଟି ଟଙ୍କା କ୍ଷତି ହୋଇଥିଲା, ଯାହା ୨୦୧୭ ବନ୍ୟା ଠାରୁ ପ୍ରାୟ ୨.୬ ଗୁଣା ଅଧିକ ଥିଲା।

ଆସାମ ବନ୍ୟାର ଏକ ଦୃଶ୍ୟ
ଆସାମ ବନ୍ୟାର ଏକ ଦୃଶ୍ୟ

ଓଡ଼ିଶା ମଧ୍ୟ ପ୍ରତିବର୍ଷ ବନ୍ୟା ଦ୍ୱାରା ପ୍ରଭାବିତ ହେଉଛି। ୨୦୧୯ ବନ୍ୟାରେ ଓଡ଼ିଶାର ୯ଟି ଜିଲ୍ଲାର ୫ଟି ସହର ଏବଂ ୧୦୧୨ଟି ଗାଁର ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ। କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ଥିଲା। ସେହିପରି ସରକାରୀ ରିପୋର୍ଟ ମୁତାବକ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ନିଖୋଜ ଥିଲେ। ୧୪ ହଜାରରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଓଡ଼ିଶାରେ ୨୦୧୮ ମସିହାରେ ପ୍ରାୟ ୯୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଥିଲେ। ୨୦୧୭ରେ ଓଡ଼ିଶାରେ ପ୍ରାୟ ୬୫ ହଜାର ଲୋକ ପ୍ରଭାବିତ ହୋଇଥିଲେ ଏବଂ ୨୦୧୫ ବନ୍ୟାରେ ଓଡ଼ିଶାର ପ୍ରାୟ ୨ ଲକ୍ଷ ୪୦ ହଜାର ଲୋକ ପ୍ରଭାବିତ ହୋଇଥିଲେ। ଏହା ପୂର୍ବରୁ ପ୍ରତିବର୍ଷ ହଜାର ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହେଉଛନ୍ତି।

୨୦୧୮ ବନ୍ୟା ସମ୍ପର୍କୀତ ଟ୍ୱିଟ୍

0 Comments

Leave Your Comment

Your email address will not be published. Required fields are marked *

%d bloggers like this: